ରାଜ୍ୟ

ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ଗଲା ସ୍ବତନ୍ତ୍ର ଲୁହା ପାଇପ୍

ରାଉରକେଲା: ଉତ୍ତରାଖଣ୍ଡର ସିଲକ୍ୟାରା ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆରଏସପି) ନିର୍ମିତ ସ୍ୱତନ୍ତ୍ର ଗ୍ରେଡର ଲୌହ ପାଇପ। ଉଦ୍ଧାରକାର୍ଯ୍ୟରେ  ଆବଶ୍ୟକ ପଡ଼ୁଥିବା ପାଇପ ନେଇ ରାଉରକେଲା ବିମାନ ବନ୍ଦରରୁ ପର୍ଯ୍ୟାୟକ୍ରମେ ଉଡୁଛି ବାୟୁସେନାର ‘ସୁପର ହର୍କ୍ୟୁଲସ ବିମାନ’। ଜରୁରୀକାଳୀନ ପରିବହନ କାର୍ଯ୍ୟରେ ସାମିଲ ହୋଇଛି ଭାରତୀୟ ବାୟୁସେନା।ଆଜି ରାଉରକେଲା ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ସୁପର ହର୍କ୍ୟୁଲସ୍ ବିମାନ ଅବତରଣ କରିଥିଲା | ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ତିଆରି ହେଉଥିବା ଉନ୍ନତମାନର ପାଇପକୁ  ଏହି ବିମାନ ଯୋଗେ ଉତ୍ତରାଖଣ୍ଡ ପଠାଯାଇଛି । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଏହି ପାଇପ ବ୍ୟବହାର ହୋଇଥିବା ସୂଚନା ମିଳିଛି। ଏହି ପାଇପ ଜରିଆରେ ଶ୍ରମିକମାନଙ୍କ ନିକଟକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇ ହେଉଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଆରଏସପି କର୍ମଚାରୀ ପାଇପ ଯୋଗାଣରେ ପୂରା ଦମ ଲଗାଇ ଦେଇଛନ୍ତି l

ସ୍ଥାନୀୟ ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲାଇଫ୍ ସପୋର୍ଟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ୬ ଇଞ୍ଚ ବ୍ୟାସର ପାଇପ୍ ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିଛି। ପୂର୍ବରୁ ଏହି ପାଇପ୍ ପଥର ଅତିକ୍ରମ କରିନପାରିବାରୁ ଅଟକି ରହିଥିଲା। ଏବେ ଏହି ପାଇପ୍ ୫୭ ମିଟର ଅତିକ୍ରମ କରିଛି।ଫଳରେ ଏହି ପାଇପ୍ ସାହାଯ୍ୟରେ ଶ୍ରମିକମାନେ ସାଧାରଣ ଖାଦ୍ୟ ଅର୍ଥାତ୍ ରୁଟି, ପନିପରିବା, ଚିକିତ୍ସା ସାମଗ୍ରୀ ପାଇପାରିବେ। କାରଣ ଏହା ପୂର୍ବରୁ ଶ୍ରମିକମାନେ କଦଳୀ, ସିଝା ଓ ଭଜାଚଣା ଓ ଶୁଖିଲା ଫଳ ଖାଉଥିଲେ। ଏନଏଚଆଇଡିସିଏଲର ନିର୍ଦ୍ଦେଶକ ଅଂଶୁ ମନୀଷ ଖଲ୍ଖୋ କହିଛନ୍ତି, ମୁଁ ଆମ ଟିମ୍‌କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯେଉଁମାନେ ଏହି ଭଲ ଖବର ଦେବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି।

ସେହିପରି ଶ୍ରମିକଙ୍କ ଉଦ୍ଧାର ଅଭିଯାନରେ ସେ କହିଛନ୍ତି ଯେ ଡିଆରଡିଓ ୨୦ କେଜି ଓ ୫୦ କେଜି ଓଜନର ଦୁଇଟି ରୋବୋଟ ପଠାଇଛି। ଏହି ରୋବୋଟ୍ ମାଟିରେ ଚାଲିଥାଏ । ତେବେ ଏହି ରୋବୋଟଗୁଡ଼ିକ ଟନେଲ ଭିତରେ କାମ କରିପାରିବ କି ନା ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *