ମହାନଗର

ଭକ୍ତ ଦାସିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ୨୩ ରେ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଚଳିତ କାର୍ତ୍ତିକ ଶୁକ୍ଳ ଏକାଦଶୀ ୨୩ ତାରିଖ ଗୁରୁବାର ଦିନ ଭକ୍ତଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠରେ ପାଳନ କରାଯିବାକୁ ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଭକ୍ତ ଦାସିଆ ସ୍ମୃତି କମିଟିର ସଭାପତି ଡଃ ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ବାଲିଗାଁ ଠାରେ ଏଥିପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱର ଡୁମୁଡୁମା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ସହଯୋଗରେ ସ୍ମୃତି କମିଟି ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୀତିନାଟ୍ୟ ‘ଭକ୍ତ ଦାସିଆ’ ମଞ୍ଚସ୍ଥ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଗୀତିନାଟ୍ୟକୁ ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ପରିବେଷଣ କରିବା ନିମନ୍ତେ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହପାତ୍ର ପରାମର୍ଶ ଦେଇଥିଲେ। ଜୟନ୍ତୀ ଉତ୍ସବର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ କିଟ୍ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ସୂଚନା ପ୍ରଦାନ କରିବା ଅବସରରେ ଉକ୍ତ ଦିନ ଭକ୍ତଙ୍କ ସମାଧି ପୀଠରେ ଗୀତା, ଭାଗବତ ପାଠ, ପୀଠ ପରିସରସ୍ଥ ସମସ୍ତ ଅଧିଷ୍ଠିତ ଦେବାଦେବୀଙ୍କ ସ୍ୱତନ୍ତ୍ର ପୂଜା ନୀତି ସହିତ ଦାସିଆଙ୍କ ପ୍ରସିଦ୍ଧ ଜାଉ ଓ ଶାଗ ପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବିତରଣ କରାଯିବା, ପୀଠରେ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ ଓ ସ୍ମୃତିଚାରଣ ସଭାର ଆୟୋଜନ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ଦାସିଆଙ୍କ ପୀଠରେ ନିର୍ମିତ ପାନୀୟ ଜଳ ଯୋଗାଣ ଓ ପଦପ୍ରକ୍ଷାଳନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବାରୁ ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ବିଭାଗୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଜନ୍ମ ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବାକୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *