Uncategorized

୩୧ରେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୩୧ ତାରିଖରେ ଶପଥ ଗ୍ରହଣ କରିବେ।  ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସ ଆସନ୍ତା ୨୯ ତାରିଖରେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆସନ୍ତାକାଲି ଓଡ଼ିଶା ଛାଡ଼ିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ‌ାୟକ ତାଙ୍କୁ ରାଜଭବନ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।ନୂଆ ରାଜ୍ୟପାଳ ରଘୁବର ଦାସ ଗତକାଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ଏବଂ ଏହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଥିଲେ। ଝାଡ଼ଖଣ୍ଡର ଜାମସେଦପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଦୁନିଆରେ କେଉଁ କାମ ଅସମ୍ଭବ ନୁହେଁ। ୧୯୮୦ରୁ ଭାରତୀୟ ଜନତା ପାର୍ଟି ଯେଉଁ ଦାୟିତ୍ୱ ଦେଇଛି, ତାକୁ ଅତି ନିଷ୍ଠାର ସହ ସମ୍ପାଦନ କରିଛି। ଓଡ଼ିଶା କିଭଳି ବିକାଶର ନୂଆ ଶିଖର ଛୁଇଁବ ଏବଂ ସରକାରଙ୍କ କିଭଳି ସମନ୍ୱୟ ରଖି କିଭଳି କାମ କରାଯାଇ ପାରିବ, ସେ ଦିଗରେ ଗୁରୁତ୍ୱ ଦେବି।ରଘୁବର ଦାସ ୧୯୫୫ ମସିହା ମେ’ ୩ ତାରିଖରେ ଅବିଭକ୍ତ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ)ର ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ୨୦୧୪ ଡିସେମ୍ବର ୨୮ ତାରିଖରେ ଶପଥ ନେଇଥିଲେ। ଝାଡ଼ଖଣ୍ଡ ବିଜେପିର ସେ ୨ ଥର ସଭାପତି ହୋଇଥିଲେ। ଏହା ପୂର୍ବରୁ ରଘୁବର ଦାସ ଟାଟା ଷ୍ଟିଲର ଜଣେ କର୍ମଚାରୀ ଥିଲେ। ସେ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିଲେ। ଏତଦ୍‌ବ୍ୟତୀତ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଅକ୍ଟୋବର ୧୮ତାରିଖରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା ।

Leave a Reply

Your email address will not be published. Required fields are marked *