ମା ଦୁର୍ଗା ଦୁର୍ଗତିନାଶିନୀ
କାଳାଭ୍ରାଭ୍ରାଂ କଟାକ୍ଷେିରରିକୁଳଭୟଦାଂ ମୌଳି ମଧ୍ୟେନ୍ଦୁରେଖାମ୍,
ଶଙ୍ଖମ୍ ଚକ୍ରଂ କୃପାଣମ୍ ତ୍ରିଶିଖମପିକରେିରୁଦ୍ ବହନ୍ତି ତ୍ରିନେତ୍ରାଂ,
ସିଂହସ୍କନ୍ଧାଧିରୂଢାମ୍ ତ୍ରିଭୁବନମଖିଳାଂ ତେଜସାଂ ପୂରୟନ୍ତି,
ଧ୍ୟାୟେତ୍ ଦୁର୍ଗାଂ ଜୟାଖ୍ୟାଂ ତ୍ରିଦଶପରିବୃତାଂ ସେବିତାଂ ସିଦ୍ଧକାମେି।
ମହିଷାସୁର ସହ ଅସଂଖ୍ୟ ଅସୁରଙ୍କୁ ଦେଖି ମା ଭବାନୀ ଶଙ୍ଖ ଧ୍ଵନି କଲେ। ସେହି ଶବ୍ଦରେ ଦୈତ୍ୟମାନେ ଶଙ୍କିତ ହୋଇ ଅଗ୍ରସର ହେବାରୁ ନିବୃତ୍ତ ହେଲେ। କିନ୍ତୁ ମହିଷାସୁର ତାର ସାରଥୀକୁ ଦେବୀଙ୍କ ନିକଟକୁ ରଥ ବାହି ନେବା ପାଇଁ ନିର୍ଦ୍ଦେଶ ଦେଲା। ସେତେବେଳେ ତା ମୁଖରେ କ୍ରୋଧର ଚିହ୍ନ ନ ଥିଲା। ରଥରୁ ଓହ୍ଲାଇ ସେ ବିନା ଅସ୍ତ୍ରରେ ଦେବୀଙ୍କ ନିକଟକୁ ଗଲା। ଅତ୍ୟନ୍ତ ପ୍ରିୟ ବନ୍ଧୁ ଭଳି କୋମଳ କଣ୍ଠରେ ସେ ଜନନୀ ଜଗଦ୍ଧାତ୍ରୀଙ୍କୁ ସମ୍ବୋଧନ କଲା। ତାଙ୍କ ରୂପର ଅନେକ ପ୍ରଶଂସା କଲା। କହିଲା, “ସୁନ୍ଦରୀ, ବିଶାଳାକ୍ଷୀ, କୃଶୋଦରୀ, ରମ୍ଭୋରୁ! ତୁମର ସର୍ବାଙ୍ଗରୁ ସୁନ୍ଦରତା ଝରୁଛି। ଯେ କେହି ପୁରୁଷ ତୁମକୁ ଦେଖି ନିଜର ଅର୍ଦ୍ଧାଙ୍ଗିନୀ କରିବାକୁ ଲାଳାୟିତ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ପ୍ରିୟେ, ଏ ସଂସାରରେ ସୁଖ ଭୋଗ କରିବାର କାମନା କାହାର ନାହିଁ? ତୁମେ ମୋତେ ବିବାହ କର। ତ୍ରିଭୁବନରେ ଏମିତି କିଛି ସୁଖ ନାହିଁ, ଯାହା ତୁମକୁ ମୁଁ ଦେଇ ପାରିବି ନାହିଁ। ମୋର ମହିଷ ସଦୃଶ ରୂପ ପାଇଁ ଚିନ୍ତା କରନାହିଁ। ମୁଁ ଯେତେବେଳେ ଚାହିଁବି, ମୋର ରୂପ ପରିବର୍ତ୍ତନ କରି ପାରିବି, ଯେମିତି ଏବେ ଏହି ରୂପରେ ଆସିଛି। ଜଣେ ନାରୀ ପାଇଁ କଣ ଆବଶ୍ୟକ? ଶୌର୍ଯ୍ୟ, ବୀର୍ଯ୍ୟ, ଚାତୁର୍ଯ୍ୟ କେଉଁଥିରେ ମୁଁ ଊଣା ନୁହେଁ। ତୁମେ ଅକାରଣ ଯୁଦ୍ଧ କରି ମୋର