ରାଜ୍ୟ

ବୁଗୁଡ଼ା-ପୋଲସରା ରାସ୍ତା ମଝିରେ ଆଣ୍ଠୁଏ ଖାଲ

ବୁଗୁଡ଼ା, : ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତା ମଝିରେ ଆଣ୍ଠୁଏ ଖାଲ ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେତୁ ତାହାର କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ବୁଗୁଡ଼ାରୁ ପୋଲସରା ଯାଇଥିବା ମୁଖ୍ୟ ରାସ୍ତାର ଚଢ଼େୟାପଲ୍ଲୀ ଛକ ନିକଟରେ ଖାଲଖମା ଯୋଗୁ ଯାନବାହନ ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସାମାନ୍ୟ ଅସାବଧାନତାରୁ ଦୁର୍ଘଟଣାମାନ ଘଟୁଛି। ଏଥିପ୍ରତି ପୂର୍ତ୍ତ ବିଭାଗ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବର୍ଷା ଦିନେ ସେହି ଖାଲଖମାରେ ପାଣି ଜମି ରହୁଥିବାରୁ ଖାଲର ଗଭୀରତା ଜାଣି ନ ପାରି ଦୁଇ ଚକିଆ ଏବଂ ଅଟୋ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଯାନବାହନ ଚଳାଚଳ ବେଳେ ଗୋଳିଆ ପାଣିର ଛିଟିକା ପଥଚାରୀଙ୍କ ଉପରେ ପଡ଼ିବାରୁ ଅନେକ ସମୟରେ ବଚସା ମଧ୍ୟ ହେଉଛି। ଚଢ଼େୟାପଲ୍ଲୀ ଗାଁ ଛକ ନିକଟସ୍ଥ ସେହି ସ୍ଥାନରେ ଏଭଳି ଅସ୍ବାଭାବିକ ଘଟଣାମାନ ବାରମ୍ବାର ଘଟୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *