ଦେଶ- ବିଦେଶ

ଗାଜା ଉପରେ ପରମାଣୁ ବୋମା ପକାଇବାର ଥିଲା କହି ନିଲମ୍ବିତ ହେ‌ଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ କିଛି ହମାସକୁ ସମର୍ଥନ କରୁଛନ୍ତି। ଏହି ସମୟରେ, ଇସ୍ରାଏଲର ମନ୍ତ୍ରୀ ଅମିଚଇ ଏଲିୟାହୁଙ୍କ ବିବୃତି ଏହି ଯୁଦ୍ଧର ନିଆଁରେ ଘିଅ ଢ଼ାଳିବା କାମ କରିଛି। ତେବେ ମନ୍ତ୍ରୀଙ୍କ ବିବୃତିକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିନ୍ଦା କରିଛନ୍ତି।

ମନ୍ତ୍ରୀ ଅମିଚଇ ଏଲିୟାହୁ ଦାବି କରିଥିଲେ ଯେ, ହମାସ ଯେଉଁଭଳି ଭାବେ ଆକ୍ରମଣ କରିଥିଲା, ଏହାର ଜବାବରେ ଗାଜା ଷ୍ଟ୍ରିପ ଉପରେ ପରମାଣୁ ବୋମା ପକାଇବାର ଥିଲା।  ଅମିଚଇ ଏଲିୟାହୁଙ୍କ ଏଭଳି ବିବୃତିକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦ‌ା କରିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ସେ କହିଛନ୍ତି ଯେ, ନିରୀହ ଲୋକଙ୍କୁ ଆଘାତ ନପହଞ୍ଚାଇବା ପାଇଁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ‘ଅନ୍ତର୍ଜାତୀୟ ଆଇନର ସର୍ବୋଚ୍ଚ ମାନକ’ ଅନୁଯାୟୀ କାର୍ଯ୍ୟ କରୁଛି। ପରମାଣୁ ବୋମା ପକାଇବାକୁ ବିକଳ୍ପ ଭାବେ ନିଆଯାଇପାରିବ ନାହିଁ।

ତେବେ ଦେଖିବାକୁ ଗଲେ ପାଲେଷ୍ଟାଇନସ୍ଥିତ ହମାସ ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ତୀବ୍ର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗାଜା ଷ୍ଟ୍ରିପରେ ହମାସ ବିରୋଧରେ ଇସ୍ରାଏଲର ତୀବ୍ର ଆକ୍ରମଣ ବିଷୟରେ ପଚରାଯିବା ସହ ଗାଜା ଉପରେ ପରମାଣୁ ବୋମା ପକାଯାଇପାରିବ କି ନାହିଁ ବୋଲି ମନ୍ତ୍ରୀ ଅମିଚଇ ଏଲିୟାହୁଙ୍କୂ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, ଏହା ଏକ ବିକଳ୍ପ ହୋଇପାରେ। ଇସ୍ରାଏଲକୁ ଏଭଳି କରିବାର ଥିଲା।

Leave a Reply

Your email address will not be published. Required fields are marked *