ମହାନଗର

ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲ୍ୟୁର ଜେରା

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍‌ ଓ୍ବାନର ମାଲିକ ତପନ ମହାନ୍ତିଙ୍କୁ ଶନିବାର କାର୍ଯ୍ୟାଳୟକୁ ଡାକି ଜେରା କରିଛି। ଇଓଡବ୍ଲ୍ୟୁର ଜଣେ ମହିଳା ଡିଏସ୍‌ପି ରାଙ୍କର ଅଧିକାରୀଣୀ ତାଙ୍କୁ ପଚରାଉଚରା କରୁଥିଲେ। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବା ବେଳେ ପ୍ରୋଜେକ୍ଟ ସମ୍ପର୍କିତ ଉପରେ ପଚରାଉଚରା କରାଯାଇଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏଥିପାଇଁ ବ୍ୟବସାୟୀ ତପନଙ୍କୁ ହାଜର ହେବାକୁ ପୂର୍ବରୁ ନୋଟିସ୍‌ ଜାରି କରାଯାଇଥିଲା।ସୂଚନାନୁସାରେ, ଜେଡ୍‌ ଓ୍ବାନର ରଘୁନାଥପୁରସ୍ଥିତ ଆପାର୍ଟମେଣ୍ଟନର ଓନର ଆସୋସିଏଶନ ତାଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଏତଲା ଦେଇଥିଲେ। ଆପାର୍ଟମେଣ୍ଟ ନିର୍ମାଣ ବେଳେ ଅନେକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାର ନ ଥିଲା, ସେଠାରେ ତିଆରି ହୋଇଥିଲା। ଏମିତି ଅନେକ ଅଭିଯୋଗ ନେଇ ଆସୋସିଏଶନ ପକ୍ଷରୁ ତାଙ୍କ ନାଁରେ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଏପରିକି ମାମଲା ରୁଜୁ କରି କରି ନ ଥିଲା କି ତଦନ୍ତ ମଧ୍ୟ କରି ନ ଥିଲା। ଯାହାଫଳରେ ଆପାର୍ଟମେଣ୍ଟ କିଣିଥିବା ଲୋକେ ବହୁ ହଇରାଣ ହୋଇଥିଲେ। ପରେ ଏହି ମାମଲାକୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)କୁ ହସ୍ତାନ୍ତର କରାଯାଇଥିଲା। କିଛି ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିବା କୁହାଯାଉଛି। ଯାହାଫଳରେ କି ଏଇ କିଛି ଦିନ ତଳେ ହଠାତ ପୋଲିସ ସକ୍ରିୟ ହୋଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *