ମୁଖ୍ୟ ଖବର

କଳାହାଣ୍ଡିର ୧୫୬୭ ସ୍କୁଲରେ ତାଲା

ଭବାନୀପାଟଣା,୧୬।୯ : କଳାହାଣ୍ଡି ଜିଲାର ୧୩ଟି ବ୍ଲକର କାର୍ଯ୍ୟରତ ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକମାନେ ୩ ଦଫା ଦାବି ନେଇ ଗତ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ ବିଦ୍ୟାଳୟରେ ତାଲା ପଡ଼ିଥିବା ବେଳେ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ ସମୁଦାୟ ୧୯୨୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏପରିସ୍ଥଳେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ଶୁକ୍ରବାର ସୁଦ୍ଧା ୧୫୬୭ ସ୍କୁଲରେ ତାଲା ପଡିଥିବା ବେଳେ ଅବଶିଷ୍ଟ ୩୫୬ ସ୍କୁଲ ଚାଲୁଥିବା ଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

ଜିଲାର ୧୩ଟି ବ୍ଲକର ୩ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକମାନେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରି ଦାବି ପୂରଣ ପାଇଁ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଶିକ୍ଷକମାନଙ୍କ ଏହି ଆନ୍ଦୋଳନ ଯୋଗୁ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ରହୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସରକାର ି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।ଏ ନେଇ ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ପଚାରିବାରୁ ଆମ ହାତରେ କିଛି ନାହଁି, ସରକାରଙ୍କ ହାତରେ ଶିକ୍ଷକଙ୍କ ସମାଧାନ ରହିଛି ବୋଲି କହିଥିଲେ। ସେହିପରି କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଧାରଣାସ୍ଥଳରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଧୀରେନ ପଟ୍ଟନାୟକ ଓ ଜିଲା କୋର କମିଟି ସଦସ୍ୟ ନିବାସ ଆଚାରୀ, ଯୋଗେଶ୍ୱର ମିଶ୍ର ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସରକାର କୌଣସି ସମାଧାନ କରୁ ନ ଥିବା ଦୁର୍ଭାଗ୍ୟର ବିଷୟ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ଓ ସମ୍ପାଦକ ସୁଦର୍ଶନ ସାହୁ କହିଛନ୍ତି। ବ୍ଲକର ୬୨ଟି ବିଦ୍ୟାଳୟରେ ତାଲା ପଡ଼ିଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢା ଠପ୍‌ ହୋଇପଡିଛି।

Leave a Reply

Your email address will not be published. Required fields are marked *