ମହାନଗର

ସଙ୍କଟରେ ମାଙ୍କଡିଆ ବିପଦ ସଙ୍କୁଳ ଜନଜାତି

ସାମାଜିକ- ଅର୍ଥନୈତିକ ଅଧ୍ୟୟନ ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ଵର : ଅଦ୍ଵିତୀୟ ଐତିହ୍ୟ, ପାରମ୍ପରିକ ବୃତ୍ତି ଏବଂ ନିଆରା ଜୀବନ ଶୈଳୀ ଦୃଷ୍ଟିରୁ ନିର୍ଦ୍ଧିଷ୍ଟ ବିପଦ ସଙ୍କୁଳ ଜନଜାତି (ପି ଭି ଟି ଜି) ସୂଚୀରେ ସ୍ଥାନିତ ମାଙ୍କଡିଆ ଜନଜାତି ଙ୍କ ସ୍ଥିତି ଏବେ ସଙ୍ଗୀନ। କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନା ସତ୍ତ୍ୱେ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ବିଶେଷ ପରିବର୍ତ୍ତନ ଅଣାଯାଇ ପାରୁନଥିବା ଏକ ଅଧ୍ୟୟନ ବିବରଣୀ ଭାଗିଦାରୀ କର୍ମଶାଳାରୁ ଜଣାଯାଇଛି।
ପୁରୀ ଜନମଙ୍ଗଳ ମହିଳା ସମିତି ଓ ବାରିପଦାସ୍ଥିତ ଗ୍ରାମ ସ୍ଵରାଜ ସଙ୍ଗଠନର ମିଳିତ ପ୍ରୟାସରେ ଶନିବାର ଏଠାରେ ଆୟୋଜିତ ଏକ କର୍ମଶାଳାରେ ମାଙ୍କଡିଆ ଜନଜାତିଙ୍କ ଆୟ, ବାସଗୃହ, ଜୀବିକାର ଉତ୍ସ, ସ୍ବାସ୍ଥ୍ୟ, ଶିକ୍ଷା ଓ ସରକାରୀ ଯୋଜନାର ସହାୟତା ବାବଦରେ ସଂଗୃହିତ ବିଶେଷ ତଥ୍ୟ ଉପସ୍ଥାପିତ କରାଯାଇଥିଲା। ଗବେଷକ ବିମଳ ପ୍ରସାଦ ପାଣ୍ଡିଆ ଅଧ୍ୟୟନ ରିପୋର୍ଟ ଉପସ୍ଥାପିତ କରି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଚତୁପାର୍ଶ୍ଵର ୭ଟି ବ୍ଲକ ଅଞ୍ଚଳର ୮ଟି ଗାଁରେ ଥିବା ଏହି ସଂପ୍ରଦାୟର ୫୪ପ୍ରତିଶତ ଲୋକଙ୍କ ନିକଟରେ ବାସଗୃହର କୌଣସି ମାଲିକାନା ନ ଥିବା ଦର୍ଶାଇଥିଲେ। ସେହିପରି ୩୩ ପ୍ରତିଶତ ପରିବାର ସମ୍ପୂର୍ଣ୍ଣ କଚ୍ଚା ଘରେ କାଳାତିପାତ କରୁଥିବା ବେଳେ ୩୭ ପ୍ରତିଶତ ପରିବାର ସରକାରୀ ଆବାସ ସୁବିଧାରୁ ବଂଚିତ ଥିବା ଏହି ଅଧ୍ୟୟନ ରିପୋର୍ଟରୁ ଜଣାଯାଇଛି। ଜଙ୍ଗଲ ଉପରେ ପାରମ୍ପରିକ ଅଧିକାର ସାବ୍ୟସ୍ତ ହୋଇପାରି ନଥିବାରୁ ଓ ଜଙ୍ଗଲ ସମ୍ବଳ ସରି ସରି ଆସୁଥିବା କାରଣରୁ ଏହି ବିପଦ ସଙ୍କୁଳ ଜନଜାତିଙ୍କ ଜଙ୍ଗଲ ଜୀବିକା ପ୍ରଭାବିତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ସମାଜ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ କର୍ମଶାଳାକୁ ସ୍ଵାଗତ କରିଥିବା ବେଳେ ରଇବାରି ମାଙ୍କଡିଆ ଓ ବିଶରାମ ମାଙ୍କଡିଆ ନିଜ ଜନଜାତିର ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏସସି,ଏସଟି ,ଆର ଟି ଆଇ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରେମାନନ୍ଦ ପଣ୍ଡା, ଗବେଶୀକା ଡକ୍ଟର ବିଶ୍ବ ଭାରତୀ, ତ୍ରିଲୋଚନ ସାହୁ, ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଅରବିନ୍ଦ ବେହେରା ସମାଜ ବିଜ୍ଞାନୀ ତଥା ଅଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ ଅଧ୍ୟୟନର ବିଭିନ୍ନ ଦିଗ ଉପରେ ନିଜସ୍ଵ ମତ ରଖିଥିଲେ। ସମାଜସେବୀ ସୁକାନ୍ତ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ରିପୋର୍ଟ ଆଧାରରେ ବିଭିନ୍ନ ଅଂଶୀଦାର ମାନଙ୍କ ସହ ଯୋଗସୂତ୍ର ରଖାଯାଇ କାର୍ଯ୍ୟକ୍ରମ ନିଆଯିବ ବୋଲି ଆୟୋଜକ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା।


Leave a Reply

Your email address will not be published. Required fields are marked *