ଦେଶ- ବିଦେଶ

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ, : ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ। ତେବେ ଡାଲି ଆମଦାନୀ ବନ୍ଦ ହୋଇଗଲେ ଦେଶରେ ଏହାର ଦରବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏନେଇ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଅଲ ଇଣ୍ଡିଆ ଡାଲ ମିଲର୍ସ ଆସୋସିଏସନ ମଧ୍ୟ ଏନେଇ ସରକାରଙ୍କ ସହ ଆଲୋଚନା କରିଥିଲେ।

ଡାଲି ଆମଦାନୀକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ କାନାଡାରୁ ଡାଲି ଆମଦାନୀ କରିବାରେ କୌଣସି ଅସୁବିଧା ନାହିଁ। କାନାଡା ବ୍ୟବସାୟୀମାନେ ମଧ୍ୟ ଭାରତକୁ ଡାଲି ପଠାଉଛନ୍ତି। ଭାରତରେ ବାର୍ଷିକ ପ୍ରାୟ ୨୩ ଲକ୍ଷ ଟନ ମସୁର ବ୍ୟବହାର ହୋଇଥାଏ। ବାର୍ଷିକ ପ୍ରାୟ ୧୫ରୁ ୧୬ଲକ୍ଷ ଟନ ମସୁର ଡାଲି ଘରୋଇ ଭାବରେ ଉତ୍ପାଦିତ ହୁଏ ଏବଂ ବାକି ଆମଦାନୀ ହୋଇଥାଏ।

ମସୁର ଆମଦାନି ପାଇଁ ଭାରତ ମୁଖ୍ୟତ କାନାଡା ଉପରେ ନିର୍ଭର କରିଥାଏ। ଚଳିତ ବର୍ଷ ଏପ୍ରିଲ-ଜୁନ ମାସରେ ଭାରତ କାନାଡାରୁ ପ୍ରାୟ ଏକ ଲକ୍ଷ ଟନ ଡାଲି ଆମଦାନୀ କରିଛି। ଗତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଭାରତ କାନାଡାରୁ ୩୭୦ ନିୟୁତ ଡଲାରର ୪.୮୫ ଲକ୍ଷ ଟନ ମସୁର ଆମଦାନୀ କରିଥିଲା।

କାନାଡାରେ ଡାଲି ଫସଲର ୯୫ ପ୍ରତିଶତ ସସ୍କାଚେୱାନ ରାଜ୍ୟରେ ଚାଷ କରାଯାଏ ଏବଂ ଏହି ରାଜ୍ୟର ଡାଲି ବ୍ୟବସାୟୀମାନେ ଭାରତୀୟ ବଜାରରେ ସର୍ବାଧିକ ଡାଲି ବିକ୍ରି କରିଥାନ୍ତି। ଭାରତ ସହ ଥିବା ତିକ୍ତତାକୁ ଦୃଷ୍ଟିରେ ରଖି ସସ୍କାଚୱାନ ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଯଥାଶୀଘ୍ର ଭାରତକୁ ଡାଲି ରପ୍ତାନୀ କରିବାକୁ ଚାହୁଁଛନ୍ତି। କାନାଡାରୁ ଭାରତକୁ ଡାଲି ପହଞ୍ଚିବା ପାଇଁ ପ୍ରାୟ ୪୦ଦିନ ଲାଗିଥାଏ।

Leave a Reply

Your email address will not be published. Required fields are marked *