ଦେଶ- ବିଦେଶ

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀ

କୋଲକତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି। କଲିକତାର ବାଲିଗଞ୍ଜଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ  ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ ଓ ଏହା ସହ ଭାରତର ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ଶ୍ରୀ ମୁଖାର୍ଜୀ ୮ ମଇ ୧୯୩୨ରେ ସିଲହଟରେ (ଯାହା ବର୍ତ୍ତମାନ ବାଂଲାଦେଶରେ ଅବସ୍ଥିତ) ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ସେ ୧୯୯୯ରେ କୃଷ୍ଣନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ନିଜର ରାଜନୀତିରେ ପାଦଥାପିଥିଲେ। ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମୁଖାର୍ଜୀ ବିଜୟ ଲାଭ କରିଥିଲେ।

ବୃତ୍ତିରେ ଆଇନଜୀବୀ ଥିବା ସତ୍ୟବ୍ରତ ମୁଖାର୍ଜୀ ୮୭ ବର୍ଷ ବୟସ ପର୍ଯ୍ୟନ୍ତ ନିୟମିତ ଭାବେ ହାଇକୋର୍ଟ ଯାଉଥିଲେ । ଏପରିକି ସେ ଦଳର କାର୍ଯ୍ୟକଳାପ ଉପରେ ନଜର ରଖୁଥିଲେ, କିନ୍ତୁ ବାଧକ ସାଜିଲା ବୟସ । ଗତ ତିନିବର୍ଷ ଧରି ସବୁ କାର୍ଯ୍ୟରୁ ଦୂରେଇ ଯାଇଥିଲେ । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ପରଲୋକ ଘଟିଲା । ତାଙ୍କର ବିୟୋଗରେ ପଶ୍ଚିମବଙ୍ଗର ଅନେକ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଟ୍ୱିଟରରେ ଲେଖିଛନ୍ତି,”ମୁଁ ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ସତ୍ୟବ୍ରତ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖିତ। ଜୋଲୁ ବାବୁ ନାମରେ ସେ ଜଣାଶୁଣା, ସେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ତାଙ୍କ ସରକାରରେ ସାଂସଦ ତଥା ମନ୍ତ୍ରୀ ଥିଲେ। ତାଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

Leave a Reply

Your email address will not be published. Required fields are marked *