ଧର୍ମ

ଭକ୍ତ ଶିରୋମଣି ଦାସିଆ ଓ ଶ୍ରୀ ଜଗନ୍ନାଥ

(ଭକ୍ତ ଶିରୋମଣି ଦାସିଆ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଶିଷ୍ଟ ସାହିତ୍ୟିକ ଅର୍ଜୁନ ଚରଣ ସାମଲଙ୍କ ସ୍ୱତନ୍ତ୍ର ଉପସ୍ଥାପନା ) ଜାତି, ଧର୍ମ, ବର୍ଣ ର ଉର୍ଦ୍ଧ ରେ ଭକ୍ତ ଓ ଭଗବାନର ସମ୍ପର୍କ ର ପ୍ରମାଣ ମିଳିଥାଏ ବାଲି ଗାଁ ର ଦାସିଆ ର ଭାବ ବନ୍ଧନ ରୁ l ଭକ୍ତ ଓ ଭଗବାନ ର ଅନନ୍ୟ ଉଦାହରଣ ଭକ୍ତ ଦାସିଆ,ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଠାକୁର, ଭାବ ବିନୋଦିଆ। ସେ ଭକତ ଭାବରେ ବନ୍ଧା… ଭକତର ବନ୍ଧୁ… ଭକତର ଜୀବନ ଧନ… କୋଟି ବ୍ରହ୍ମାଣ୍ଡର ମଉଡ଼ମଣି। ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତ ମହାପ୍ରଭୁଙ୍କୁ ନୁହେଁ ବରଂ ମହାପ୍ରଭୁ ନିଜର ଭକ୍ତକୁ ଦର୍ଶନ ଦେଇ ସ୍ପର୍ଶ କରିବାର ସବୁଠାରୁ ବଡ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ। ଯିଏ ନିଜର ଭକ୍ତି ଭାବରେ ବାନ୍ଧି ରଖି ପାରିଥିଲେ ମହାପ୍ରଭୁଙ୍କୁ। ସେଇଥି ପାଇଁ ଦାସିଆ ଦେଇଥିବା ନଡିଆକୁ ପ୍ରଭୁ ନିଜେ ହାତ ବଢ଼ାଇ ନେଇଯାଇଥିଲେ ଏବଂ ତାଙ୍କୁ ବାରମ୍ବାର ଦର୍ଶନ ଦେଇ ତାଙ୍କରି ହାତରୁ ଗ୍ରହଣ କରିଥିଲେ ପାଚିଲା ଆମ୍ବକୁ। ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ସେହି ମହାନ ଭକ୍ତ ଶିରୋମଣି ଦାସିଆ ଜନ୍ମ ନେଇଥିଲେ ପିପିଲି ନିକଟବର୍ତ୍ତି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁରେ।

