ରାଜନୀତି

ଏକାମ୍ର ନିର୍ବାଚନମଣ୍ଡଳୀରେ ବି‌ଜେଡିର ବିଜୟ ପଥ କଠିନ

ଭୁବନେଶ୍ବର :ରାଜଧାନୀ ଭୁବନେଶ୍ୱରରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ର ଆଭାସ ସାଧାରଣରେ ଶୁଣିବାକୁ ମିଳୁଥିବାରୁ ପୁରୁଣା ମୁହଁକୁ ଆଉ ଭୋଟର ଗ୍ରହଣ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି l ବିଜେଡିର ଟାଣୁଆ ନେତା ବର୍ତ୍ତମାନର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଗତ ତିନି ଥର ଭଳି ବିଜେଡି ଭରସା କରିବ ନା ନୂଆ ଚେହେରାରେ ଦଳୀୟ ମୋହର ବାଜିବ? ବିରୋଧୀ ବିଜେପି ନେତାଙ୍କ ରଣନୀତି ଏବଂ ବିଜେଡି ଦଳରେ ଏକାଧିକ ଟିକେଟ୍‌ ଆଶାୟୀଙ୍କ ମାତ୍ରାଧିକ ସକ୍ରିୟତା ଏପରି ଆଲୋଚନାକୁ ବଳ ଦେଉଛି। ୨୦୦୯ ମସିହାରେ ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପରଠାରୁ ବିଜେଡି ଏକାମ୍ର ଦଖଲ କରିଆସିଛି। ଏକାଧିକ ଆଶାୟୀ ପ୍ରାର୍ଥୀ ଥିଲେ ହେଁ ଦଳ ଶ୍ରୀ ପଣ୍ଡାଙ୍କ ଉପରେ ଭରସା କରିଆସିଛି। ନିର୍ବାଚନ ପାଖେଇ ଆସୁଥିବାରୁ ମାରାଥନ୍‌ ଶୋଭାଯାତ୍ରା, ସଭା ସାଙ୍ଗକୁ ଶହଶହ କୋଟି ଟଙ୍କାର ଶିଳାନ୍ୟାସ ଓ ଉଦ୍‌ଘାଟନ ଚାଲିଛି। ଏକାମ୍ର ନିର୍ବାଚନମଣ୍ଡଳୀ ବଡ଼ଗଡ଼ରେ ମୁଖ୍ୟମନ୍ତ୍ରୀ ନିଜେ ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ଉଦ୍‌ଘାଟନ କରି ଏହାର ଗୁରୁତ୍ବ ବଢ଼ାଇଛନ୍ତି।ସ୍ଥିତି ବଜାୟ ରଖିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଦଳର ଆଶାୟୀ ପ୍ରାର୍ଥୀ ଖେଳ ବିଗା‌ଡ଼ି ପାରନ୍ତି ବୋଲି ମହଲରେ ଆଲୋଚନା ହେଉଛି। ବିଜେଡି ଟିକେଟ୍‌ର ପ୍ରମୁଖ ଦାବିଦାର ଥିବା ବିଜେଡି ଭୁବନେଶ୍ବର ଜିଲ୍ଲାର ପୂର୍ବତନ କାର୍ଯ୍ୟକାରୀ ସଭାପତି ବାବୁ ସିଂ ଏବେ ବିଜେପି ଶିବିରରେ। ବର୍ତ୍ତମାନର ଭୁବନେଶ୍ବର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର(ଲିଟୁ) ଟିକେଟ୍‌ ରେସ୍‌ରେ। ୨୦୦୩ ମସିହାରୁ ଲଗାତାର ୪ ଥର କର୍ପୋରେଟର, ବର୍ତ୍ତମାନ ୫୯ ନମ୍ବର କର୍ପୋରେଟର, ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଥିବା ବେଳେ ଦଳ ଗତ ଜୁନ୍‌ ମାସରେ ଭୁବନେଶ୍ବର ବିଜେଡି ଦଳ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରି ତାଙ୍କ ଶକ୍ତି ବଢ଼ାଇଛନ୍ତି। ନବୀନ ନିବାସ ଓ ତୃତୀୟ ମହଲା ସହ ସୁସମ୍ପର୍କ ଥିବାରୁ ଏଥର ଟିକେଟ୍‌ ପାଇଁ ସେ ବେଶ୍‌ ଆଶାବାଦୀ।ତେଣୁ ବିରଞ୍ଚି ସୁପକାର ସାମନ୍ତର ସଂଗଠନ କରି ଭୋଟର ମାନଙ୍କ ନିକଟରେ ପହଂଚିଲେଣି l ମନ୍ତ୍ରୀ ଅଶୋକ ପଣ୍ଡା ଠାରୁ ବିରଞ୍ଚିଙ୍କ ଲୋକପ୍ରିୟତା ଅଧିକ ଥିବା ଦେଖିବାକୁ ମିଳିଛି l ବିଜେଡି ରେ ପୁରୁଣା ମୁହଁକୁ ଏକାମ୍ର ବାସୀ ପ୍ରତ୍ୟାଖାନ କରିବାର ସୂଚନା ମିଳୁଥିବରୁ ନୂଆ ପ୍ରାଥୀ ଭାବରେ ବିରଞ୍ଚି ନାରାୟଣ ମହାସୁପକାର ଙ୍କୁ ଦଳୀୟ ଟିକେଟ ମିଳିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି l ସେହିପରି ଆଉ ଜଣେ ପ୍ରମୁଖ ଦାବିଦାର ହେଉଛନ୍ତି ସଂଗ୍ରାମ କେଶରୀ ପାଇକରାୟ(ଗାଲା)। ୨୦୧୪ ମସିହାରେ ଶ୍ରୀ ପାଇକରାୟ ଟିକେଟ୍‌ ରେସ୍‌ରେ ଥିଲେ। ହେଲେ ଟିକେଟ୍‌ ନମିଳିବାରୁ ୨୦୧୬ରେ ବିଜେପି ଦଳକୁ ଚାଲି ଯାଇଥିଲେ। ବିଜେପିର ସାଙ୍ଗଠନିକ କାର୍ଯ୍ୟ ଜରିଆରେ ଭୋଟ୍‌ ବ୍ୟାଙ୍କ୍‌ ବୃଦ୍ଧି କରିବା ବିଜେଡି ମୁଣ୍ଡ ବିନ୍ଧାର କାରଣ ହେଲା। ଫଳରେ ୨୦୧୮ ମସିହାରେ ତାଙ୍କୁ ଦଳକୁ ଫେରାଇ ଆଣି ଖଦି ବୋର୍ଡ ଅଧ୍ୟକ୍ଷ ଦେଇ ସନ୍ତୁଷ୍ଟ କରିଥିଲା। କିନ୍ତୁ ଏଥର ଶ୍ରୀ ପାଇକରାୟ ନଛୋଡ଼ବନ୍ଧା। ବିଧାୟକ ହୋଇ ନଥିଲେ ବି ସାମନ୍ତରାଳ ଭାବେ ବିଜେଡି ସଙ୍ଗଠନ ଚଳାଉଛନ୍ତି। ବିଶେଷକରି ନିର୍ବାଚନମଣ୍ଡଳୀରେ ଥିବା ପାଞ୍ଚଟି ପଞ୍ଚାୟତ ଏବଂ କିଛି ୱାର୍ଡରେ ସକ୍ରିୟ ଅଛନ୍ତି।ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ସମର୍ଥନରେ ଭୁବନେଶ୍ବର ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚିତ ହେବକୁ ନେଇ ସେତେବେଳେ ନାନା ଚର୍ଚ୍ଚା ମୁଣ୍ଡ ଟେକିଥିଲା। ଏବେ ତାଙ୍କର ପୋଷ୍ଟର ବ୍ୟାନର ନିର୍ବାଚନମଣ୍ଡଳୀ ଗଳିକନ୍ଦିରେ ଛାଇ ଯାଇଥିବା ବେଳେ ସଭାସମିତି କରି ସାଙ୍ଗଠନିକ ଶକ୍ତି ବଢ଼ାଉଛନ୍ତି ଶ୍ରୀ ପାଇକରାୟ। ଅନ୍ୟପଟେ ଛାତ୍ର ରାଜନୀତିରୁ ଆସିଥିବା ରଂଜିତ ମହାପାତ୍ର ମଧ୍ୟ ରେସ୍‌ରେ ରହିଛନ୍ତି। ରଂଜିତବିଜେଡି ର ଜଣେ ଟାଣୁଆ ଛାତ୍ର ନେତା ଭାବରେ କାର୍ଯ୍ୟ କରି ଦଳର ଭୋଟ ସଂଖ୍ୟା ବଡାଈବାରେ ପ୍ରମୁଖ ଭୁମିକା ଗ୍ରହଣ କରି ଥିବାରୁ ଏଥର ଟିକେଟ ପାଇବା ର ରେସରେ ରଂଜିତ ରହିଛନ୍ତି l ସଂଖ୍ୟା ଦୃଷ୍ଟିରୁ ଗତ ତିନୋଟି ସାଧାରଣ ନିର୍ବାଚନରେ ବିଜେଡି ଅଧିକ ଭୋଟ୍‌ ପାଇଛି। କିନ୍ତୁ ମୋଟ୍‌ ଭୋଟ୍‌ ପ୍ରତିଶତ ଦେଖିଲେ ପ୍ରତିଥର ବିଜେଡିର ଭୋଟ୍‌ ହାର ହ୍ରାସ ପାଇଛି। ୨୦୦୯ରୁ ୨୦୧୯ ଦଶ ବର୍ଷ ଭିତରେ ୮.୫୬% ଭୋଟ୍‌ ହାର ହ୍ରାସ ପାଇଛି। ଠିକ୍‌ ସେମିତି ତିନୋଟି ସାଂସଦ ନିର୍ବାଚନ ‌ଦେଖିଲେ ବିଜେପି ୧୪.୨୧%ରୁ ବଢ଼ି ୫୨.୫%ରେ ପହଞ୍ଚି ଥିବା ବେଳେ ବିଜେଡି ୬୬.୪୧%ରୁ କମିଯାଇ ୪୪.୩ରେ ପହଞ୍ଚିଛି। ଅର୍ଥାତ ୨୦୦୯ରୁ ୨୦୧୯ ଏହି ୧୦ ବର୍ଷରେ ବିଜେଡି ୨୨.୩୮% ହ୍ରାସ ପାଇଛି ଏବଂ ବିଜେପି ୩୮.୨୯% ବୃଦ୍ଧି ପାଇଛି। ପୂର୍ବ ନିର୍ବାଚନରେ ବିଜେପି ପାଇଥିବା ଲୋକସଭା ଭୋଟ୍‌କୁ ଏଥର ବିଧାନସଭା ପ୍ରାର୍ଥୀଙ୍କ ସପକ୍ଷରେ ଆଣିବାକୁ ରଣନୀତି ଜୋର୍‌ଦାର କରିଛି। ମୁଖ୍ୟତଃ ଗତ ନିର୍ବାଚନରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇ ଟିକେଟ୍‌ ହାତେଇଥିଲେ ବାବୁ ସିଂ।ବିଜେପି ଦଳ ୨୦୧୪ର ପ୍ରାର୍ଥୀ ଅମୀୟ ଦାଶଙ୍କୁ ବସାଇ ବାବୁ ସିଂଙ୍କୁ ଟିକେଟ୍‌ ଦେଇଥିଲା। ସେ ଜିତି ପାରି ନଥିଲେ ମଧ୍ୟ ପୂର୍ବ ଥର ଅପେକ୍ଷା ୧୬,୪୬୯ ଖଣ୍ଡ ଅଧିକ ଭୋଟ୍‌ ପାଇଥିଲେ। ଏଥର ଅମୀୟ ଦାଶ ବିଶେଷ ସକ୍ରିୟ ନାହାନ୍ତି। ପୂର୍ବରୁ ପ୍ରାର୍ଥୀ ହେଉଥିବା ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏହି ନିର୍ବାଚନମଣ୍ଡଳୀ ପ୍ରତି ମନବଳାଉ ନାହାନ୍ତି। ବିଜେପି ଦଳ ଓ ଦଳୀୟ ନେତାଙ୍କର ପ୍ରିୟପାତ୍ର ହୋଇଥିବା ବାବୁ ସିଂଙ୍କ ବିପକ୍ଷରେ ସେଭଳି ପ୍ରାର୍ଥୀ ନାହାନ୍ତି। ତେଣୁ ଏଥର ତାଙ୍କୁ ଟିକେଟ୍‌ ମିଳିବ ବୋଲି ସମର୍ଥକମାନେ ଆଶାବାନ୍ଧିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ରେ ଆହୁରି କିଛି ନୂଆ ଯୁବନେତା ବିଜେପି ଟିକେଟ ରେ ଲଢ଼ିବାକୁ ପ୍ରୟାସ କରୁଥିବାରୁ ବାବୁ ସିଂଙ୍କ ପାଇଁ ବିପଦ ସୃଷ୍ଟି କରିପାରେ l ଅନ୍ୟ ପକ୍ଷରେ ଏକାମ୍ରରେ କଂଗ୍ରେସ ଲଗାତାର ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ୨୦୦୯ ମସିହାରେ ୧୧,୬୪୫ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ ପ୍ରତାପ କୁମାର ଜେନା ଏବେ ବିଜେଡିରେ। ୨୦୧୪ ମସିହାରେ କଂଗ୍ରେସ ପ୍ରାର୍ଥୀ ଶିବାନନ୍ଦ ରାୟ ୮,୧୪୮ ଖଣ୍ଡ ଭୋଟ୍‌ ପାଇଁ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏହାପରେ ୨୦୧୯ ମସିହାରେ ପ୍ରାର୍ଥୀ ବଦଳାଇ ମହିଳା ସଙ୍ଗଠିକା ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ରଶ୍ମି ମହାପାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୦୯ ମସିହାରେ ମାତ୍ର ୪.୬୮% ଏବଂ ୨୦୧୪ ମସିହାରେ ୩% ଭୋଟ୍‌ ପାଇଥିଲେ। ୨୦୧୯‌ରେ କଂଗ୍ରେସରୁ ଟିକେଟ୍‌ ପାଇ ମଧ୍ୟ ଶ୍ରୀମତୀ ମହାପାତ୍ର ମାତ୍ର ୫% ଭୋଟ୍‌ରେ ସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ଲଗାତାର ଭାବେ ସାଙ୍ଗଠନିକ କାର୍ଯ୍ୟକରି ସେ ନିଜର ଦାୟିତ୍ବ ପାଳନ କରୁଛନ୍ତି। ତେବେ ଦଳ ଏଥର ପୂର୍ବରୁ ପ୍ରାର୍ଥୀ ଥିବା ଶ୍ରୀମତୀ ମହାପାତ୍ରଙ୍କୁ ଟିକେଟ୍‌ ଦେବ ନା ପ୍ରତିଥର ଭଳି ଏଥର ମଧ୍ୟ ନୂଆ ମୁହଁ ଶିଶୁପାଳ ପଞ୍ଚାୟତ ର ଆଶାୟୀ ପ୍ରାଥୀ ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଚମ୍ପତି କୁ ଟିକେଟ ଦେବ ତାହା ଆଗାମୀ ଦିନରେ ଜଣାପଡିବ l

Leave a Reply

Your email address will not be published. Required fields are marked *