ସମ୍ପାଦକୀୟ

ସଙ୍କଟରେ ଭୂତଳ ଜଳ

ଜାତିସଂଘ ଦ୍ବାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ସତର୍କ କରାଇ ଦେଇଛି ଯେ ଭାରତୀୟ-ଗାଙ୍ଗେୟ ଅବବାହିକାରେ ଭୂତଳ ଜଳ ସ୍ତର ହ୍ରାସ ଏକ ଅପୂରଣୀୟ ସ୍ତରକୁ ପହଞ୍ଚିଯାଇଛି। ୟୁନାଇଟେଡ୍ ନେସନ୍‌ସ ୟୁନିଭର୍ସିଟି ଦ୍ବାରା ପ୍ରକାଶିତ ‘ଇଣ୍ଟରକନେକ୍ଟେଡ୍‌ ଡିଜାଷ୍ଟର୍‌ ରିସ୍କସ୍‌ ରିପୋର୍ଟ ୨୦୨୩’ ଅନୁଯାୟୀ ପୃଥିବୀ ଏବେ ଛଅଟି ଚରମ ସ୍ଥିତିର ନିକଟତର ହେବାରେ ଲାଗିଛି। ସେଗୁଡ଼ିକ ହେଲେ- ବିଲୁପ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବା, ଭୂତଳ ଜଳ ଶୁଖିଯିବା, ପାର୍ବତ୍ୟ ଗ୍ଲେସିଅର୍ ତରଳିବା, ମହାକାଶ ଆବର୍ଜନା, ଅସହ୍ୟ ଗରମ ଓ ଅନିଶ୍ଚିତ ଭବିଷ୍ୟତର ବିପଦ।
ପୃଥିବୀରେ ଉତ୍ତୋଳିତ ଭୂତଳ ଜଳର ପାଖାପାଖି ୭୦% କୃଷିକ୍ଷେତ୍ରରେ ବିନିଯୋଗ କରାଯାଇଥାଏ। ଭୂତଳ ଜଳର ବିନିଯୋଗ ଯୋଗୁଁ ୧୯୦୦ ମସିହାର ମାତ୍ର ୬.୩ କୋଟି ହେକ୍ଟର ଚାଷ ଜମିର ଆୟତନରେ ବୃଦ୍ଧି ଘଟି ୨୦୦୫ରେ ତାହା ୩୦.୬ କୋଟି ହେକ୍ଟରରେ ପହଞ୍ଚିଥିଲା। କିନ୍ତୁ ଅତ୍ୟଧିକ ଭୂତଳ ଜଳ ଉତ୍ତୋଳନ ଯୋଗୁଁ ପୃଥିବୀର ଅକ୍ଷ ପ୍ରତି ବର୍ଷ ୪.୩୬ ସେଣ୍ଟିମିଟର୍‌ ଢଳିବାରେ ଲାଗିଛି। ପୃଥିବୀର ଅର୍ଦ୍ଧାଧିକ ଭୂତଳ ଜଳ ଭଣ୍ଡାରରୁ ଯେତିକି ଜଳ ଉତ୍ତୋଳନ କରାଯାଉଛି ପ୍ରାକୃତିକ ଉପାୟରେ ତାହାର ଭରଣା ହୋଇପାରୁନାହିଁ। ତେଣୁ ଭୂତଳ ଜଳ ସ୍ତର ଅପହଞ୍ଚ ହୋଇ କ୍ରମେ ଶସ୍ୟ ଉତ୍ପାଦନ ବିପୁଳ କ୍ଷତି ସହିବା ଅନିବାର୍ଯ୍ୟ। ସାଉଦି ଆରବ ଭଳି ଦେଶ ଏହି ଚରମ ସ୍ତରକୁ ଅତିକ୍ରମ କରି ସାରିଥିବା ବେଳେ ଭାରତ ଭଳି ଦେଶମାନେ ଏହାର ଖୁବ୍ ନିକଟତର ହେବାରେ ଲାଗିଛନ୍ତି।
ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ବିଶ୍ବ ସ୍ତରରେ ଭାରତ ହେଉଛି ଭୂତଳ ଜଳର ସବୁଠାରୁ ବଡ଼ ବ୍ୟବହାରକାରୀ। ଯୁକ୍ତାରାଷ୍ଟ୍ର ଆମେରିକା ଓ ଚୀନ ମିଳିତ ଭାବେ ଯେତିକି ଭୂତଳ ଜଳ ବ୍ୟବହାର କରନ୍ତି, ଭାରତ ଏକାକୀ ତା’ଠାରୁ ଅଧିକ ବ୍ୟବହାର କରିଥାଏ। ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ପଞ୍ଜାବ ଓ ହରିଆଣା ରାଜ୍ୟ ଦେଶର ୫୦% ଚାଉଳ ଓ ୮୫% ଗହମ ଚାହିଦା ପୂରଣ କରିଥାନ୍ତି। ତେବେ ଏଥିପାଇଁ ପଞ୍ଜାବର ୭୮% ଭାଗ କୂଅ ଅତ୍ୟଧିକ ଶୋଷଣ ସହିଥାନ୍ତି। ଏହି କାରଣରୁ ୨୦୨୫ ସୁଦ୍ଧା ସମଗ୍ର ଉତ୍ତର-ପଶ୍ଚିମ ଭାରତରେ ଭୂତଳ ଜଳ ଉପଲବ୍‌ଧତା ଉତ୍କଟ ସ୍ତରରେ ପହଞ୍ଚିଯିବ। ଚରମ ସ୍ତରକୁ ଅତିକ୍ରମ କରିବା ପରେ ପ୍ରତ୍ୟାବର୍ତ୍ତନ ଖୁବ୍ କଷ୍ଟ ହେବ ବୋଲି ଏହି ରିପୋର୍ଟ ଚେତାଇ ଦେଇଛି।

Leave a Reply

Your email address will not be published. Required fields are marked *