ଅପରାଧ

ସାମ୍ବାଦିକା ସୌମ୍ୟା ହତ୍ୟା ମାମଲାରେ ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍ ହତ୍ୟା ମାମଲାରେ ଆଜି (ବୁଧବାର) ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀର ଏକ ଅଦାଲତ ଅଭିଯୁକ୍ତମାନଙ୍କୁ ଲୁଟ୍‌ ଏବଂ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (ମକୋକା) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲ୍ଲିକ ଓ ଅକ୍ଷୟ କୁମାରଙ୍କୁ ହତ୍ୟା ଓ ଲୁଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି।

ଜାତୀୟ ଗଣମାଧ୍ୟମ ‘ହେଡଲାଇନ୍‌ସ ଟୁଡେ’ର ୨୫ ବର୍ଷୀୟା ସାମ୍ବାଦିକା ସୌମ୍ୟା ୨୦୦୮ ସେପ୍ଟେମ୍ବର ୩୦ ତାରିଖରେ କାମସାରି ଘରକୁ ଫେରୁଥିବା ବେଳେ ଦିଲ୍ଲୀର ବସନ୍ତ ବିହାରରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ତାଙ୍କ କାର୍‌ ଭିତରୁ ମିଳିଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ରାୟ ପ୍ରକାଶ ପାଇବା ପରେ ସୌମ୍ୟାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି, ‘ଆମେ ଆମ ଝିଅକୁ ହରାଇଛୁ, କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିବ।’ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ଚାହୁଛି ବୋଲି ସେ କହିଛନ୍ତି।

ସୌମ୍ୟାଙ୍କ ହତ୍ୟା ଘଟଣାର କିଛି ମାସ ପରେ ଫରିଦାବାଦରେ ମିଳିଥିବା ଆଇଟି କାର୍ଯ୍ୟନିର୍ବାହୀ ଜିଗିଷା ଘୋଷଙ୍କ ହତ୍ୟାକାଣ୍ଡର ତଦନ୍ତ ଚାଲିଥିବା ବେଳେ ପୁଲିସକୁ ଏହି ମାମଲାରେ ପ୍ରଥମ ସଫଳତା ମିଳିଛି।

ଆଇଟି କାର୍ଯ୍ୟନିର୍ବାହୀଙ୍କ ମୃତ୍ୟୁ ମାମଲାରେ କପୁର, ଶୁକ୍ଳା ଏବଂ ମଲିକଙ୍କୁ ଗିରଫ କରାଯାଇଥିଲା ପଚରାଉଚରା ବେଳେ ବସନ୍ତ ବିହାର ହତ୍ୟାକାଣ୍ଡରେ ସେମାନଙ୍କ ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ସେମାନଙ୍କ ବିରୋଧରେ ହତ୍ୟା, ପ୍ରମାଣ ନଷ୍ଟ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ମକୋକା ଆଇନ ମଧ୍ୟ ଲଗାଯାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ଏଚ୍‌ ଜିଏସ୍‌ ଧାଲିୱାଲ କହିଛନ୍ତି।

Leave a Reply

Your email address will not be published. Required fields are marked *