ଖେଳ

ଏସୀୟ କ୍ରୀଡାରେ ଭାରତ ପାଇଁ ସ୍ବର୍ଣ୍ଣିମ ଦିନ, ଗୋଟିଏ ଦିନରେ ଜିତିଲା ୧୫ ପଦକ

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଆଜିର ଦିନଟି (ରବିବାର) ବେଶ ଐତିହାସିକ ସାବ୍ୟସ୍ତ ହୋଇଛି । ଆଜି ଗୋଟିଏ ଦିନରେ ହିଁ  ଭାରତ ୧୫ଟି ପଦକ ଜିତିଛି। ଫଳରେ ଭାରତୀୟ ଖେଳାଳିମାନେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। କାରଣ ଏସୀୟ କ୍ରୀଡ଼ା ଇତିହାସରେ ଭାରତୀୟ ଖେଳାଳିମାନେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୫ଟି ପଦକ ଜିତିଛନ୍ତି। ପୂର୍ବରୁ ୨୦୧୦ ଏସୀୟ କ୍ରୀଡ଼ାରେ ଭାରତ ୧୪ତମ ଦିନରେ ୧୧ଟି ପଦକ ଜିତିଥିବା ବେଳେ ଏବେ ଏହି ରେକର୍ଡ ଭାଙ୍ଗିଯାଇଛି ।

ଏସିଆନ୍ ଗେମ୍ସର ଅଷ୍ଟମ ଦିନରେ ଭାରତ ୧୦ଟି ପଦକ ଜିତିଛି। ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ନବମ ଦିନରେ ଭାରତ ୧୦ଟି ପଦକ ଜିତିଥିଲା।  କିନ୍ତୁ ଆଜି ଭାରତ ତା’ର ପୁରୁଣା ରେକର୍ଡକୁ ପଛରେ ପକାଇଦେଇଛି। ଏସୀୟ କ୍ରୀଡ଼ା ୨୦୨୩ର ଅଷ୍ଟମ ଦିନରେ ଭାରତ ୧୫ଟି ପଦକ ଜିତିଛି। ଆଜିର ପଦକକୁ ମିଶାଇ ଚଳିତ ଏସୀୟ କ୍ରୀଡ଼ା ୨୦୨୩ରେ ଭାରତ ଏପର୍ଯ୍ୟନ୍ତ ୧୩ଟି ସ୍ୱର୍ଣ୍ଣ ପଦକ ଜିତିସାରିଲାଣି। ଏହା ସହିତ ଭାରତୀୟ ଖେଳାଳିମାନେ ୨୧ଟି ରୌପ୍ୟ ପଦକ ଓ ୧୯ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଫଳରେ ଭାରତ ମୋଟ ୫୩ଟି ପଦକ ଜିତି ୪ର୍ଥ ସ୍ଥାନରେ ରହିଛି ।

ଚୀନ ୧୩୧ ସ୍ବର୍ଣ୍ଣ ସହ ମୋଟ ୨୪୩ଟି ପଦକ ଜିତି ପ୍ରଥମ ସ୍ଥାନରେ ଥିବାବେଳେ ୨ୟ ସ୍ଥାନରେ ରହିଛି ଦକ୍ଷିଣ କୋରିଆ (୩୦ ସ୍ବର୍ଣ୍ଣ, ମୋଟ ୧୨୪ ପଦକ) ଓ ୩ୟ ସ୍ଥାନରେ ଜାପାନ (୨୯ ସ୍ବର୍ଣ୍ଣ, ମୋଟ ୧୧୨ ପଦକ)  ରହିଛନ୍ତି ।

Leave a Reply

Your email address will not be published. Required fields are marked *