ଅପରାଧ

ଲସ୍କର କମାଣ୍ଡର ଉଜୈର ଖାନ୍ ନିହତ

ଶ୍ରୀନଗର: ୭ଦିନ ପରେ ପରେ ଶେଷ ହେଲା ଅପରେସନ। ନିହତ ହେଲା ଲସ୍କର କମାଣ୍ଡର ଉଜୈର ଖାନ୍। ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ୭ଦିନ ଧରି ଚାଲିଥିବା ଏନକାଉଣ୍ଟର‌ ଆଜି ଶେଷ ହୋଇଥିବା ବେଳେ ଭାରତୀୟ ସେନା ଗୁଳିରେ ନିହତ ହୋଇଛି ଲସ୍କର-ଏ-ତଇବା କମାଣ୍ଡର ଉଜୈର ଖାନ। ଜଣେ ଅଧିକାରୀ କହିଛନ୍ତି ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ଅନନ୍ତନାଗ ଜିଲ୍ଲାର କୋକରନାଗ ଜଙ୍ଗଲରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଆଜି ଉଜୈର ଖାନର ମୃତ୍ୟୁ ପରେ ଏହି ଅପରେସନ ଶେଷ ହୋଇଛି।

ଜମ୍ମୁ-କଶ୍ମୀରର ଏଡିଜିପି ବିଜୟ କୁମାର କହିଛନ୍ତି, “ଲସ୍କର କମାଣ୍ଡର ଉଜୈର ଖାନଙ୍କୁ ହତ୍ୟା କରାଯାଇଛି। ସେ ରଖିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଉଜୈର ସହ ଅନ୍ୟ ଜଣେ ଆତଙ୍କବାଦୀର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଅନନ୍ତନାଗର କୋକରନାଗରେ ଏନକାଉଣ୍ଟର ଶେଷ ହୋଇଥିଲେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ”

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୨ରେ କୋକରନାଗରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଏହି ଅପରେସନ୍ ଆରମ୍ଭ କରିଥିଲା। ପରଦିନ ଏନକାଉଣ୍ଟରରେ ସେନା କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନଚକ ଏବଂ ଜମ୍ମୁ କଶ୍ମୀର ପୁଲିସ ଡିଏସପି ହୁମାୟୁନ ଭଟ୍ଟ ସହିଦ ହୋଇଥିଲେ। ଏହା ପରେ ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ। ଏହି ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା। ଆଜି ଉଜୈର ଖାନର ମୃତ୍ୟୁ ପରେ ଏହି ଅପରେସନ ଶେଷ ହୋଇଛି।

Leave a Reply

Your email address will not be published. Required fields are marked *