ଭକ୍ତିବାଦର ସୁବର୍ଣ୍ଣଯୁଗ କୁହାଯାଉଥିବା ପଞ୍ଚଦଶ ଶତକରେ ସମଗ୍ର ଭାରତବର୍ଷରେ ଭକ୍ତି ଆନ୍ଦୋଳନର ଅମୃତଧାରା ପ୍ରବାହିତ ହୋଇଥିବା ବେଳେ ଅନେକ ସିଦ୍ଧ ସାଧକ ଓଡ଼ିଶାରେ ଜନ୍ମ ନେଇ ନିଜର ଭକ୍ତିର ପରାକାଷ୍ଠା ଦେଖାଇ ପାରିଥିଲେ। ସେମାନଙ୍କ ମଧ୍ୟରେ ଭକ୍ତ ଶିରୋମଣି ଦାସିଆ ଥିଲେ ଏକ ଅନନ୍ୟ ସାଧକ। ପୁରୀ ଜିଲାର ପିପିଲି ନିକଟବର୍ତ୍ତି ବାଲିଗାଁରେ ଏକ ଖଦାଳ(ବୁଣାକାର) ପରିବାରରେ ସେ ଜନ୍ମ ନେଇଥିଲେ। ଶିକ୍ଷାରୁ ବଞ୍ଚିତ ଦାସିଆ ଲୁଗାବୁଣି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସ୍ୱାମୀ, ସ୍ତ୍ରୀ ଦୁଇଜଣ, ପୁତ୍ର କନ୍ୟା କେହିନଥିଲେ। ମାତ୍ର ୪ ଡେସିମିଲ ଘରଡିହ ଜମି, ତୁଳସୀ ଚଉରା ସହ ତୁଳସୀର ବଣ ଏବଂ ଗୋଠଗାଡିଆ ଥିଲା ତାଙ୍କର ଏକମାତ୍ର ସମ୍ବଳ। ତେବେ ନିକଟସ୍ଥ ପ୍ରହରାଜପୁର ଗ୍ରାମରେ ବ୍ରାହ୍ମଣ ମାନଙ୍କ ଠାରୁ ଭଗବତ ଚର୍ଚ୍ଚା ଶୁଣି ମନରେ ସାତ୍ତ୍ୱିକ ସୁଖକୁ ଆସ୍ୱାଦନରେ ନିମଜ୍ଜି ଯାଉଥିଲେ। ଭାଗବତ ଶୁଣୁଥିଲେ ଓ ନିଜ ଧର୍ମପତ୍ନୀଙ୍କ ପାଖରେ ଶ୍ରୀକୃଷ୍ଣ ଚରିତ ଓ ଶ୍ରୀଜଗନ୍ନାଥଙ୍କ ଲୀଳା କଥା ଶୁଣାଉଥିଲେ। ପ୍ରଭୁପଦରେ ମନକୁ ଏକାଗ୍ର କରିଥିଲେ ଦାସିଆ। ଗୁରୁ ଗ୍ରହଣ କଲେ, ମାଳାତିଳକ ଧାରଣ ପୂର୍ବକ ଗୃହୀ ବୈଷ୍ଣବ ଜୀବନକୁ ଶ୍ରେୟ ମନେକଲେ। ଧିରେ ଧିରେ ଦାସିଆଙ୍କ ମନରେ ସ୍ଥିରଭାବ ଆସିଲା। ସୁଖ ଓ ଦୁଃଖ ତାଙ୍କ ପାଇଁ ସମାନ ସ୍ଥାନ ଗ୍ରହଣ କଲା।

ଏକଦା ଦାସିଆଙ୍କ ମନରେ କେବଳ ଏକମାତ୍ର ଉତ୍କଣ୍ଠା ଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ। ଶ୍ରୀଗୁଣ୍ଡିଚାରେ ପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ସ୍ଥିର କରି ଆଖପାଖ ଅଞ୍ଚଳର କିଛି ଭକ୍ତଙ୍କ ସହ ସେ ପୁରୀ ଗଲେ। ସେଠାରେ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲା ବେଳେ ଧାରଧାର ଆନନ୍ଦାଶ୍ରୁ ଗଡ଼଼ିଯାଉଥିଲା ତାଙ୍କ ଦୁଇ ନୟନରୁ। ଭାବରେ ତନ୍ମୟ ହୋଇଯାଇଥିଲେ ଦାସିଆ। ଅବିଚ୍ଛିନ୍ନ ଭାବାବେଶରେ ନିଜଗୃହକୁ ଫେରିଲା ତାଙ୍କର ଶରୀର, ମନ କିନ୍ତୁ ରହିଗଲା ସେହି ରଙ୍ଗାଧାରଙ୍କ ଠାରେ। ଘରେ ପତ୍ନୀ ପ୍ରସ୍ତୁତ କରି ରଖିଥିଲେ ଉଆ ଚାଉଳର ପେଜରେ ଜାଉ। ନୂଆ ମାଟିହାଣ୍ଡିରେ ସମାନ ଜାଉ ଥାଇ ତାର କେନ୍ଦ୍ର ସ୍ଥଳରେ ରଖିଥିଲେ ଶାଗଭଜାକୁ। ନାଲିରଙ୍ଗର ମାଟିପାତ୍ର, ଧଳାରଙ୍ଗର ଜାଉ ଓ କଳାରଙ୍ଗର ଶାଗ ସାଙ୍ଗକୁ ମାଟିପାତ୍ରର ମଙ୍ଗର ଆକୃତି ଥିଲା ଗୋଲାକାର। ବହୁମାନ ଭକ୍ତିରେ ଉବୁଟୁବୁ ହେଉଥିବା ଦାସିଆଙ୍କୁ ଏହା ଯୋଗାଇଥିଲା ଉନ୍ମାଦନାର ଖୋରାକ। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆକୃତିକୁ ଦେଖିବା ପରେ ପାଗଳପ୍ରାୟ ତନ୍ମୟ ହୋଇ କୀର୍ତ୍ତନ କରୁଥିବା ଦାସିଆଙ୍କୁ ଦେଖି ତାଙ୍କ ପତ୍ନୀ ଚିନ୍ତିତ ହୋଇ ପଡ଼ିଲେ। ସଙ୍ଗେ ସଙ୍ଗେ ଗ୍ରାମଜନଙ୍କୁ ଡକାଇଲେ। ବ୍ରାହ୍ମଣ ଗୋସେଇଁମାନେ ସବୁ ଶୁଣି କହିଲେ ଜାଉରୁ ଶାଗକୁ ଭିନ୍ନ କରିଦିଅ, ତେବେ ଦାସିଆ ଏହାକୁ ଭୋଜନ କରିବେ। ସେୟାହିଁ ହେଲା। ଜାଉରୁ ଶାଗକୁ ଭିନ୍ନ କରିବା ପରେ ଦାସିଆ ତାକୁ ଖାଇ ବିଶ୍ରାମ ନେଲେ।ଦିନେ ରାତ୍ରିରେ ଶୋଇଥିବା ବେଳେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଲେ। ପ୍ରଭୁ ତାଙ୍କୁ ବର ଯାଚିଲେ। ଦାସିଆ ପ୍ରଭୁଙ୍କୁ ବର ମାଗିଥିଲେ ‘‘ ଯେବେ ମୁଁ ମନରେ ଭାବିବି, ତୁମ୍ଭ ଦର୍ଶନ ପାଉଥିବି’’। ବାସ୍ତବରେ ତାହା ହିଁ ହୋଇଥିଲା। ଦିନେ ନିକଟସ୍ଥ ପ୍ରହରାଜପୁରର ଜଣେ ବ୍ରାହ୍ମଣ ଗୋସେଇଁ ଶ୍ରୀକ୍ଷେତ୍ର ଯାଉଥିବା ଖବର ଶୁଣି ଦାସିଆ ଗୋଟିଏ ନଡିଆ ତାଙ୍କରି ହାତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପଠାଇଲେ ଏବଂ କହିଲେ ‘‘ଗୋସେଇଁ ଏଇ ନଡିଆଟିକୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଦେବ, ଆଉ କହିବ ବାଲିଗାଁ ଦାସିଆ ପଠାଇଛି। ଯଦି ସେ ନିଜ ହାତରେ ନେବେ, ତାହେଲେ ଦେବ, ନହେଲେ ଫେରାଇ ଆଣିବ।’’ ମନରେ ଦାସିଆଙ୍କ ଅଖଣ୍ଡ ବିଶ୍ୱାସ, ଆଉ ସେହି ବିଶ୍ୱାସକୁ ମଧ୍ୟ ପ୍ରଭୁ ରକ୍ଷା କରି ବ୍ରାହ୍ମଣ ଗୋସେଇଁଙ୍କ ହାତରୁ ଦାସିଆ ପଠାଇଥିବା ନଡିଆକୁ ଶୂନ୍ୟରେ ଶ୍ରୀହସ୍ତ ବିସ୍ତାର କରି ଗ୍ରହଣ କରିଥିଲେ ଓ ଯୁଗେ ଯୁଗେ ପ୍ରଭୁ ଭକ୍ତର ବୋଲି ପ୍ରମାଣ କରି ଦେଇଥିଲେ।

Leave a Reply

Your email address will not be published. Required fields are marked *