ମୁଖ୍ୟ ଖବର

ରାଜ୍ୟ କ୍ୟାବିନେଟ୍‌: ‘ଲକ୍ଷ୍ମୀ’ ‌ଯୋଜନା ଉପରେ ମୋହର ଲାଗିଲା

ଭୁବ‌ବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଶୁକ୍ରବାର ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲୋକେସନ୍‌ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍‌ ଇନିସିଏଟିଭ୍‌ (ଲକ୍ଷ୍ମୀ) ଉପରେ ମୋହର ଲାଗିଛି। ଏହି ଯୋଜନାରେ ନିର୍ଭରଯୋଗ୍ୟ ଏବଂ ସୁଲଭ ସେବା ମିଳିବ। ଗ୍ରାମପଞ୍ଚାୟତସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରିବ। ଏହି ଯୋଜନା ଅଧିନରେ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦିଆଯିବ। ମିସନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହନ କରାଯିବ ଏବଂ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ସହିତ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ କରାଯିବ। ଏଥି ସହିତ ବ୍ଲକଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବା କର୍ମକ୍ଷେତ୍ରରେ ବିଭିନ୍ନ ନିରାପଦ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ।

ରାଜ୍ୟ ସରକାର ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ପାଇଁ ନୂଆ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ୨୦୨୩-୨୪ ଖରିଫ ବିପଣନ ବର୍ଷରେ ମୋଟ ୫୪ଲକ୍ଷ ମେଟ୍ରିକ ଟନ୍ ଚାଉଳ(୭୯ଲକ୍ଷ ମେଟ୍ରିକ ଟନ୍ ଧାନ) ସଂଗ୍ରହ କରାଯିବ। ଖରିଫ ବର୍ଷ-୨୦୨୨-୨୩ରେ ମୋଟ ୭୯.୧୬ଲକ୍ଷ ମେଟ୍ରିକ ଟନ୍ ଧାନ(୫୩.୫୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ କରାଯାଇଥିଲା।

ସେହିପରି ରାଜ୍ୟ ପୂର୍ତ୍ତ ଓ ଆର୍‌ଡି ବିଭାଗ ଅଧୀନ ସବୁ ଟୋଲ୍‌ ଗେଟ୍‌ ଉଚ୍ଛେଦ ହେବ ବୋଲି ଜଣାଯାଇଛି। ରାଜ୍ୟର ସମସ୍ତ ୩୫ଟି ଟୋଲ୍‌ ଗେଟ୍‌ ଉଚ୍ଛେଦକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଉନ୍ନୟନ କମିସନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *