ଦେଶ- ବିଦେଶ

ଅବସର ନେଲେ ଇଡି ନିର୍ଦ୍ଦେଶକ ସଂଜୟ ମିଶ୍ର

ନୂଆଦିଲ୍ଲୀ: ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୧୫ରେ ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏବେ ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ସଞ୍ଜୟ କୁମାର ମିଶ୍ର ପ୍ରାୟ ୪ ବର୍ଷ ୧୦ ମାସ ଇଡି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୮ରେ ଇଡି ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ୨୦୨୦ ନଭେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। କେନ୍ଦ୍ର ପକ୍ଷରୁ ତାଙ୍କୁ ୩ଥର ଅବଧି ବୃଦ୍ଧି କରାଯାଇଥିଲା। ଏହି ପଦକ୍ଷେପକୁ ବିରୋଧୀମାନେ ସମାଲୋଚନା କରିବା ସହ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସିଭିସି ଆଇନରେ ମଧ୍ୟ ସଂଶୋଧନ କରାଯାଇଥିଲା। ଗତ ଜୁଲାଇ ମାସରେ ସୁପ୍ରିମ୍ କୋର୍ଟ ସଞ୍ଜୟ କୁମାର ମିଶ୍ରଙ୍କ ତୃତୀୟ ଅବଧି ବୃଦ୍ଧିକୁ ବେଆଇନ ଘୋଷଣା କରିଥିଲେ। ଯାହା କି ୧୮ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା ।

ଅନ୍ୟପକ୍ଷରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ବ ନେଇଥିବା ରାହୁଲ ନବୀନ ହେଉଛନ୍ତି ୧୯୯୩ ବ୍ୟାଚ୍ ର ଆଇଆରଏସ ଅଫିସର। ବିହାରର ବାସିନ୍ଦା ରାହୁଲ ନବୀନ ସ୍ୱତନ୍ତ୍ର ନିର୍ଦ୍ଦେଶକ ହେବା ସହ ଇଡି ମୁଖ୍ୟାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୂଆ ନିର୍ଦ୍ଦେଶକ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସେ କାମଚଳା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ।

Leave a Reply

Your email address will not be published. Required fields are marked *