ଖେଳ

ଇଂଲଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କଲା ଶ୍ରୀଲଙ୍କା

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡକୁ ୮ ଓ୍ବିକେଟରେ ହରାଇଦେଇଛି ଶ୍ରୀଲଙ୍କା । ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୫୭ ରନ ଲକ୍ଷ୍ୟକୁ ଶ୍ରୀଲଙ୍କା ୨୫.୪ ତମ ଓଭରରେ ୨ଟି ଓ୍ବିକେଟ ହରାଇ ୧୬୦ ରନ କରି ହାସଲ କରିନେଇଥିଲା । ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କା ୭୭ ରନ କରିଥିବାବେଳେ ସଦିରା ସମରବିକ୍ରମା ୬୫ ରନ କରିଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଇଂଲଣ୍ଡର ଏହି ନିଷ୍ପତ୍ତି ଓଲଟା ସାବ୍ୟସ୍ତ ହୋଇଥିଲା । ଏକ ବଡ଼ ସ୍କୋର କରି ଶ୍ରୀଲଙ୍କାକୁ ହରାଇବାକୁ ଲକ୍ଷ୍ୟ ରଖିଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ଦଳ ପକ୍ଷରୁ ବେନ ଷ୍ଟୋକ୍ସ ୪୩ ରନ କରିଥବାବେଳେ ଡାଓ୍ବିଡ୍ ମଲାନ ୨୮ ରନ କରିଥିଲେ । କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଫଳରେ ଦଳ ୩୩.୨ ଓଭରରେ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୩ଟି ଓ୍ବିକେଟ ନେଇଥିବାବେଳେ ଆଞ୍ଜେଲୋ ମାଥ୍ୟୁସ ଓ କାସୁନ ରାଜିଥା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ବିଶ୍ବକପରେ ବର୍ତ୍ତମାନର ବିଶ୍ବ ଚାମ୍ପିଅନ ଇଂଲଣ୍ଡ ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଛି । ଦଳ ଏପର୍ଯ୍ୟନ୍ତ ମୋଟ ୫ଟି ମ୍ୟାଚ ଖେଳି ୪ଟିରେ ପରାଜୟ ବରଣ କରିଛି ।

Leave a Reply

Your email address will not be published. Required fields are marked *