ଦେଶ- ବିଦେଶ

ଦେଶରୁ ସଫା ହୋଇଯିବେ ନକ୍ସଲ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ଦେଶରୁ ନକ୍ସଲବାଦ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯିବ । ଅର୍ଥାତ ଦୁଇ ବର୍ଷ ମଧ୍ୟରେ ସମସ୍ତ ନକ୍ସଲ ସଫା ହୋଇଯିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଆଜି ଦୃଢୋକ୍ତି ପ୍ରକାଶ କରିଛନ୍ତି | ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ ମସିହାରେ ଗତ ଚାରି ଦଶନ୍ଧି ମଧ୍ୟରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସର୍ବନିମ୍ନ ହିଂସା ଏବଂ ମୃତ୍ୟୁ ଘଟିଛି। ସେ କହିଛନ୍ତି, “ନକ୍ସଲବାଦ ହେଉଛି ସମାଜ ପାଇଁ ଅଭିଶାପ ଏବଂ ଆମେ ଏହାର ସମସ୍ତ ରୂପରେ ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତିବଦ୍ଧ। ମିଳିଥିବା ସୂଚନା ମୁତାବକ ୨୦୧୦ ତୁଳନାରେ ୨୦୨୨ ମସିହାରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକରେ ହିଂସା ଘଟଣା ୭୭% ହ୍ରାସ ପାଇଛି। ସମୀକ୍ଷା ବୈଠକରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଭାଗ ନେଇଥିଲେ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।ଓଡିଶା, ବିହାର, ମଧ୍ୟପ୍ରଦେଶ ଏବଂ ଛତିଶଗଡର ପ୍ରତିନିଧିତ୍ବ ରାଜ୍ୟ ମନ୍ତ୍ରୀମାନେ କରିଥିଲେ। ଉଲ୍ଲେଖ ଥାଉ କି କେନ୍ଦ୍ର ସରକାର ୨୦୧୫ରେ ନକ୍ସଲ ସମସ୍ୟାକୁ ଦେଖି ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଥିଲେ। ଏହି ନୀତିରେ ସୁରକ୍ଷା ବ୍ୟବସ୍ଥା, ବିକାଶ, ସ୍ଥାନୀୟ ସମ୍ପ୍ରଦାୟର ଅଧିକାର ଭଳି କାର୍ଯ୍ୟ କରାଯାଇଛି। ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଏହି ନୀତିର ଦୃଢ କାର୍ଯ୍ୟାନ୍ୱୟନ ଯୋଗୁଁ ସମଗ୍ର ଦେଶରେ ବାମପନ୍ଥୀ ହିଂସାକୁ କ୍ରମାଗତ ଭାବେ ହ୍ରାସ କରିଛି। ୨୦୧୦ ମସିହା ତୁଳନାରେ ୨୦୨୨ ମସିହାରେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ୯୦ ପ୍ରତିଶତ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ତଥ୍ୟ ଅନୁଯାୟୀ, ୨୦୦୪ ରୁ ୨୦୧୪ ମଧ୍ୟରେ ୧୭,୬୭୯ଟି ଘଟଣା ଘଟିଥିଲା ​​ଏବଂ ୬,୯୮୪ଜଣଙ୍କର ମୃତ୍ୟୁ ଘଟିଥିଲା। ଅପରପକ୍ଷେ, ତଥ୍ୟ ଦର୍ଶାଉଛି ଯେ ୨୦୧୪ ରୁ ୨୦୨୩ (୧୫ଜୁନ ସୁଦ୍ଧା) ୭୬୪୯ଟି ନକ୍ସଲ ଆକ୍ରମଣ ହୋଇଥିବାବେଳେ ୨୦୨୦ଜଣଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *