ବିଶେଷ

ଭରତଙ୍କ ପକ୍ଷୀ ପ୍ରେମକୁ ନେଇ ଚର୍ଚ୍ଚା


ନିମାପଡ଼ା : ପକ୍ଷୀ ମାନଙ୍କ ପ୍ରେମରେ ମତୁଆଲା ଭରତ ପ୍ରଧାନ । ଭରତଙ୍କ ହାତରୁ ଖାଇବା ପାଇଁ ବର୍ଷ ବର୍ଷ ହେଲା ପ୍ରତିଦିନ ସକାଳୁ ତାଙ୍କ ଘର ଉପରେ ହଜାର ହଜାର ସଂଖ୍ୟାରେ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ଭିଡ଼ର ଦୃଶ୍ୟ ପକ୍ଷୀ ସୁରକ୍ଷାର ବାର୍ତ୍ତା ପ୍ରଦାନ କରୁଛି । ନିଜ ନିଜ ବସାରୁ ବାହାରି ଭୋର ଭୋର ରୁ ହଜାର ହଜାର ପକ୍ଷୀ ପହଞ୍ଚୁଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଷୋଲପାଟିଆ ଗାଁର ଭରତ ଙ୍କ ଘରେ। ଭରତ ପ୍ରଧାନଜଣେ ରାଜମିସ୍ତ୍ରୀ। ପର ଘରେ କାମ କରି ନିଜ ପତ୍ନୀ ଓ ଏକମାତ୍ର ପୁଅକୁ ନେଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ୧୦ ବର୍ଷ ହେଲା ଏହି ଭଳି ହଜାର ହଜାର ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଭୋର ହେଲେ ଏହି ପକ୍ଷୀ ମାନଙ୍କ ଆତିଥେୟତା ପାଇଁ ପରିବାର ସମସ୍ତେ ଉଠିପଡନ୍ତି । ପକ୍ଷୀ ମାନଙ୍କ ଖାଇବା ପାଇଁ ଭରତ ଦୈନିକ ନିଜ ଘର ଆଜବେଷ୍ଟେସ ଉପରେ ୮ରୁ ୧୦ କିଲୋ ଚାଉଳ ଓ ବିସ୍କୁଟ ପକାଇଥାନ୍ତି । ଖାଦ୍ୟ ପଡିବାର କିଛି ସମୟ ମଧ୍ୟରେ ହଜାର ହଜାର ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ଉଡି ଆସି ତାଙ୍କ ଆଜବେଷ୍ଟେସ ଉପରେ ଭିଡ଼ ଜମାଇଥାନ୍ତି ଆଉ ଖାଦ୍ୟ ଖାଇଥାନ୍ତି। ଭରତ କେବଳ ପକ୍ଷୀ ମାନଙ୍କୁ ଭଲ ପାଆନ୍ତିନି ସେ ସମସ୍ତଙ୍କୁ ପରିବେଶ ଓ ପଶୁପକ୍ଷୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଥାନ୍ତି । ପକ୍ଷୀମାନଙ୍କ ଏକାଠି ଖାଦ୍ୟ ଖାଇବା ନିଆରା ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ଭରତଙ୍କ ଘର ନିକଟରେ ପିଲାଠାରୁ ବୁଢା ସମସ୍ତଙ୍କ ଭିଡ଼ ଜମିଥାଏ । ଭରତଙ୍କ ଏହି କାର୍ଯ୍ୟ କୁ ଗାଁ ଲୋକେ ପ୍ରଶଂସା କରୁଥିବାବେଳେ ତାଙ୍କ ଘର ଏବେ ସମସ୍ତଙ୍କ ପାଇଁ ଆକର୍ଷଣ କେନ୍ଦ୍ର ହୋଇଛି । ଭରତ ଙ୍କ ପକ୍ଷୀ ପ୍ରେମ ଏବେ ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *