ଓଡ଼ିଶାରେ କପା ଚାଷ: ସମ୍ଭାବନା ଏବଂ ଆହ୍ୱାନ
ଭାରତରେ ପୃଥିବୀର ସର୍ବାଧିକ କପା ଉତ୍ପାଦିତ ହୋଇଥାଏ, ଯାହା ହେଉଛି ପୃଥିବୀର ସମୁଦାୟ ଉତ୍ପାଦନର ୨୨ ଭାଗ। ସାରା ପୃଥିବୀର କପା ଚାଷ ହେଉଥିବା କ୍ଷେତ୍ରର ପ୍ରାୟ ୩୭% ଆମ ଦେଶରେ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ। ଚଳିତ ଆର୍ଥିକ ବର୍ଷରେ ଭାରତର ସମଗ୍ର ଉତ୍ପାଦନ ୩୪୦ ଲକ୍ଷ ବେଲ୍ ହେବ ବୋଲି ଆଶା କରାଯାଏ। ଆମ ଦେଶରେ ୬୫% କପା ଗୁଜରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ଉତ୍ପାଦିତ ହୁଏ; ଅଧିକ କପା ଉତ୍ପାଦନ କରୁଥିବା ଦଶଟି ରାଜ୍ୟ ଓ ଉତ୍ପାଦିତ କପାର ପରିମାଣ ଏହିପରି: ଗୁଜରାଟ (୯୨ ଲକ୍ଷ ବେଲ୍), ମହାରାଷ୍ଟ୍ର (୮୦ ଲକ୍ଷ), ତେଲାଙ୍ଗାନା (୫୩ ଲକ୍ଷ), ରାଜସ୍ଥାନ (୨୭ ଲକ୍ଷ), କର୍ଣ୍ଣାଟକ (୨୧ ଲକ୍ଷ), ହରିଆଣା (୧୭ ଲକ୍ଷ), ଆନ୍ଧ୍ର ପ୍ରଦେଶ (୧୮ ଲକ୍ଷ), ମଧ୍ୟ ପ୍ରଦେଶ (୧୫ ଲକ୍ଷ), ପଞ୍ଜାବ (୯ ଲକ୍ଷ) ଓ ଓଡ଼ିଶା (୭ ଲକ୍ଷ)। ହେକ୍ଟର ପିଛା ଉତ୍ପାଦନ ପରମାଣ ଗୁଜରାଟରେ ଅଧିକ- ପ୍ରାୟ ୭୦୦ କିଲୋଗ୍ରାମ ହୋଇଥିବା ବେଳେ ଓଡ଼ିଶାରେ ତାହା ପ୍ରାୟ ୪୯୫ କିଲୋଗ୍ରାମ। ଦେଶର ହାରାହାରି ଉତ୍ପାଦନ ହାର ପ୍ରାୟ ୫୦୦ କିଲୋଗ୍ରାମ୍ ପରିପ୍ରେକ୍ଷୀରେ ଆମ ରାଜ୍ୟର ଉତ୍ପାଦନ ହାର ହୁଏ’ତ ଚିନ୍ତାଜନକ ନୁହେଁ, କିନ୍ତୁ ଏଥିରେ ଅଭିବୃଦ୍ଧି ସମ୍ଭବ।
ଆମ ରାଜ୍ୟର ଢିପ ଜମିରେ ଚାଷ ହେଉଥିବା ସ୍ଥାନୀୟ କିସମର ଧାନ, ସୁଆଁ, ଗୁଲ୍ଜି, ହରଡ଼, ମାଣ୍ଡିଆ ପ୍ରଭୃତି ଅପେକ୍ଷାକୃତ ସ୍ୱଳ୍ପ ଲାଭଜନକ ଶସ୍ୟମାନଙ୍କ ସ୍ଥାନରେ ଅଧିକ ଲାଭପ୍ରଦ କପାର ପ୍ରବେଶ ଉଲ୍ଲେଖନୀୟ। ଆମ ରାଜ୍ୟର କୃଷିରେ ଏହା ଏକ ନିରବ ବିପ୍ଳବ ଭାବରେ ସ୍ବୀକୃତ। କିନ୍ତୁ ଏହି ବିପ୍ଳବ ସରକାରଙ୍କ ଉଦ୍ୟମରେ ନୁହେଁ, ବରଂ ଆଗ୍ରହୀ ଚାଷୀ ତଥା ଘରୋଇ ଉଦ୍ୟୋଗୀ ବିହନ କଂପାନିଗୁଡ଼ିକ ଦ୍ୱାରା ସମ୍ଭବ ହୋଇ ପାରିଛି, ଯାହା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। ବର୍ତ୍ତମାନ କପା ଆମ ରାଜ୍ୟରେ ଅନ୍ୟତମ ମୁଖ୍ୟ ଅଣପାରମ୍ପରିକ ଅର୍ଥକରୀ ଫସଲ ବୋଲି କହିଲେ ଚଳେ। ରାଜ୍ୟର ସମଗ୍ର ଚାଷ ଜମିର ୨.୭୩% ଏବଂ ରାଜ୍ୟର ଢିପ ଚାଷ ଜମିର ୫.୮% କ୍ଷେତ୍ରରେ ଥିବା ପ୍ରାୟ ୧.୭୦ ଲକ୍ଷ ହେକ୍ଟରରେ କପା ଚାଷ ହେଉଛି। ଭାରତରେ ଉତ୍ପାଦିତ କପାର ପ୍ରାୟ ୨% ଆମ ରାଜ୍ୟରେ ହୋଇଥିବା ବିଶେଷ ଉତ୍ସାହଜନକ। ମୁଖ୍ୟତଃ କଳାହାଣ୍ଡି, ବଲାଙ୍ଗିର, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାରେ ଏହି ଚାଷ ହେଉଥିବା ବେଳେ କିଛି ପରିମାଣରେ ଏହି ଚାଷ ଗଞ୍ଜାମ, ସୋନପୁର, ଗଜପତି, ବୌଦ୍ଧ, ବରଗଡ଼, ଫୁଲବାଣୀ ଓ କୋରାପୁଟରେ ମଧ୍ୟ ହେଉଛି।
ଅଧିକାଂଶ କ୍ଷେତ୍ରରେ କପା ଚାଷୀ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ହୋଇଥିବାରୁ ଆବଶ୍ୟକ ପୁଞ୍ଜି ନିବେଶ କରି ଉତ୍ପାଦନରେ ବୃଦ୍ଧି ଘଟାଇବା ସମ୍ଭବପର ହେଉନାହିଁ, ଯାହା ଚିନ୍ତାଜନକ। ପୁଣି ଆମ ରାଜ୍ୟରେ କପା ଚାଷ ସଂପୂର୍ଣ୍ଣ ବର୍ଷା ନିର୍ଭର।
ତେବେ, କଥା ହେଲା କପା ଚାଷର ଉଲ୍ଲେଖନୀୟ ବିସ୍ତାର ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାର ପ୍ରସାର ଏବଂ ଗୁଣାତ୍ମକ ଅଭିବୃଦ୍ଧି ଦିଗରେ ସକାରାତ୍ମକ ଆଭିମୁଖ୍ୟ ଅଧିକ ସହାୟକ ହୁଅନ୍ତା। କିନ୍ତୁ ବିସ୍ମୟକର ଭାବେ ସରକାର ଏ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିଛନ୍ତି। ଏଯାବତ୍ ‘ବିଟି କଟନ୍’ ସମ୍ପର୍କରେ ଆମ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ଫଳରେ ଏହାର ବ୍ୟବହାର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ନାହିଁ। ତେଣୁ, ଗୋଟିଏ ପଟେ ଅନେକ କିସମର ନିମ୍ନ ମାନର ହାଇବ୍ରିଡ୍ ବିହନର ବ୍ୟବହାର ଯୋଗୁଁ ଉତ୍ପାଦନ ଆଶାନୁରୂପ ହେଉ ନ ଥିବା ବେଳେ ଅପର ଦିଗରେ ନିମ୍ନ ମାନର ବିହନ ବିକ୍ରେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇପାରୁ ନାହିଁ।
ରାଜ୍ୟ କୃଷି ବିଶ୍ୱ ବିଦ୍ୟାଳୟ ପରିଚାଳିତ ‘ରିଜିଅନାଲ୍ ରିସର୍ଚ୍ଚ ଏଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନ’ ହେଉଛି ଆମ ରାଜ୍ୟର ଏକମାତ୍ର କପା ସମ୍ପର୍କୀୟ ଗବେଷଣା ଅନୁଷ୍ଠାନ, ଯାହା ୨୦୦୧ ମସିହାରୁ ରାଜ୍ୟ ପାଇଁ ଉପଯୁକ୍ତ ବିହନ ବିକାଶ କରିବାରେ ନିୟୋଜିତ। ଆମ ବୈଜ୍ଞାନିକମାନେ ବର୍ତ୍ତମାନ ସୁଦ୍ଧା ବିଏସ୍ ୨୭୧ (କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୯ରୁ ଅନୁମୋଦିତ) ଏବଂ ବିଏସ୍ ୩୦ (କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଅନୁମୋଦନ ଲାଭ କରିଛି) ଭଳି ଦୁଇ ପ୍ରକାର ବିହନ ବିକାଶ କରିପାରିଛନ୍ତି। କିନ୍ତୁ, ଏହି ଦୁଇ କିସମର ବିହନର ପ୍ରସାର ଓ ବ୍ୟବହାର ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ତତ୍ପରତା ପ୍ରଦର୍ଶନ କରି ନାହାନ୍ତି।
ବୁନ୍ଦା ଜଳସେଚନ ଦ୍ୱାରା କପା ଉତ୍ପାଦନରେ ଆଶାତୀତ ଅଭିବୃଦ୍ଧି ହେବା ସମ୍ଭବ, ଯଦ୍ଦ୍ବାରା ଆମ ରାଜ୍ୟ ଚାଷୀ ମଧ୍ୟ ଗୁଜରାଟ ଚାଷୀଙ୍କ ଭଳି ଅଧିକ ପରିମାଣର କପା ଉତ୍ପାଦନ କରି ପାରନ୍ତେ। ଆମ ରାଜ୍ୟର ସ୍ପିନିଂ ମିଲ୍ଗୁଡ଼ିକ ଇତିମଧ୍ୟରେ ଅବ୍ୟବହୃତ ହୋଇ ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛନ୍ତି। ଏଗୁଡ଼ିକର ପୁନର୍ବିନ୍ୟାସ ନିତାନ୍ତ ଜରୁରୀ; ଆବଶ୍ୟକ ସଂଖ୍ୟାରେ ଜିନିଂ ମିଲ୍ ଏବଂ କପା ମଞ୍ଜିରୁ ତେଲ ଉତ୍ପାଦନ ପାଇଁ ମିଲ୍ ପ୍ରତିଷ୍ଠାର ମଧ୍ୟ ଆବଶ୍ୟକତା ରହିଛି।
ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ଢିପ ଜମି ରହିଛି। ସେଥିରେ କପା ଚାଷକୁ ପ୍ରୋତ୍ସାହନ ସମୟୋପଯୋଗୀ ପଦକ୍ଷେପ ହେବ। କହିବା ବାହୁଲ୍ୟ ଯେ ରାଜ୍ୟରେ ଏକ ପୂର୍ଣ୍ଣାଙ୍ଗ କପା ବିକାଶ ଯୋଜନାର ଆବଶ୍ୟକତା ରହିଛି, ଯାହା ଶୀଘ୍ର ପ୍ରସ୍ତୁତ ହେବା ଦରକାର। ଢିପ ଅଚଂଳରେ ଧାନ, ମାଣ୍ଡିଆ ଇତ୍ୟାଦି ତୁଳନାରେ କପା ଚାଷ ଅଧିକ ଲାଭପ୍ରଦ ହୋଇଥିବାରୁ ଆମ ରାଜ୍ୟର କୃଷକ କେଉଁ ଚାଷ କରିବେ ତାହା ବାଛିବାର ସ୍ୱାଧୀନତା ପାଇବା ଉଚିତ।
ଆମ ରାଜ୍ୟରେ କପା ଚାଷର ପ୍ରସାର ଛ’ ଲକ୍ଷ ହେକ୍ଟରକୁ ବୃଦ୍ଧି କରାଯାଇ ପାରିବା ସମ୍ଭବ। ଏହା ଦ୍ୱାରା ରାଜ୍ୟର ପ୍ରାୟ ଦଶ ଲକ୍ଷ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ଆର୍ଥିକ ଉନ୍ନତି ସମ୍ଭବ ହେବ। ସରକାର ଅବିଳମ୍ବେ ‘ବିଟି କଟନ୍’ ସମ୍ପର୍କରେ ନୀତି ନିର୍ଦ୍ଧାରଣ କରିବା ଉଚିତ। ସେମିତି ଆମ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ବିହନର ବିକାଶ ଓ ପ୍ରସାର ଅତ୍ୟନ୍ତ ଗୁରୁତ୍ବ ପାଇବା ଜରୁରୀ। ସ୍ପିନିଂ ମିଲ, ଜିନିଂ ମିଲ୍ ଏବଂ ତେଲ କଳର ସ୍ଥାପନା ମଧ୍ୟ ଆମ କପାଚାଷୀଙ୍କ ପାଇଁ ଶୁଭଙ୍କର ହେବ।