ମୁଖ୍ୟ ଖବର

ପୁଣି ମନୀଷ ସିସୋଦିଆଙ୍କୁ ‘ସବିଆଇ’ର ସମନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ପୁଣି ଥରେ ସମନ୍‌ କରିଥିବା କଥା ଆଜି ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ରବିବାର ଦିନ ‘ସିବିଆଇ’ର ମୁଖ୍ୟାଳୟରେ ତାଙ୍କୁ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଛି।

ମନୀଷ କହିଛନ୍ତି ଯେ, ଅବକାରୀ ଦୁର୍ନୀତି ମାମଲାରେ ସେ ସବୁବେଳେ ସହଯୋଗ କରି ଆସିଛନ୍ତି ଓ କରିବେ ମଧ୍ୟ।

ହିନ୍ଦୀ ଭାଷାରେ ‘ଟୁଇଟ୍‌’ କରି କହିଛନ୍ତି, ‘ସିବିଆଇ’ କାଲି ପୁଣି ଡକାଇଛି। ମୋ ବିରୋଧରେ ସେମାନେ ‘ସିବିଆଇ’, ‘ଇଡି’ର ସମସ୍ତ ଶକ୍ତି ଲଗାଇଛନ୍ତି। ଘରେ ଚଢ଼ଉ, ବ୍ୟାଙ୍କ୍‌ ଲକର୍‌ ତଲାସୀ କରି ମଧ୍ୟ କିଛି ପାଇଲେ ନାହିଁ।

ମୁଁ ଦିଲ୍ଲୀ ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା କରିଛି। ସେମାନେ ବାଧା ଦେବାକୁ ଚାହାନ୍ତି। ମୁଁ ସଦାସର୍ବଦା ତଦନ୍ତରେ ସହଯୋଗ କରି ଆସିଛି ଓ କରିବି ମଧ୍ୟ।

ସୂଚନାଯୋଗ୍ୟ, ପ୍ରାୟ ତିନି ମାସ ପୂର୍ବେ ‘ସିବିଆଇ’ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ କରିଥିଲା। କିନ୍ତୁ, ଏହି ଚାର୍ଜସିଟ୍‌ରେ ନାମ ନ ଥିଲେ ବି ରବିବାର ଦିନ ଜେରା ପାଇଁ ସିସୋଦିଆଙ୍କୁ ସମନ୍‌ ପଠାଯାଇଛି।

ଏହି ଚାର୍ଜସିଟ୍‌ରେ ନାମ ଥିବା ୭ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଗିରଫ ହୋଇଥିବା ବ୍ୟବସାୟୀ ବିଜୟ ନାୟର ଏବଂ ଅଭିଷେକ ବୋଇନ୍‌ପାଲ୍ଲୀ।

ମଦ ବ୍ୟବସାୟୀମାନଙ୍କୁ ଲାଇସେନ୍‌ସ୍‌ ମଞ୍ଜୁର କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଦିଲ୍ଲୀ ସରକାରଙ୍କ ମଦ ନୀତି କେତେକ ନିର୍ଦ୍ଦିଷ୍ଟ ଡିଲର୍‌ମାନଙ୍କୁ ଉପକୃତ କରିଥିଲା। ସେମାନେ ସେଥିପାଇଁ ଲାଞ୍ଚ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ, ‘ଆପ୍‌’ ଏହାକୁ ତୀବ୍ର ବିରୋଧ କରିବା ସହିତ ଅସ୍ବୀକାର କରିଛି।

Leave a Reply

Your email address will not be published. Required fields are marked *