ଅପରାଧ

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍‌

ରାୟଗଡ଼ା, : କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍‌ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଣଛାତ୍ରଙ୍କୁ କଲେଜ ସମ୍ମୁଖରୁ ଘଉଡ଼ାଇଥିଲା। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ଘଟଣାସ୍ଥଳରେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି।
ଘଟଣାରୁ ପ୍ରକାଶ ଯେ, ସୋମବାର ଜଣେ ଛାତ୍ରୀ କଲେଜ ଆସିବା ସମୟରେ ମୁଖ୍ୟ ଫାଟକ ସମ୍ମୁଖରେ ଜଣେ ଅଣଛାତ୍ର ତାଙ୍କୁ କମେଣ୍ଟ ମାରିଥିଲେ। ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଥିବା ୨ କଲେଜ ଛାତ୍ର ପ୍ରତିବାଦ କରିବାରୁ ୪ଜଣ ଅଣଛାତ୍ର ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ଏ ନେଇ କଲେଜ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଅଣଛାତ୍ରମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଗଣ୍ଡଗୋଳ ପରିସ୍ଥିତି ଆଶଙ୍କା କରି କଲେଜ ନିକଟରେ ପୋଲିସ ମୁତୟନ କରାଯାଇଛି। ରାୟଗଡ଼ା ସହରରେ ଥିବା ସ୍ବୟଂଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ନିକଟରେ ରୋଡ଼ ରୋମିଓଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଅଣଛାତ୍ରମାନେ କଲେଜ ଚାରିପଟେ ବାଇକ୍‌ ରେସିଂ କରିବା ଏବଂ ବାଇକରେ ବିଭିନ୍ନ ରକମର ହର୍ନ ଲଗାଇ ବିକଟାଳ ଶବ୍ଦ କରିବା ଯୋଗୁ ପାଠପଢ଼ା ବ୍ୟାଘାତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏପରିକି କଲେଜକୁ ପଢ଼ିବାକୁ ଆସୁଥିବା ଛାତ୍ରୀଙ୍କୁ ଯିବାଆସିବା ସମୟରେ କମେଣ୍ଟ କରି ହଇରାଣ କରାଯାଉଛି। ତେଣୁ କଲେଜ କ୍ୟାମ୍ପସରେ ପୋଲିସ ମୁତୟନ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *