ଦେଶ- ବିଦେଶ

ଲିବିୟାରେ ପୁଣି ୨ ଡ୍ୟାମ ଯୋଗୁ ବିନାଶ ଆଶଙ୍କା

ତ୍ରିପୋଲି, : ସେପ୍ଟେମ୍ବର ୧୦ ରେ ଆଫ୍ରିକୀୟ ଦେଶ ଲିବିୟାରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ୩,୯୫୮ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭୂମଧ୍ୟସାଗରରେ ଥିବା ସାଇକ୍ଲୋନ ଡାନିଏଲ ଯୋଗୁଁ ଦୁଇଟି ଡ୍ୟାମ ଭାଙ୍ଗି ଡର୍ନା ସହରରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ମିଳିତ ଜାତିସଂଘର ମାନବିକ ବ୍ୟାପାର ସମନ୍ବୟ ଏଜେନ୍ସି ଚେତାବନୀ ଦେଇଛି ଲିବିୟାର ଆଉ ଦୁଇଟି ଡ୍ୟାମ ଭୁଶୁଡି ପଡିପାରେ।

ତେବେ ଏହାର ବିରୋଧୀ ବିବୃତ୍ତିରେ ଜାତିସଂଘର ଏହି ଏଜେନ୍ସି କହିଛି ଏହା ତୁରନ୍ତ ଘଟିବ ନାହିଁ, କିନ୍ତୁ ଯଦି ଏହାର ସଠିକ ରକ୍ଷଣାବେକ୍ଷଣ ନ ହୁଏ ତେବେ ଭବିଷ୍ୟତରେ ମଧ୍ୟ ଏହିପରି ବିପର୍ଯ୍ୟୟ ଘଟିପାରେ। ଅନ୍ୟପକ୍ଷରେ ଜାତିସଂଘ ଅନ୍ୟ ଏକ ବିବୃତ୍ତିରେ କହିଛି ବନ୍ୟାରେ ହୋଇଥିବା ବିନାଶ ଦ୍ୱାରା ଲିବିୟାରେ ଜଳ ବାହିତ ରୋଗ ଯୋଗୁ ମହାମାରୀ ବ୍ୟାପିପାରେ।

ମିଳିତ ଜାତିସଂଘର ମାନବିକ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ ଲିବିୟାରେ ଆଉ ଏକ ବନ୍ୟା ବିପର୍ଯ୍ୟୟ ସମ୍ପର୍କରେ ଚେତାବନୀ ଦେଇଛି। ଜାତିସଂଘ ଏଜେନ୍ସି ଲିବିୟା, ଜାଜା ଏବଂ କତରା ଅନ୍ୟ ଦୁଇଟି ଡ୍ୟାମ ବିଷୟରେ କହିଛି। କିନ୍ତୁ ଏହି ଦୁଇଟି ବନ୍ଧ ବିଷୟରେ ଅସ୍ପଷ୍ଟ ବିବୃତ୍ତି ଦିଆଯାଇଛି। ପ୍ରଥମେ କୁହାଯାଇଥିଲା, ଏହି ଦୁଇଟି ଡ୍ୟାମ ନେଇ ବିପଦ ଅଛି। କିନ୍ତୁ କୁହାଯାଇଥିଲା ଡ୍ୟାମର କାର୍ଯ୍ୟ ସୁରୁଖୁରୁରେ ଚାଲୁଛି।
ଜାଜା ଡ୍ୟାମ ବନ୍ୟା ପ୍ରଭାବିତ ସହର ଡର୍ନା ଏବଂ ବେଙ୍ଗହାଜି ସହର ମଧ୍ୟରେ ଅବସ୍ଥିତ। ସେହିପରି ବେଙ୍ଗହାଜି ସହର ନିକଟରେ କତରା ଡ୍ୟାମ ଅଛି। ଅଧିକାରୀ କହିଛନ୍ତି ଜାଜା ଡ୍ୟାମର ଚାପକୁ ହ୍ରାସ କରିବା ଏବଂ ଏହାର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ପମ୍ପ ଲଗାଯାଇଛି।

ମିଳିତ ଜାତିସଂଘ ଏବଂ ସହାୟତା ଗୋଷ୍ଠୀ ଚେତାବନୀ ଦେଇଛନ୍ତି ଡର୍ନା ଏବଂ ପୂର୍ବ ଲିବିଆର ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୂଷିତ ଜଳ ଯୋଗୁଁ କଲେରା, ଡିହାଇଡ୍ରେଶନ ଭଳି ଗୁରୁତର ରୋଗ ହେବାର ଆଶଙ୍କା ରହିଛି।
ଆଇଆରସି କହିଛି ପୂର୍ବ ସହର ଡର୍ନାରେ ୫୫ ଜଣ ଶିଶୁ ଦୂଷିତ ପାଣି ପିଇ ଅସୁସ୍ଥ ହୋଇପଡିଛନ୍ତି। ଆଇଆରସିଟିସିର ଲିବିୟା ନିର୍ଦ୍ଦେଶକ ଏଲି ଆବୁଉନ କହିଛନ୍ତି ଡର୍ନା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଅଟେ ଏବଂ ଲୋକଙ୍କୁ ମୌଳିକ ସୁବିଧା ଭାବରେ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଉଦ୍ୟମ ଚାଲିଛି।

Leave a Reply

Your email address will not be published. Required fields are marked *