ମନୋରଞ୍ଜନ

ମିଳିପାରିନି ମନଲାଖି ଭୂମିକା

କୌଣସି ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ, ତାଙ୍କୁ ଆଉ ନାୟିକା ଭୂମିକା ମିଳିବା କ୍ବଚିତ୍‌ ଦେଖାଯାଇଥାଏ। ସୋନି ଟିଭିରେ ପ୍ରସାରିତ ‘ବଡ଼େ ଅଛେ ଲଗତେ ହେଁ’ର ଅଭିନେତ୍ରୀ କାଜଲ ପିସାଲଙ୍କ ଭାଗ୍ୟରେ ସେପରି କିଛି ଘଟିଛି। ଦୀର୍ଘ ଷୋହଳ ବର୍ଷ ଧରି ଅଭିନୟ ଦୁନିଆରେ ନିଜକୁ ସକ୍ଷମ ପ୍ରମାଣିତ କରି ପନ୍ଦରରୁ ଅଧିକ ଧାରାବାହିକ ଓ ଦୁଇଟି ସିନେମାରେ କାମ କରି ସୁଦ୍ଧା ତାଙ୍କୁ ଏଯାଏ ମନଲାଖି ମୁଖ୍ୟ ଭୂମିକାଟିଏ ମିଳିପାରିନାହିଁ ବୋଲି ତାଙ୍କ ମନରେ ଅବସୋସ ରହିଛି। ତେବେ ଏହା ପଛରେ ତାଙ୍କର ବିବାହିତ ଜୀବନ ଦାୟୀ ବୋଲି ସେ କଟାକ୍ଷ କରିଛନ୍ତି। ଅଭିନୟରେ ଗୌଣ ଭୂମିକା ହେଉ ପଛକେ, ତାଙ୍କ କୋଡ଼ିଏ ବର୍ଷର ଦାମ୍ପତ୍ୟ ଜୀବନ ବେଶ ଆନନ୍ଦଦାୟକ ଏବଂ ଏକମାତ୍ର ଝିଅ ଓ ସ୍ବାମୀଙ୍କ ସହ ସେ ଏବେ ସୁଖୀ ଜୀବନ ବିତାଉଛନ୍ତି ବୋଲି କାଜଲ କହିଛନ୍ତି। ମୁମ୍ବାଇରେ ୧୯୮୪ ଜୁନ୍‌ ୨୮ରେ ଏକ ହିନ୍ଦୁ ପରିବାରରେ ଜନ୍ମିତା କାଜଲ୍‌ ଶିକ୍ଷାରେ ସ୍ନାତକ ଡିଗ୍ରି ସାରିଛନ୍ତି। ପିଲାଦିନରୁ ଗ୍ଲାମର ଜଗତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା ଏବଂ ସେ ଆଶା ପୂରଣ ହୋଇଥିଲା ୨୦୦୭ରେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ‘କୁଛ୍‌ ଇସ୍‌ ତରହ’ ମାଧ୍ୟମରେ। ସେହିବର୍ଷ ମଧ୍ୟ ତାଙ୍କର ବଲିଉଡ୍‌କୁ ପ୍ରଥମ ପ୍ରବେଶ ହୋଇଥିଲା ହିନ୍ଦୀ ସିନେମା ‘ଥୋଡ଼ା ପ୍ୟାର୍‌ ଥୋଡ଼ା ମ୍ୟାଜିକ୍‌’ ଜରିଆରେ।

ସେ ‘ସାବଧାନ ଇଣ୍ଡିଆ’, ‘ସିଆଇଡି’ ଓ ‘ଅଦାଲତ’ ଆଦି ଧାରାବାହିକରେ ସାମୟିକ ଭାବେ ଅଭିନୟ କରିଥିଲେ। ୨୦୧୧ରୁ ୨୦୧୪ ଯାଏ ପ୍ରସାରିତ ଧାରାବାହିକ ‘ବଡ଼େ ଅଛେ ଲଗତେ ହେଁ’ରେ ‘ଇଶିକା’ ଚରିତ୍ର ଦ୍ବାରା ସେ ଦର୍ଶକଙ୍କ ମନ ଜିଣିପାରିଥିଲେ। ସେହିପରି ପରବର୍ତ୍ତୀ ଧାରାବାହିକ ‘ଏକ ହଜାରୋଁ ମେଁ ମେରି ବେହନା ହୈ’ରେ ରିୟା ଭୂମିକା ଓ ‘ଏକ ମୁଠି ଆସମାନ’ ଧାରାବାହିକରେ ମାୟା ଭୂମିକା ଦ୍ବାରା ମଧ୍ୟ ସେ ଦର୍ଶକଙ୍କୁ ପ୍ରଭାବିତ କରିପାରିଥିଲେ। ୨୦୧୫ରେ ସେ ଧାରାବାହିକ ‘ସାଥ ନିଭାନା ସାଥିୟା’ରେ ଏକ ନକାରାତ୍ମକ ଚରିତ୍ରରେ ନିଜର ଅଭିନୟ ଦକ୍ଷତା ପରଖିଥିଲେ। ତାହା ହିଁ ତାଙ୍କୁ ସ୍ବତନ୍ତ୍ର ପରିଚିତି ଦେଇଥିଲା। ଏଥି ସହିତ କଲର୍ସ ଟିଭିର ‘ସାବିତ୍ରୀ ଦେବୀ କଲେଜ ଆଣ୍ଡ୍‌ ହସ୍ପିଟାଲ’, ‘ଉଡ଼ାନ’ ଓ ‘ନାଗିନ୍‌-୫’ ଆଦି ପରବର୍ତ୍ତୀ ଧାରାବାହିକଗୁଡ଼ିକରେ କାଜଲଙ୍କ ଭିନ୍ନ ଭିନ୍ନ ଅବତାର ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲା। ନିଜର ଦର୍ଶକ ପରିସର ବଢ଼ାଇବା ଲାଗି ୨୦୧୭ରେ ସେ ୱେବ୍‌ ଧାରାବାହିକ ‘ଗେହେରାଇୟାଁ’ରେ ଅଭିନୟ କରିବା ସହ ତହିଁ ପରବର୍ଷ ଗୁଜରାଟୀ ଫିଲ୍ମ ‘ମିଜାଜ୍‌’ରେ ମଧ୍ୟ ପ୍ରଥମ ପଦାର୍ପଣ କରିଥିଲେ। ଗତବର୍ଷ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ‘ସିର୍ଫ ତୁମ୍‌’ରେ ତାଙ୍କ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ଏବେ ପ୍ରସାରଣ ଜାରି ରହିଥିବା ଧାରାବାହିକ ‘ଶଶୁରାଲ ସିମର କା-୨’ରେ ମଧ୍ୟ ସାମିଲ ହୋଇ କାଜଲ ନିଜର ଅଧ୍ୟବସାୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *