ଖେଳ

ବିଶ୍ବକପ୍ : ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଲା ଭାରତ

ଚେନ୍ନାଇ : ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ବିକେଟରେ ଏକ ଲଢୁଆ ବିଜୟ ସହ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଆରମ୍ଭରୁ ମାତ୍ର ୨ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବା ଭାରତ ପାଇଁ ପୁଣି ଥରେ ସଂକଟମୋଚକ ସାଜିଥିଲେ ବିରାଟ କୋହଲି । ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିରୋଧରେ ସେ ଓ କେଏଲ ରାହୁଲଙ୍କ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ସ୍ମରଣୀୟ ବିଜୟ ଆଣି ଦେଇଥିଲେ । ବିରାଟ ୮୫ ଓ ରାହୁଲ ଅପରାଜିତ ୯୭ ରନ କରିଥିଲେ । କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଏପରିକି କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ଛୁଇଁପାରିନଥିଲେ । କେବଳ ଷ୍ଟିଭେନ ସ୍ମିଥ ସର୍ବାଧିକ ୪୬ ରନ ଓ ଡେଭିଡ୍ ଓ୍ବାର୍ନର ୪୧ରନ କରିଥିଲେ ।ମିଚେଲ ଷ୍ଟାର୍କ ୨୮ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ଓ ପାଟ୍ କମିନ୍ସ ୧୫ ରନ ଲେଖାଏଁ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ କୂଳଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।  ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *