ଅପରାଧ

ବିଛଣାରେ ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ୱାସିଂଟନ : ଛାଡ଼ପତ୍ର ଦେବା କଥାକୁ ନେଇ ଯୁକ୍ତିତର୍କ କରି ସ୍ବାମୀଙ୍କୁ ଗୁଳି ମାରିଥିବା ଆମେରିକାର ଆରିଜୋନାରେ ଜଣେ ସ୍ତ୍ରୀଲୋକଙ୍କୁ ଗିରଫ କରାଯାଇଥିବା କଥା ‘ପିପୁଲ୍‌ସ୍‌ ମାଗାଜିନ୍‌’ ରିପୋର୍ଟ କରିଛି।

ସାମାଜିକ ଗଣମାଧ୍ୟମରେ ପ୍ରେସ୍‌କୋଟ୍‌ ପୁଲିସ ବିଭାଗ କହିଛି ଯେ, କ୍ରିଷ୍ଟିନା ପାସ୍‌କ୍ବାଲିଟୋ ନାମ୍ନୀ ସେ ମହିଳାଙ୍କ ନାଁରେ ଜାଣିଶୁଣି ହତ୍ୟା, ମାରାତ୍ମକ ଆକ୍ରମଣ, ଜାଲିଆତି ଓ ଚୋରି ମାମଲା ରୁଜୁ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ସେପ୍ଟେମ୍ବର ୨୦ ତାରିଖରେ ଘଟିଛି। ସେଦିନ ୬୨ ବର୍ଷୀୟ ମହିଳା କ୍ରିଷ୍ଟିନା ଗିଲ୍‌ବର୍ଟରୁ ଗାଡ଼ି ଚଳାଇ ପ୍ରେସ୍‌କୋଟ୍‌ରେ ଥିବା ତାଙ୍କ ପୁରୁଣା ବାସଭବନକୁ ଯାଇଥିଲେ। ଆଗରୁ ସେଠାରେ ସେ ତାଙ୍କ ସ୍ବାମୀ ଜନ୍‌ ପାସ୍‌କ୍ବାଲିଟୋଙ୍କ ସହିତ ବାସ କରୁଥିଲେ। କିଛି ମାସ ହେବ ଛାଡ଼ପତ୍ର ଦିଆନିଆ ପ୍ରକ୍ରିୟା ଚାଲିଥିବାରୁ ସେ ଘରେ ଜନ୍‌ ଏକାକୀ ରହୁଥିଲେ। ପ୍ରାୟ ମଧ୍ୟରାତ୍ର ବେଳେକୁ କ୍ରିଷ୍ଟିନା ସେଠାରେ ପହଞ୍ଚିଥିଲେ ଓ ଛାଡ଼ପତ୍ର କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା।

ପୁଲିସକୁ କ୍ରିଷ୍ଟିନା କହିଛନ୍ତି, ମୁଁ ଛାଡ଼ପତ୍ର ଦେବାକୁ ଆଗ୍ରହୀ ନ ଥିଲି। କିନ୍ତୁ, ସେ ତାଙ୍କ ମତ ପରିବର୍ତ୍ତନ କଲେ ନାହିଁ। ସେହି କାରଣରୁ ଜନ୍‌ଙ୍କୁ ବିଛଣା ଉପରେ ଗୁଳି ମାରିଲି।

୮୦ ବ‌ର୍ଷିୟ ଜନ୍‌ଙ୍କର ମଣିବନ୍ଧରେ ଗୁଳି ଚୋଟ ଲାଗିଛି। ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଉପଚାର କରାଯିବା ପରେ ଉନ୍ନତ ଚିକିତ୍ସା ନିମନ୍ତେ ବିମାନ ଯୋଗେ ତାଙ୍କୁ ଫିନିକ୍ସ୍‌-ଏରିଆ ହସ୍ପିଟାଲ୍‌କୁ ନିଆଯାଇଥିଲା। ଏବେ ସେ ବିପଦମୁକ୍ତ ଅଛନ୍ତି ବୋଲି ପୁଲିସ କହିଛି।

ପୁଲିସ ଘଟଣାସ୍ଥଳରୁ କ୍ରିଷ୍ଟିନାଙ୍କୁ ଗିରଫ କରିଛି।

ସ୍ବାମୀ ଜନ୍‌ ପୁଲିସକୁ କହିଛନ୍ତି, ସେ ଓ ତାଙ୍କ ସ୍ତ୍ରୀ କିଛି ମାସ ହେବ ପୃଥକ୍‌ ହୋଇଯାଇଛନ୍ତି। ଏବେ ଛାଡ଼ପତ୍ର ଦିଆନିଆ ପାଇଁ ପ୍ରକ୍ରିୟା ଚାଲିଛି। କିଛି ଦିନ ହେବ ଘରର ଚାବି ଓ ଅନ୍ୟ କିଛି ଜିନିଷପତ୍ର ହଜିଯିବାରୁ ସେ ତାଲା ବଦଳାଇ ଦେଇଛନ୍ତି। ସେ ସବୁ କ୍ରିଷ୍ଟିନା ଚୋରାଇ ନେଇଛନ୍ତି ବୋଲି ତାଙ୍କର ସନ୍ଦେହ ହେଉଛି।

Leave a Reply

Your email address will not be published. Required fields are marked *