ରାଜନୀତି

କୋଶଲ ରାଜ୍ୟ କଥା ଦୋହରାଇଲେ ନରସିଂହ

ଭୁବନେଶ୍ବର: ପୁଣି କୋଶଲ ରାଜ୍ୟ କଥା ଦୋହରାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଅଲଗା ରାଜ୍ୟ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ନରସିଂହ। ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ଏଭଳି କହିଛନ୍ତି କଂଗ୍ରେସ ବିଧାୟକ। ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରାଯାଉନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ସିନେମା, କଳା, ନିଯୁକ୍ତି, ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଯଦି ସରକାର ପଶ୍ଚିମ ଓଡ଼ିଶାର ବିକାଶ ନ କରନ୍ତି ତେବେ ରାଜ୍ୟ ଭାଗ ହୋଇ ଦୁଇଟା ରାଜ୍ୟ ହେବ। ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ଛତିଶଗଡ଼ର ଉଦାହରଣ ଦେଇ ନରସିଂହ ମିଶ୍ର କହିଛନ୍ତି, ମଧ୍ୟପ୍ରଦେଶ ଯେତେବେଳେ ବିଭାଜିତ ହୋଇନଥିଲା, ସେତେବେଳେ ରାଇପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଗଠନ ପାଇଁ ଦାବି ହେଉଥିଲା। କିନ୍ତୁ ମଧ୍ୟପ୍ରଦେଶ ସରକାର ଏହାକୁ ଅଣଦେଖା କରିବାକୁ ଛତିଶଗଡ଼ ବିଭାଜନ ହୋଇଥିଲା। ପଶ୍ଚିମ ଓଡ଼ିଶାର ଦାବିକୁ ଅଣଦେଖା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି କହିଛନ୍ତି ନରସିଂହ।କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟ ରଖିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂ। ସେ କହିଛନ୍ତି, କୋଶଳ ରାଜ୍ୟ ଦାବି କରିବା ସମସ୍ତଙ୍କ ଅଧିକାର। କାହାକୁ ବାରଣ କରାଯାଇପାରିବ ନାହିଁ। କିନ୍ତୁ ଆଜି କରିବାର ମାନେ କଣ ? ବିରୋଧୀ କାହିଁକି ଚାହୁଛନ୍ତି। ସମୟ ଥିଲା ଭାଗ ହେବାର ଦାବି ଉଠୁଥିଲା। ଦରକାର ବି ଥିଲା। କିନ୍ତୁ ଆଜି ଚିତ୍ର ବଦଳିଛି। ଏକବିଂଶ ଶତାବ୍ଦୀରେ ଆର୍ଥିକ ସ୍ଥିତି ଠିକ୍ ନଥିଲା। ଏବେ ଆମ ସରକାରରେ ସମସ୍ତ ବ୍ୟବସ୍ଥା ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କଳାକାର ଙ୍କୁ ନେଇ ଉଠିଥିବା ବିବାଦ ଦିନେ ସମାଧାନ ହୋଇଯିବ। କିନ୍ତୁ ତାକୁ ନେଇ ପୂର୍ବ ପଶ୍ଚିମ ଭାଗ ଭାଗ ଚିନ୍ତା ଠିକ୍ ନୁହେଁ। ତାର ସମାଧାନ ଦିଗରେ ସମସ୍ତେ ଗୁରୁତ୍ଵ ଦେବା ଉଚିତ୍। ନିର୍ବାଚନ ସମୟରେ ଏକଥା ଉଠେ। ଏହା ନୂଆ ନୁହେଁ। ଲୋକେ ସବୁ ବୁଝିଲେଣି। ଭୋଟରେ କିଛି ଫଳ ପଡ଼ିବନି।

Leave a Reply

Your email address will not be published. Required fields are marked *