ସୈନ୍ୟ ସେନାପତିଙ୍କୁ ହତ୍ୟା କରୁଛ। ତଥାପି ମୋର ତୁମ ଉପରେ କ୍ରୋଧ ଜାତ ହେଉନାହିଁ। ତୁମ ପରି ବୀରା ରମଣୀକୁ ପଟ୍ଟମହିଷୀ କରି ରଖିବା ପାଇଁ ମୁଁ ସଙ୍କଳ୍ପବଦ୍ଧ। ସ୍ୱେଚ୍ଛାରେ ମୋତେ ବରଣ କର। ନ ହେଲେ ମୁଁ ତୁମକୁ ବଳାତ୍କାର କରି ନେଇଯାଇ ପାରେଁ।
ମା ଅମ୍ବିକା ପ୍ରଥମେ ଖିଲି ଖିଲି କରି ହସିଲେ। ଧୀରେ ଧୀରେ ସେହି ହସ ଅଟ୍ଟହାସ୍ୟରେ ପରିଣତ ହେଲା। ସେ କହିଲେ, “ତୁମେ ଅତ୍ୟନ୍ତ ନିର୍ଲଜ୍ଜ। ତୁମର ସହସ୍ର ସଂଖ୍ୟକ ଯାତୁଧାନଙ୍କୁ ମୁଁ ନିପାତ କଲା ପରେ ମଧ୍ୟ ମୋ ନିକଟରେ ପ୍ରେମ ନିବେଦନ କରୁଛ। ସାକ୍ଷାତ୍ ମୃତ୍ୟୁକୁ ଆଲିଙ୍ଗନ କରିବାକୁ ମନ ବଳାଉଛ। ବଳାତ୍କାର କରିବ ପରା। ବିଳମ୍ବ କାହିଁକି? ଶୁଣ, ତୁମେ ନିରସ୍ତ୍ର ବୋଲି ମୁଁ ତୁମ ଉପରକୁ କୌଣସି ଅସ୍ତ୍ର ପ୍ରୟୋଗ କରୁନାହିଁ। କିନ୍ତୁ ତୁମର ପ୍ରେମ ନିବେଦନ ମୋ ହୃଦୟରେ କ୍ରୋଧାଗ୍ନି ରୋପଣ କରିଛି। ପ୍ରାଣ ଘେନି ପଳାୟନ କର। ନହେଲେ ଅସ୍ତ୍ର ଧରି ଯୁଦ୍ଧ କର।”
ମହିଷାସୁର ହୃଦୟରେ ଆଉ ବାସନାର ଚିହ୍ନ ନ ଥିଲା। ଅତ୍ୟନ୍ତ କ୍ରୁଦ୍ଧ ହୋଇ ସେ ନିଜର ପ୍ରକୃତ ରୂପ ଗ୍ରହଣ କଲା। ବିଶାଳ ମହିଷ ରୂପରେ ସେ ତାର ଶିଙ୍ଗରେ ଦେବୀଙ୍କର ବାହନକୁ ଉଠାଇ ଫୋପାଡି ଦେବାକୁ ଚେଷ୍ଟା କଲା। କିନ୍ତୁ ମାତାଙ୍କର ବାହନ କେଶରୀ ପଞ୍ଝା ମାରି ତାର ଏହି ପ୍ରଚେଷ୍ଟାକୁ ବ୍ୟର୍ଥ କରିଦେଲା। ତାର ଲାଞ୍ଜର ପ୍ରବଳ ଘୂର୍ଣ୍ଣନ ଦ୍ଵାରା ସେ ଦେବୀଙ୍କ ଶରୀରର କେତେକ ସ୍ଥାନରେ କ୍ଷତ ସୃଷ୍ଟି କରିଦେଲା। ଦେବୀ କ୍ରୋଧରେ କୃପାଣ ଧାରଣ କରି ତା ଆଡକୁ ମାଡ଼ିଗଲେ। ଦେବତାମାନେ ଜନନୀଙ୍କର ଭୟଙ୍କର ରୂପ ଦର୍ଶନରେ ଅତ୍ୟନ୍ତ ଉତ୍ସାହିତ ହୋଇ ଦୁନ୍ଦୁଭି ବଜାଇବାରେ ଲାଗିଲେ। ହଠାତ ମହିଷାସୁର ଗୋଟାଏ ସିଂହର ରୂପ ଧାରଣ କରି ଜଗଜ୍ଜନନୀଙ୍କର ବାହନକୁ ଆକ୍ରମଣ କଲା। କିନ୍ତୁ ଦେବୀଙ୍କର କୃପାଣ ଆଘାତରେ ଆହତ ହୋଇ ପଛକୁ ଘୁଞ୍ଚିଗଲା। କ୍ଷଣକୁ କ୍ଷଣ ସେ ନିଜର ରୂପ ବଦଳାଉ ଥାଏ। ପ୍ରତ୍ୟେକ ରୂପରେ ଦେବୀ ତାକୁ ଶରାଘାତରେ ଆହତ କରିଦେଉଥାନ୍ତି। ଅବଶେଷରେ ସେ ରାକ୍ଷସ ପାଲଟି ଅସ୍ତ୍ର ଶସ୍ତ୍ର ଧାରଣ କରି ଯୁଦ୍ଧ କଲା। ସେ କେତେବେଳେ ଦୃଶ୍ୟମାନ ହେଉଥାଏ, ପୁଣି କେତେବେଳେ ଅଦୃଶ୍ୟ ହୋଇ ଯାଉଥାଏ। ତାର ଏହି କପଟ ଯୁଦ୍ଧରେ ଅତିଷ୍ଠ ହୋଇ ଭବାନୀ ଚକ୍ର ପ୍ରୟୋଗ କଲେ। ମହିଷା ଯେଉଁ ଦିଗକୁ ଚାହିଁଲେ ଚକ୍ରର ଘୂର୍ଣ୍ଣନ ଦେଖୁଥିଲା। ତେଣୁ ସେ ଏଥର ସମ୍ମୁଖରେ ରହି ଯୁଦ୍ଧ କରିବାକୁ ବାଧ୍ୟ ହେଲା।
ଧନୁର୍ବିଦ୍ୟାରେ ପାରଙ୍ଗମ ଥିଲା ମହିଷାସୁର। ବହୁ ସମୟ ଧରି ଅସ୍ତ୍ର ପ୍ରତିଅସ୍ତ୍ର ଚାଲିଲା। ଏକ ସମୟରେ ତାର ଧନୁରୁ ନିକ୍ଷିପ୍ତ ଏକ ଶର ଯାଇ ମାତାଙ୍କ ହସ୍ତରେ ବିଦ୍ଧ ହୋଇଗଲା। ଦେବତାମାନଙ୍କ ମୁଖରୁ ଚିତ୍କାର ନିର୍ଗତ ହୋଇଗଲା। କିନ୍ତୁ ସେଥିରେ ବ୍ୟଥିତ ନ ହୋଇ ମା ଅମ୍ବିକା ଅନ୍ୟ ହସ୍ତରେ ଶରଟିକୁ ଟାଣି ବାହାର କରିଦେଲେ ଏବଂ ତ୍ରିଶୂଳ ଉଠାଇ ଆକ୍ରମଣ କଲେ। ବାହନ କେଶରୀ ଲମ୍ପ ପ୍ରଦାନ କରି ମହିଷାସୁରକୁ ଭୂମି ଉପରେ ପକାଇଦେଲା। ଦେବୀ ଦଶଭୂଜା ମହିଷାର ଉଦର ଉପରେ ପାଦ ରଖି ବକ୍ଷ ଉପରେ ସଜୋରେ ତ୍ରିଶୂଳ ବିଦ୍ଧ କଲେ। ଭୟଙ୍କର ଚିତ୍କାର କରି ମହିଷା ଲୋଟି ପଡିଲା। ତାର ପ୍ରାଣପକ୍ଷୀ ଅନନ୍ତ ଆକାଶକୁ ଉଡିଗଲା। ମହିଷାର ମୃତ୍ୟୁରେ ଭୟଭୀତ ହୋଇ ଅନ୍ୟ ରାକ୍ଷସମାନେ ପଳାୟନ କଲେ। ଦେବତାମାନେ ପୁଷ୍ପବୃଷ୍ଟି କଲେ। ଦେବୀ ସମରାଙ୍ଗଣ ତ୍ୟାଗ କରି ଏକ ପବିତ୍ର ସ୍ଥାନରେ ବିରାଜମାନ ହେଲେ। ଦେବ ଯକ୍ଷ ଗନ୍ଧର୍ବ କିନ୍ନର ଆନନ୍ଦରେ ବିଭୋର ହୋଇ ନୃତ୍ୟ କଲେ। ଇନ୍ଦ୍ର ଆଦି ସମସ୍ତ ଦେବତା ଏକତ୍ର ହୋଇ ଜନନୀ ଦୁର୍ଗା ଦୁର୍ଗତିନାଶିନୀଙ୍କ ସମ୍ମୁଖକୁ ଆସି ସ୍ତୁତି କରିବାରେ ଲାଗିଲେ।