କର୍କଟ ରୋଗର ଶିକାର ହେଲେ ଟେଲି ଅଭିନେତ୍ରୀ
ମୁମ୍ବାଇ: କର୍କଟ ରୋଗର ଶିକାର ହେଲେ ଅଭିନେତ୍ରୀ। ଟିଭି ଧାରାବାହିକ ‘ଭାବି’ରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଡଲି ସୋହି କର୍କଟ ରୋଗର ଶିକାର ହୋଇଛନ୍ତି। କିଛି ବର୍ଷର ବ୍ୟବଧାନ ପରେ ଧାରାବାହିକ ‘ପାରିଣୀତି’ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଡଲି। ବର୍ତ୍ତମାନ ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ ‘ସର୍ଭିକାଲ କ୍ୟାନସର’ରେ ପୀଡିତ। ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ଭରା ନୋଟ୍ ଲେଖିଛନ୍ତି। ଏହି ପୋଷ୍ଟରେ ଡଲି ତାଙ୍କ ମୁଣ୍ଡରେ କେଶ ନଥିବା ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।
ଡଲି କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ, ‘ଆପଣ ଭଲପାଇବା ଏବଂ ପ୍ରାର୍ଥନା ପଠାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୀବନରେ ଉତଥାନ ପତନ ରହିଛି। କିନ୍ତୁ ଯଦି ଲଢ଼ିବାର ସାହସ ଅଛି, ତେବେ ଆପଣଙ୍କର ଯାତ୍ରା ସହଜ ହେବ। ଆପଣ କ’ଣ ବାଛିବେ ଏହା ଆପଣଙ୍କ ଉପରେ ନିର୍ଭର କରେ।
ନିଜ ଅସୁସ୍ଥତା ବିଷୟରେ ଜଣାଇ ଡଲି ସୋହି ଏକ ସାକ୍ଷାତକାରରେ କହିଛନ୍ତି ଯେ, ୬-୭ ମାସ ପୂର୍ବେ ମୁଁ କିଛି ଲକ୍ଷଣ ଦେଖିଥିଲି। କିନ୍ତୁ ମୁଁ କର୍କଟ ରୋଗର ଶିକାର ହୋଇଛି ବୋଲି ଜାଣି ନଥିଲି। ଲକ୍ଷଣ ଦେଖାଯାଉଥିଲେ ବି ମୁଁ ତାକୁ ଅଣଦେଖା କରିଥିଲି। କିନ୍ତୁ ଯେତେବେଳେ ଯନ୍ତ୍ରଣା ସହିବା କଷ୍ଟକର ହେଲା, ମୁଁ ମୋର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇ କିଛି ପରୀକ୍ଷା କରାଇଥିଲି। ଏହା ପରେ ମୋତେ ‘ସର୍ଭିକାଲ କ୍ୟାନସର’ ହୋଇଥିବା ଜଣାପଡ଼ିଥିଲା।