ଅପରାଧ

ଦୁର୍ଗାପୂଜା ମଣ୍ଡପରେ ୧୫ ମିନିଟରେ ୪ ମହିଳାଙ୍କ ଠାରୁ ସୁନା ଚେନ୍‌ ଲୁଟ୍‌

ଭୁବନେଶ୍ବର: ଦଶହରା ପାଇଁ ପୂରା ରାଜଧାନୀ ଭୁବନେଶ୍ୱରରେ ଉତ୍ସବ ମୁଖର ହୋଇଛି। ଭୁ‌ବନେଶ୍ବରର ୨ଟି ପ୍ରମୁଖ ରାସ୍ତାରେ ଲୋକଙ୍କର ଅଧିକାଂଶ ଭିଡ଼ ରହୁଛି। ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଠାରୁ ଆରମ୍ଭ କରି ପଳାଶୁଣୀ ପର୍ଯ୍ୟନ୍ତ ଏବଂ ରସୁଲଗଡ଼ ଠାରୁ କଳ୍ପନା ଛକ ଯାଏଁ ଦୁର୍ଗାପୂଜା ମାହୋଲ ଦେଖିବାକୁ ମିଳୁଛି। ଏହି ରାସ୍ତାଗୁଡ଼ିକରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ରହୁଛି। ତେବେ ଭିଡକୁ ଟାର୍ଗେଟ କରୁଛନ୍ତି ଲୁଟେରା। ଆଜି ବମିଖାଲ ଦୁର୍ଗା ମଣ୍ଡପରୁ ମାତ୍ର ୧୫ ମିନିଟ୍ ମଧ୍ୟରେ ୪ ଜଣ ମହିଳାଙ୍କ ଠାରୁ ଦୁର୍ବୃତ୍ତମାନେ ସୁନା ଚେନ୍ ଲୁଟିଥିବା ଅଭିଯୋଗ ହୋଇଛି।

ମା’ ଦୁର୍ଗାଙ୍କ ପବିତ୍ର ମହାଷ୍ଟମୀ ଅବସରରେ ଭୁବନେଶ୍ୱରର ଅନ୍ୟାନ୍ୟ ମଣ୍ଡପ ଭଳି ବମିଖାଲରେ ମଧ୍ୟ ସକାଳ ୮ଟାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗୁଛି। ଆଉ ଭିଡ଼ରୁ ଫାଇଦା ଉଠାଇଛନ୍ତି ଲୁଟେରା। ପୁଲିସର ଉପସ୍ଥିତି ଓ ସିସିଟିଭି କ୍ୟାମେରାକୁ ଡରିଯାଇ ନାହାନ୍ତି ଲୁଟେରା। ବମିଖାଲ ମଣ୍ଡପରେ ସକାଳ ୧୦ଟା ୧୫ରୁ ୧୦ଟା ୩୦ ମଧ୍ୟରେ ୪ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଜଣେ ମହିଳା ଲୁଟେରା ଗ୍ୟାଙ୍ଗ ଏହି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି। ପୂଜା ମଣ୍ଡପ ନିକଟରେ ବୁଲାବୁଲି କରୁଥିବା କିଛି ମହିଳାଙ୍କ ଉପରେ କିଛି ଶ୍ରଦ୍ଧାଳୁ ସନ୍ଦେହ କରିଛନ୍ତି।

ଘଟଣା ସଂପର୍କରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଛାନଭିନ ଆରମ୍ଭ କରିଛି। ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ମହିଳା ପୁଲିସ୍‌ଙ୍କ ଅନୁପସ୍ଥିତି ଯୋଗୁ ଏହି ଘଟଣା ଘଟିଥିବା ବମିଖାଲ ପୂଜା କମିଟି ସମ୍ପାଦକ କହିଛନ୍ତି।

Leave a Reply

Your email address will not be published. Required fields are marked *