ଦେଶ- ବିଦେଶ

ମେରପି ଶୃଙ୍ଗରେ ଉଦ୍‌ଗୀରଣ: ୧୧ ପର୍ବତାରୋହୀ ମୃତ

ପାଡ଼ାଙ୍ଗ୍‌: ରବିବାର ଦିନ ଇଣ୍ଡୋନେସିଆସ୍ଥିତ ମେରପି ପର୍ବତଶୃଙ୍ଗରେ ଆଗ୍ନେୟଗିରି ଉଦ୍‌ଗୀରଣ ହେବା ପରେ ଆଜି ସେଠାରୁ ୧୧ଜଣ ପର୍ବତାରୋହୀଙ୍କ ଶବ ଓ ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।ସୂଚନାଯୋଗ୍ୟ, ସୁମାତ୍ରା ଦ୍ବୀପରେ ଥିବା ମେରପି ଶୃଙ୍ଗରେ ରବିବାର ଦିନ ଆଗ୍ନେୟଗିରି ଉଦ୍‌ଗୀରଣ ହେବାରୁ ଆକାଶକୁ ୩,୦୦୦ ମିଟର୍‌ ଉଚ୍ଚର ଗୋଟାଏ ପାଉଁଶ ସ୍ତମ୍ଭ ଉଠିଥିଲା। ଫଳରେ ଆଖପାଖ ଗାଁଗଣ୍ଡାରେ ଆଗ୍ନେୟଗିରି ଉଦ୍‌ଗୀରଣଜନିତ ଭଗ୍ନାଂଶ ଖସିବା ସହିତ ଚାରିଆଡ଼ ପାଉଁଶରେ ପୋତି ହୋଇ ପଡ଼ିଛି।

ସେ ଆଗ୍ନେୟଗିରିରୁ ଗଳିତଧାତୁ ବା ଲାଭା ଉଦ୍‌ଗୀରଣ ହେବାର ଆଶଙ୍କା ଥିବାରୁ ଗ୍ରାମବାସୀଙ୍କୁ ୩ କିଲୋମିଟର୍‌ ଦୂ‌ରରେ ରହିବାକୁ ସରକାରୀ ଅଧିକାରୀମାନେ କହିଛନ୍ତି।

‘ପଡ଼ାଙ୍ଗ୍‌ ତଲାସ ଓ ଉଦ୍ଧାକାରୀ ଏଜେନ୍‌ସି’ର ମୁଖ୍ୟ ଅବ୍‌ଦୁଲ୍‌ ମଲିକ କହିଛନ୍ତି, ସପ୍ତାହାନ୍ତରେ ସେଠାରେ ୭୫ରୁ ଅଧିକ ପର୍ବତାରୋହୀ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ସ୍ଥାନାନ୍ତର କରାଯାଇ ପାରି ନ ଥିଲା। ୨୬ଜଣଙ୍କ ମଧ୍ୟରୁ ଆମେ ୧୪ଜଣଙ୍କୁ ପାଇଛୁ। ୧୪ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ମୃତାବସ୍ଥାରେ ଓ ୩ଜଣଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇଛି। ୧୨ଜଣ ନିଖୋଜ ହୋଇଯାଇଛନ୍ତି।ଘଟଣାସ୍ଥଳରେ ସୃଷ୍ଟି ହୋଇଥିବା ଗୋଟାଏ ଗହ୍ବର ନିକଟରୁ ଉଦ୍ଧାର ହୋଇଥିବା ୩ ଜୀବନ୍ତ ବ୍ୟକ୍ତିଙ୍କ ଦେହରେ ‌ପୋଡ଼ାକ୍ଷତ ରହିଛି ଓ ସେମାନେ ଦୁର୍ବଳିଆ ଦିଶୁଛନ୍ତି। ବହୁ କଷ୍ଟସ୍ବୀକାର କରି ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ପର୍ବତ ଉପରୁ ତଳକୁ ଆଣିଛନ୍ତି।

Leave a Reply

Your email address will not be published. Required fields are marked *