ଦେଶ- ବିଦେଶ

ରାଜଦ୍ରୋହ ଆଇନର ବୈଧତା ଯାଞ୍ଚ କରିବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ

ନୂଆଦିଲ୍ଲୀ: ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଅଧୀନରେ ଉପନିବେଶକାଳୀନ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍ କୋର୍ଟ ମଙ୍ଗଳବାର ୫ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଛନ୍ତି । ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ଦଣ୍ଡ ବିଧାନର ପୁନଃ ସମୀକ୍ଷା ପାଇଁ ସରକାର ବିଚାର ବିମର୍ଶର ଆଗୁଆ ପର୍ଯ୍ୟାୟରେ ଅଛନ୍ତି ବୋଲି କେନ୍ଦ୍ର କହିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ମେ ୧ ରେ ଏହି ଆବେଦନଗୁଡ଼ିକର ଶୁଣାଣିକୁ ସ୍ଥଗିତ ରଖିଥିଲେ। କିନ୍ତୁ ନୂଆ ଅପରାଧ ଆଇନରେ କେନ୍ଦ୍ର ସରକାର ପୁଣି ଥରେ ଏପରି ଆଇନକୁ ଲାଗୁ କରିବାକୁ ଯୋଜନା କରୁଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଏପରି ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜଦ୍ରୋହ ଆଇନ ବିରୋଧୀ କେତେକ ପିଟିସନର ଶୁଣାଣି କରି ଏହି ମାମଲାର ତର୍ଜ୍ଜମା ପାଇଁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଛନ୍ତି ।

ଗତ ଅଗଷ୍ଟ ୧୧ତାରିଖରେ କେନ୍ଦ୍ର ସରକାର ଆଇପିସି, କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ଏବଂ ଭାରତୀୟ ପ୍ରମାଣ ଆଇନକୁ ବଦଳାଇବା ପାଇଁ ଲୋକସଭାରେ ତିନୋଟି ନୂଆ ବିଲ୍ ଆଗତ କରିଥିଲେ। ଏଥିରେ ରାଜଦ୍ରୋହ ଆଇନକୁ ଉଚ୍ଛେଦ କରିବା ଏବଂ ଅପରାଧର ବ୍ୟାପକ ସଂଜ୍ଞା ସହିତ ନୂତନ ବ୍ୟବସ୍ଥା ପ୍ରଣୟନ କରିବାକୁ ପ୍ରସ୍ତାବ ରହିଛି ।

Leave a Reply

Your email address will not be published. Required fields are marked *