ଅପରାଧ

ମା’ଙ୍କୁ ପୋଡ଼ି ମାରିଦେଲେ ପୁଅ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଥାନା ଅଧୀନ ଖଜୁରିସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ନିଜ ମା’ଙ୍କୁ ହତ୍ୟା କରି ଘରେ ପୋଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତବକ, ଖଜୁରିସାହିର ସ୍ବର୍ଗତ ଫିଲିପ ନାୟକଙ୍କ ପୁଅ ସମୀର ନାୟକ(୪୯) କିଛିଦିନ ହେଲା ଜେଲରୁ ଘରକୁ ଫେରିଥିଲେ। ହେଲେ ଶନିବାର ବିଳମ୍ବିତ ରାତିରେ ସମୀର ନିଜ ମା’ ମଞ୍ଜୁଳା ନାୟକ(୯୫)ଙ୍କୁ ହତ୍ୟା କରି ଘରେ ଥିବା ଆସବାବ ପତ୍ର ଏବଂ ଜାଳେଣି କାଠରେ ମୃତଦେହ ପୋଡ଼ି ଦେଇଥିଲେ। ପରେ ଆଖପାଖ ଘର ଉପରକୁ ପଥର ମାଡ଼ କରିବା ସହ ଗାଡ଼ି ଭାଙ୍ଗାରୁଜା କରିଥିଲା। ରବିବାର ସକାଳେ ଗାଁ ଲୋକ ସମୀରକୁ ଧରି ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଟିକାବାଲି ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମୀରକୁ ଥାନାକୁ ନେଇଥିଲା। ଘୁ. ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି ଏବଂ ଟିକାବାଲି ଥାନା ଅଧିକାରୀ କଲ୍ୟାଣିମୟୀ ଷାଣ୍ଢ ଏବଂ ସେକେଣ୍ଡ ଅଫିସର ସଞ୍ଜୟ କୁମାର ସ୍ବାଇଁଙ୍କ ସମେତ ସାଇଣ୍ଟିଫିକ ଟିମ୍‌ ଏବଂ ଟିକାବାଲି ଅଗ୍ନିଶମ ବାହିନୀ ଘଟଣାର ତଦନ୍ତ କରିଥିଲେ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି

Leave a Reply

Your email address will not be published. Required fields are marked *