ମୁଖ୍ୟ ଖବର

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ପାରିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ସାଙ୍ଗକୁ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ | ସେହିପରି ବ୍ରହ୍ମପୁର ସହରରେ ରିଂ ରୋଡ ନିର୍ମାଣ କରାଯିବ | ଏହି ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ଯାତାୟତ ସୁଗମ ହେବ | ରାଜ୍ୟ କ୍ୟାବିନେଟ ଉକ୍ତ କାର୍ଯ୍ୟ ପାଇଁ ୧୫୬ କୋଟି ୫୧ ଲକ୍ଷ ୫୭ ହଜାର ଟଙ୍କା ଅନୁମୋଦନ କରିଛନ୍ତି | ସେହିପରି ଗଞ୍ଜାମର ଧରାକୋଟ ବ୍ଲକର ଜାନଭିଲି ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯିବ |

ଏହି ପ୍ରକଳ୍ପ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ | ଗଞ୍ଜାମ ଜିଲ୍ଲାର ୫୨.୬୭୫ ହେକ୍ଟର ଜମିକୁ ଜଳସେଚନ ସହ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିୟନ ଲିଟର ପାନୀୟ ଜଳ ପ୍ରତିଦିନ ଉପଲବ୍ଧ ହେବ | ସେହିପରି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଅନୁମୋଦନ ହେବ | ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ନିମନ୍ତେ ମୋଟ ୫୯୨୯.୩୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି | ଏହାକୁ ୪ ବର୍ଷ ମଧ୍ୟରେ ଶେଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି |

ସେହିପରି କ୍ୟାବିନେଟ ବୈଠକରେ ଆଜି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପ-ଜିଲ୍ଲାପାଳଙ୍କଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣ ଉଦ୍ଦେଶ୍ୟରେ ତାର ଭୂସଂପତ୍ତି ଉପହାର କରିପାରିବେ | କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ |

Leave a Reply

Your email address will not be published. Required fields are marked *