ଦେଶ- ବିଦେଶ

ଶେଷ ହେଲା ରାଜସ୍ଥାନରେ ଭୋଟ ଗ୍ରହଣ, ସଂଧ୍ୟା ୫ଟା ସୁଦ୍ଧା ୬୮% ମତଦାନ

ଜୟପୁର: ରାଜସ୍ଥାନ ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ସଂଧ୍ୟା ୫ଟା ସୁଦ୍ଧା ୬୮.୨୪ ପ୍ରତିଶତ ମତଦାନ ହୋଇଛି । ନିୟମ ଅନୁସାରେ ସଂଧ୍ୟା ୬ଟା ବେଳେ ଭୋଟ ଗ୍ରହଣ ଶେଷ ହୋଇଯାଇଥିଲା । ତେବେ କେତେକ ବୁଥରେ ଧାଡ଼ିରେ ଥିବା ଲୋକମାନଙ୍କ ପାଇଁ ଏବେ ବି ଭୋଟଗ୍ରହଣ ଜାରି ରହିଥିବାରୁ ଚୂଡ଼ାନ୍ତ ମତଦାନ ପ୍ରତିଶତ ବୃଦ୍ଧି ପାଇପାରେ ।

ରାଜସ୍ଥାନର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ପାଇଁ ଆଜି ଭୋଟ ଗ୍ରହଣ ହୋଇଛି । ଆଜିର ଭୋଟ ଗ୍ରହଣ ବେଳେ ଅଳ୍ପକେତୋଟି ହିଂସାତ୍ମକ ଘଟଣାକୁ ଛାଡ଼ିଦେଲେ ସ୍ଥିତି ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଥିଲା । ଢୋଲପୁରର ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଲକା ପୁରା ଗାଁରେ ଥିବା ବୁଥ୍ କୁ ଦଖଲ କରିବାକୁ ଉଦ୍ୟମ କରାଯାଇଛି। ଏହି ସମୟରେ ପ୍ରବଳ ପଥର ମାଡ଼ ଓ ଗୁଳିଚାଳନା ହୋଇଥିଲା। ବୁଥ୍ ଦଖଲ କରୁଥିବା ଦୁର୍ବୃତ୍ତମାନେ ମତଦାନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସେକ୍ଟର ମାଜିଷ୍ଟ୍ରେଟଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ପରେ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।

ଏହି ନିର୍ବାଚନ ସଂପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଭଲ ମତଦାନ ହେବା ଏକ ଶୁଭ ସଂକେତ । ଗତ ୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ମିଛ ପ୍ରମାଣିତ ହୋଇଛି ।

Leave a Reply

Your email address will not be published. Required fields are marked *