ମନୋରଞ୍ଜନ

ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ

ଭୁବନେଶ୍ବର: ଅକାଳରେ ଚାଲିଗଲେ ପିଣ୍ଟୁ ନନ୍ଦ। ଅଭିନୟର ବିଭିନ୍ନ ରଙ୍ଗ ପରଶି ଓଡ଼ିଆ ଦର୍ଶକଙ୍କ ମନମୋହୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରେ ସମାପ୍ତ ହୋଇଛି। ଜୀବନ ନାଟକରେ ଯବନିକା ପଡ଼ିଛି ତାଙ୍କ ଭୂମିକାର। କିଛି ମାସ ହେବ ଲିଭର ସିରୋସିସ୍ ଭଳି ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ୁଥିବା ପିଣ୍ଟୁ, ଶେଷରେ ହାରି ଯାଇଛନ୍ତି। ମାତ୍ର ୪୫ ବର୍ଷ ବୟସରେଏକ ବହୁବର୍ଣ୍ଣା କଳାକାର ଜୀବନର ଅବସାନ ଘଟିଛି। ତାଙ୍କୁ ବଞ୍ଚାଇବା ଲାଗି ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ପ୍ରଶଂସକମାନଙ୍କ  ନିଷ୍ଠାପର ଉଦ୍ୟମ ଫଳବତୀ ହୋଇପାରିନାହିଁ।

ଯଦିଓ ଅଭିନେତା ପିଣ୍ଟୁ ନନ୍ଦଙ୍କର ପାର୍ଥିବ ଜୀବନ ଶେଷ ହୋଇଛି, ମାତ୍ର ତାଙ୍କ ଅଭିନୀତ ଆଲବମ୍ ଗୀତ, ଧାରାବାହିକ ଓ ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ ଦର୍ଶକଙ୍କ ହୃଦୟରେ ସଦା ବିରାଜମାନ କରିବେ। ୧୯୯୬ ମସିହାରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରଥିଲେ ପିଣ୍ଟୁ ନନ୍ଦ। ପରଦାରେ ସେ ପ୍ରାୟତଃ ହାସ୍ୟାଭିନେତା ଭୂମିକାରେ ହସ ଏବଂ ଖଳନାୟକ ଭୂମିକାରେ ରାଗ ବାଣ୍ଟୁଥିବା ଜଣେ ପରିଚିତ କଳାକାର।ପିଣ୍ଟୁ ନନ୍ଦ ବହୁ ଚଳଚ୍ଚିତ୍ର, ଆଲବମ୍‌ ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସିନେ- ଦୁନିଆରେ ପ୍ରବେଶ କରିଥିବା ପିଣ୍ଟୁ ନନ୍ଦ ପ୍ରଥମେ ‘କୋଇଲି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ବ୍ୟାସକବି ଫକୀର ମୋହନଙ୍କ ଗଳ୍ପ ‘ରାଣ୍ଡି ପୁଅ ଅନନ୍ତା’ରେ ପିଣ୍ଟୁଙ୍କ ଅଭିନୟ ହଜାର ହଜାର ଦର୍ଶକଙ୍କୁ ଭାବବିହ୍ବଳିତ କରିଥିଲା। ପରେ ‘ରଙ୍ଗ୍ ନମ୍ବର’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ପ୍ରେମଋତୁ ଆସିଲାରେ’, ‘ଦୋସ୍ତି’, ‘ହାତ ଧରି ଚାଲୁଥା’, ‘ରୁମ୍‌କୁ ଝୁମାନା’, ‘କଥା ଦେଲି ମଥା ଛୁଇଁ’  ପରି ୪୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।

ତାଙ୍କ ଅଭିନୟ ଜୀବନର ସବୁଠୁ ସ୍ମରଣୀୟ ଭୂମିକା ଥିଲା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’। ଏହି ପୌରାଣିକ ଚଳଚ୍ଚିତ୍ରଟି ଓଡ଼ିଆ ସମେତ ବିବିଧ ଆଞ୍ଚଳିକ ଭାଷାରେ ସାରା ଭାରତରେ ମୁକ୍ତିଲାଭ କରି ବେଶ୍ ଦର୍ଶକାଦୃତ ହେଇଥିଲା। ଏଥିରେ ଶ୍ରୀତମ ଦାସ ଜଗନ୍ନାଥ, ଜ୍ୟୋତି ମିଶ୍ର ମହାଲକ୍ଷ୍ମୀ ଭୂମିକାରେ ଥିବାବେଳେ ବଳରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ ପିଣ୍ଟୁ ନନ୍ଦ। ଓଡ଼ିଆ ଆଲ୍‌ବମ୍ ‘ଏ ଗୌରା ଆଜିକାଲି କ’ଣ ଖାଉଚୁ’ରେ ଅଭିନୟ କରି ସେ ବହୁ ଦର୍ଶକଙ୍କୁ ମନୋରଂଜନ ଦେଇଥିଲେ। ଗତ କିଛିଦିନ ହେବ କିଛି ଚଳଚ୍ଚିତ୍ରରେ ବାପା ଚରିତ୍ର ପାଇଁ ପିଣ୍ଟୁ ନନ୍ଦଙ୍କୁ ଖୋଜା ପଡ଼ୁଥିଲା। ଏହା ବ୍ୟତୀତ ଅବସର ସମୟରେ ଅନାଥ ଲୋକମାନଙ୍କ ସେବା କରୁଥିଲେ।

ହସ ଓ ରାଗ ବାଣ୍ଟି ଆସୁଥିବା ପିଣ୍ଟୁଙ୍କୁ ଲିଭର ସିରୋସିସ୍‌ ଓଡ଼ିଆ ଦର୍ଶକଙ୍କ ନିକଟରୁ ଅଫେରା ରାଇଜକୁ ଟାଣି ନେଇଛି।ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ବୁଧବାର ରାତି ୧୧.୨୫ ମିନିଟରେ ଆର ପାରିକୁ ଚାଲିଯାଇଛନ୍ତି ସେ। ତାଙ୍କର ଅକାଳ ବିୟୋଗ ବହୁ କଳାକାର ଓ ଦର୍ଶକଙ୍କୁ ଗଭୀର ମର୍ମାହତ କରିଛି

Leave a Reply

Your email address will not be published. Required fields are marked *