ମୁଖ୍ୟ ଖବର

ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ମିଳିଥିବା ସୂଚନା ମୁତାବକ ବିଧାନସଭା ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ | ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ହୋ ହାଲ୍ଲା କରିଥିବାବେଳେ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ | ଉଲ୍ଲେଖ ଥାଉ କି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଜାରି ଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମକୁ ବିଜେପିର ବିଧାୟକମାନେ ହୋହାଲ୍ଲା କରିବା ସହିତ ଡାଲି ଫିଙ୍ଗିଥିଲେ ।

ଏହି ଘଟଣା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋନହ ଚରଣ ମାଝୀ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଥିଲେ । ଏଥି ସହିତ ବାଚସ୍ପତି ଗୃହକୁ ଆସନ୍ତା ୩୦ ତାରିଖ (ଶନିବାର) ଯାଏଁ ମୁଲତବୀ ରଖିଥିଲେ । ସୂଚନା ଅନୁସାରେ ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଜେପି ବିଧାୟକମାନେ ପ୍ରଥମେ ହୋହାଲ୍ଲା କରିଥିଲେ। ଏହା ପରେ ପଲିଥିନରେ ଆଣି ଥିବା ଡାଲି ଦେଖାଇଥିଲେ। ଶେଷରେ ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ। ଏହି ଘଟଣା‌ ପରେ ବିଧାୟକ ମୋନହ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ ଚଳିତ ବିଧାନସଭା ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ । ଆଉ ଆଜି ପ୍ରଶ୍ନକାଳ ଆରମ୍ଭ ହୋଇଥିବାବେଳେ ବିଜେପି ସଦସ୍ୟମାନେ ହୋ ହାଲ୍ଲା କରିଥିଲେ |

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଗୃହ ଚାଲିନପାରିବା ଦୁର୍ଭାଗ୍ୟ ଓ ନିନ୍ଦନୀୟ | ରାଜରାସ୍ତାରେ ବିଭିନ୍ନ ସଂଗଠନ ତାଙ୍କ ଦାବି ନେଇ ବସିଛନ୍ତି ତାହା ଆଲୋଚନା ହୋଇଥାନ୍ତା।ଶୂନ୍ୟକାଳରେ ବେଦାନ୍ତକୁ ନେଇ ପ୍ରସଙ୍ଗ ଉଠାଯାଇଥାନ୍ତା। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି। ବିରୋଧୀ ବିରୋଧ କରିବେ। ସରକାର ଗୃହ ଚଳାଇବା କଥା କିନ୍ତୁ ନ ଚଳାଇବା ଭୁଲ । କଂଗ୍ରେସ ଗୃହରେ କିଛି ବିଶୃଙ୍ଖଳା କରିନାହିଁ | ଆଉ ସମୟ ନାହିଁ। ଗୋଟେ ଦିନ ଅଛି। କିନ୍ତୁ ଗୃହକୁ ବନ୍ଦ କରିବା ଫଳରେ ଅନେକ ରାଜ୍ୟସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି। ପୂର୍ବରୁ ଗୃହକୁ ସ୍ଵାଭାବିକ କରିବା ପାଇଁ ଅନେକ ରାସ୍ତା ବାହାରିଛି | ଆଜି ମଧ୍ୟ ବାଚସ୍ପତି ବିରୋଧୀଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ବାହାର କରିପାରିଥାନ୍ତେ | କିନ୍ତୁ ସେଭଳି କିଛି କଲେନାହିଁ କି ସର୍ବଦଳୀୟ ବୈଠକ ଡାକିଲେନି । କାହା ଇଙ୍ଗିତରେ ଏମିତି ହେଉଛି ବୁଝାପଡୁନି। ସରକାର ଭୟଭୀତ। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନ ଦେଇ ବିରୋଧୀ ନେତାମାନଙ୍କୁ ପାଗଳ କହିଲେଣି। ବିଜେପି ସଦସ୍ୟ ମଧ୍ୟ ନଛୋଡବନ୍ଧା | ସେମାନଙ୍କ ଉପରୁ ନିଲମ୍ବନକୁ ପ୍ରତ୍ୟାହାର କରିବା କଥା। ତାଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ଦେବା କଥା ବାଚସ୍ପତି।କିନ୍ତୁ ଯାହା ହେଉଛି ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ହେଉନାହିଁ।

Leave a Reply

Your email address will not be published. Required fields are marked *