ରାଜ୍ୟ

ପଞ୍ଚଭୂତରେ ବିଲୀନ ହେଲେ ମହେଶ୍ବର

ପୁରୀ/ଭୁବନେଶ୍ଵର: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଛି। ମରଶରୀରରେ ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। କର୍ମଭୂମିରୁ ଜନ୍ମଭୂମି ଯାଏଁ ଶହ ଶହ ଲୋକେ ଶେଷ ଦର୍ଶନ କରିଛନ୍ତି। ଲୁହ ଭିଜା ଆଖିରେ ପରିବାର ଲୋକ, ବନ୍ଧୁବାନ୍ଧବ, ରାଜନୈତିକ ଦଳ ସହିତ ସଂପୃକ୍ତି ରଖିଥିବା ବ୍ୟକ୍ତି, ଶୁଭେଚ୍ଛୁ ଓ ସମର୍ଥକମାନେ ବିଦାୟ ଦେଇଛନ୍ତି। ଅନ୍ତିମ ସତ୍କାର ବେଳେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ, ବିଜେଡିର ଅନ୍ୟ ବିଧାୟକ, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଅନ୍ତିମ ସତ୍କାର ପୂର୍ବରୁ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ପ୍ରଥମେ ପୁରୀ ଜିଲ୍ଲା କୋର୍ଟକୁ ନିଆଯାଇଥିଲା। ତା’ପରେ ପାର୍ଥିବ ଶରୀରକୁ ସେଠାରୁ ନେଇ ତାଙ୍କ ବସଭବନରେ ପ୍ରାୟ ଅଧଘଣ୍ଟା ଯାଏଁ ରଖାଯାଇଥିଲା। ସେଠାରେ ପରିବାର, ସାହିପଡ଼ିଶା ଓ ବନ୍ଧୁବାନ୍ଧବଙ୍କ ସମେତ ଦଳଗତ ନିର୍ବିଶେଷରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନିବାସରୁ ମରଶରୀରକୁ କୁମୁଟିପାଟଣା ସାହିରେ ପରିକ୍ରମା କରାଯାଇ ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ପରେ ଏହା ସ୍ବର୍ଗଦ୍ବାରରେ ପହଞ୍ଚି ଥିଲା।

ଆଜି ପୂର୍ବାହ୍ଣରେ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଘରୋଇ ହସ୍ପିଟାଲରୁ ଅଣାଯାଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖଭବନ’କୁ ନିଆଯାଇଥିଲା। ଦଳୀୟ ନେତା ଓ କର୍ମୀ ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ସେଠାରେ ପହଞ୍ଚି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।।

ଶଙ୍ଖଭବନରେ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ସମୀରରଂଜନ ଦାଶ, ବିଧାୟକ ରୁଦ୍ର ମହାରଥୀ, ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ମହେଶ୍ୱର ମହାନ୍ତିଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶଙ୍ଖଭବନରୁ ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ତାପରେ ତାଙ୍କର ମରଶରୀର ପୁରୀ ଅଭିମୁଖେ ବାହାରିଥିଲା।

ଉ‌ଲ୍ଲେଖଯୋଗ୍ୟ, ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର  ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତିଙ୍କ ବିୟୋଗ ଭୋର ୩.୨୫ରେ ହୋଇଛି ବୋଲି  ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *