ଅପରାଧ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଏସ୍‌ଆଇ

ବୌଦ୍ଧ: ପୁଣି ବୌଦ୍ଧ ପୁଲିସ ବର୍ଦ୍ଦିରେ କଳା ଛିଟା ଲାଗିଲା। ଚାଲାକି କରି ହାତାହାତି ଟଙ୍କା ନେଲେ ନାହିଁ। ଫୋନ୍‌ ପେ’ରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବାଉଁଶୁଣି ଥାନା ଏସ୍‌ଆଇ ବିକ୍ରମ କିଶୋର ଦେହୁରୀ।

ବିଭାଗୀୟ ସୂଚନା ଅନୁସାରେ ବବଡ଼ା ଗ୍ରାମର କରୁଣାକର ନାଏକ କୌଣସି ଏକ ମାମଲାରେ ଜେଲ ଯାଇଥିଲେ। ତାଙ୍କ ବାଇକ ମଧ୍ୟ ଜବତ କରାଯାଇଥିଲା। ଜାମିନରେ ଆସିବା ପରେ ପାଇଁ କୋର୍ଟରେ ମାମଲା କରି ବାଇକ ମୁକୁଳାଇବା ଅନୁମତି ପାଇଥିଲେ। ହେଲେ ଏସ୍‌ଆଇ ଏଥିପାଇଁ ଟଙ୍କା ଦାବି କରିଥିଲେ। ମୁଲଚାଲ ପରେ କରୁଣାକଣ ୧୫ ହଜାର ଟଙ୍କା ଦେବାକୁ ରାଜି ହୋଇ ପରେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଟଙ୍କା ହାତାହାତି ନେଲେ ଧରା ପଡ଼ିଆ ଭୟରେ ଶ୍ରୀ ଦେହୁରୀ ଫୋନ ପେ’ ମାଧ୍ୟମରେ ଟଙ୍କା ଦେବାକୁ କହିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ସରକାରୀ ଅଫିସ ସହ ପୁରୁଣାକଟକରେ ଥିବା ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି।

ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରୀ ଦେହୁରୀଙ୍କୁ ବୌଦ୍ଧ ଭିଜିଲାନ୍ସ ଅଫିସରେ ଅଟକ ରଖି ଖୋଳତାଡ଼ କରାଯାଉଥିବା ଜଣାଯାଇଛି। ଚଢ଼ଉରେ ଫୁଳବାଣୀ ଡିଏସପି ହେମନ୍ତ ମହାନ୍ତି, ବୌଦ୍ଧ ଡିଏସପି ସୁରେଶ କହଁର, ଏଏସଆଇ ମନୋଜ ନାଏକ, କନେଷ୍ଟବଳ ଲୋକନାଥ ସାହୁ ଓ ହରପ୍ରସାଦ ପରମଗୁରୁ ମହାପାତ୍ର ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଚଳିତ ମାସ ୧ ତାରିଖରେ ବଘିଆପଡ଼ା ଫାଣ୍ଡିର କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁଙ୍କଠାରୁ ଭିଜିଲାନ୍ସ ୬ ଲକ୍ଷ ଟଙ୍କା ଜବତ କରି ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *