ମୁଖ୍ୟ ଖବର

ଦୋଷ ଲୁଚାଉଛି ୱାଟ୍‌କୋ

ଭୁବନେଶ୍ବର: ସ୍ବେରେଜ୍‌ ଖାଲରେ ପଡ଼ି ମହିଳା ଆହତ ହେବା ପରେ ୱାଟ୍‌କୋ ନିଜର ଦୋଷ ଲୁଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି। ଯେମିତି ଦୁର୍ଘଟଣାର ଚିହ୍ନ ବର୍ଣ୍ଣ ନରହିବ, ତା’ପାଇଁ ମହିଳା ପଡ଼ିଥିବା ୧୫ ଫୁଟିଆ ଖାଲକୁ ତରବରିଆ ଭାବେ ପୋତି ସମତୁଲ କରିଦିଆଯାଇଛି। ଘଟଣାସ୍ଥଳରେ ପଡ଼ିଥିବା ବାଲି, ଗୋଡି, ସିମେଣ୍ଟ ପାଇପ୍‌ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ ରାତାରାତି ଉଠାଇ ନିଆଯାଇଛି। ଏଣେ ଦୁଇକଡ଼ରେ ଥିବା ବସ୍ତିବାସୀନ୍ଦାଙ୍କୁ ମୁହଁ ନଖୋଲିବାକୁ କେହି ତାଗିଦ୍‌ କରିଛି ଯେ ସମସ୍ତେ ଆତଙ୍କିତ ହୋଇ ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଖାଲରେ ପଡ଼ିଥିବା ମହିଳାଙ୍କୁ କେହି ଅଧିକାରୀ ସମବେଦନା ଜଣାଇବା ଆବା୍ୟକ ବୋଲି ଭାବି ନାହାନ୍ତି!ସ୍ଥାନୀୟ ବାସୀନ୍ଦାଙ୍କ ସୂଚନାନୁସାରେ, ପ୍ରାୟ ୬ମାସ ତଳେ ୫୮ ନମ୍ବର ୱାର୍ଡ଼ ଶିବନଗରରେ ସ୍ବେରେଜ କାମ କରାଯାଉଥିଲା। ଠିକାଦାର ରାସ୍ତା ଖୋଳି ଦେଇ ମାସ ମାସ ପକାଇ ରଖୁଥିଲେ। ୫୦ ଫୁଟ କାମ ସାରିବାକୁ ୫୦ ଦିନରୁ ଅଧିକ ସମୟ ଲାଗୁଥିଲା। ଏକାଧିକ ଥର ଦୁର୍ଘଟଣା ଘଟୁଥିଲେ ବି ୱାଟ୍‌କୋ ଅଧିକାରୀ ଓ ଠିକାସଂସ୍ଥା କର୍ଣ୍ଣପାତ କରୁନଥିଲେ। ସାମୂହିକ ଅସନ୍ତୋଷ ବଢ଼ିବାରୁ ଠିକାସଂସ୍ଥା ଅଧାରୁ କାମ ବନ୍ଦ କରି ଚାଲି ଯାଇଥିଲା। ତେବେ ୨ଦିନ ତଳେ ଅଧା ଥିବା ସ୍ଥାନ ‘ଅର୍ଚିଡ୍‌’ ଆପାଟମେଣ୍ଟ ନିକଟରୁ କାମ ଆରମ୍ଭ ହୋଇଥିଲା। ଏନେଇ ୱାଟ୍‌କୋ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅବଗତ କିମ୍ବା ସର୍ବସାଧାରଣଙ୍କ ଅବଗତି ପାଇଁ କୌଣସି ସୂଚନା ଦିଆଯାଇନଥିଲା। ଠିକାଦାର ସିଧାସଳଖ ମେସନ୍‌ ଆଣି ରାସ୍ତାକୁ ଯୋଜନାହୀନ ଭାବେ ଖୋଳି ପକାଇଥିଲେ। କାର୍‌ ନଗଲା ନାହିଁ, ଅନ୍ତତଃ ବାଇକ୍‌ ଯିବାଆସିବା ପାଇଁ ବାଟ ରଖି ଖୋଳିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ। କିନ୍ତୁ କେହି ଶୁଣି ନଥିଲେ। ଏମିତିକି ବାକି ଥିବା ଅଳ୍ପ କିଛି ରାସ୍ତାରେ ୨ ଫୁଟ ଉଚ୍ଚତାର ମାଟି ଗଦା କରି ଦିଆଯାଇଥିଲା। ଖାଲ ଚାରି ପାଖରେ ମଜବୁତ ବ୍ୟାରିକେଡ୍‌ ନଥିଲା। ଯାହା ଫଳରେ ଅଘଟଣ ଘଟିଲା। ଆଜି ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଆହତ ଅଧ୍ୟାପିକା ନନ୍ଦିତା ଆଚାର୍ଯ୍ୟ କହିଛନ୍ତି, ‘‘ମୁଁ କଲେଜରୁ ଫେରି ମଦରର୍ସପବ୍ଲିକ୍‌ ସ୍କୁଲ୍‌କୁ ପୁଅକୁ ଆଣିବାକୁ ଯାଉଥିଲି। ତା’ ପୂର୍ବରୁ ଘରେ ଆମେ କଥା ହେଉଥିଲୁ, ଯେଉଁଭଳି ରାସ୍ତା ଖେଳା ହୋଇଛି କେହିନା କେହି ପଡ଼ିଯିବେ। ମୋର ବେଳା ଖରାପ, ମୁଁ ସ୍କୁଟିରେ ଅଣଓସାର ରାସ୍ତାରେ ଯାଉଥିଲି। ମାଟି ଉଚ୍ଚକୁ ଉଠି ଗାଡ଼ି ତଳକୁ ଖସିବା ବେଳେ ଭାରସାମ୍ୟ ହରାଇଲି। ଗୋଡ଼ ଲଗାଇବାକୁ ଚେଷ୍ଟା କରି ଖାଲରେ ଗଳିପଡ଼ିଲି। ସ୍କୁଟି ପ୍ରଥମେ ଗଳି ପଡ଼ିଲା, ମୁଁ ପରେ ପଡ଼ିଲି। ପାଖା ପାଖି ୨୦ ମିନିଟ୍‌ ଖାଲ ଭିତରେ ଯନ୍ତ୍ରଣା ଛଟପଟ ହେଲା ପରେ ସ୍ଥାନୀୟ ଲୋକ ମୋତ‌େ ବାହାର କରି ଡାକ୍ତରଖାନାକୁ ନେଇଥି‌ଲେ। ମୋର ଗୋଡ଼, ହାତ ଖଣ୍ଡିଆ ହେବା ସହ ଦେହସାରା ମାଡ଼ ହୋଇ ଭୀଷଣ ବିନ୍ଧା ହେଉଛି।ଗାଡ଼ି ଓ ମୋବାଇଲ୍‌ ଭାଙ୍ଗି ଯାଇଛି। ମଜବୁତ ବ୍ୟାରିକେଡ ଥିଲେ ମୁଁ ଉପରେ ରହି ଯାଇଥାନ୍ତି। ଯଦି ଫେରିବା ବେଳେ ପଡ଼ିଥାନ୍ତି, ମୋ ଛୁଆର କ’ଣ ହୋଇଥାନ୍ତା…!!’’ ଏନେଇ ଆହତଙ୍କ ଶାଶୂ ସୁରବଳା ମିଶ୍ର କ୍ଷୋଭର ସହ କହିଛନ୍ତି, ‘‘ଯିବା ପାଇଁ ଏଇ ଗୋଟିଏ ରାସ୍ତା। ଅନ୍ୟ ବିକଳ୍ପ ବ୍ୟବସ୍ଥା କରି ରାସ୍ତା ଖୋଳିବା କଥା। ଏପାଖରେ ଶହେରୁ ଅଧିକ ପରିବାର କେମିତି ଯିବେ, ସ୍କୁଲ୍‌କୁ ପିଲା କେମିତି ଯିବେ, ଜରୁରୀକାଳୀନ ଗାଡ଼ି କେମିତି ଯିବ ତା’ର କାହିଁକି ବ୍ୟବସ୍ଥା କରାଗଲା ନାହିଁ। କାମ ହେଉ, ମନାନାହିଁ। କିନ୍ତୁ ପ୍ରଥମେ ଲୋକଙ୍କ ସୁରକ୍ଷାକୁ ବିଚାର କରାଯାଉ। ଆଜି ତା’ର କିଛି ହୋଇଥିଲେ ଆମେ କ’ଣ କରିଥାନ୍ତୁ…।’’ କହୁ କହୁ ସେ କାନ୍ଦି ପକାଇଥିଲେ।କିଛି ମାସ ତଳେ ଶିବ ନଗର ରାସ୍ତା କଂକ୍ରିଟ୍‌ ହୋଇଥିଲା। ସ୍ବେରେଜ୍‌ କାମ ପାଇଁ ଏବେ ପ୍ରାୟ ୧୦୦ ମିଟର କଂ‌କ୍ରିଟ୍‌ ରାସ୍ତାକୁ ମେସିନ୍‌ ଦ୍ବାରା ଫଟାଇ ଦିଆଯାଇଛି। ସ୍ବେରେଜ୍‌ କାମ ବନ୍ଦ କରି ବି ବନ୍ଦ ହୋଇଛି। ଏହି କାମ ପାଇଁ ଟେଣ୍ଡର ହୋଇଥିଲା ନା ନାହିଁ? ଯଦି ସ୍ବେରେଜ୍‌ ପାଇପ୍‌ ପଡ଼ିବା ପାଇଁ ଖୋଳା ଯାଉଥିଲା କାହିଁକି ଖାଲକୁ ପୋତି ଦିଆଗଲା? ପୁଣି କେବେ କାମ ହେବ? ଯେଉଁ ୧୦୦ ମିଟର ଭଲ କଂକ୍ରିଟ୍‌ ରାସ୍ତାକୁ ଖୋଳିଛନ୍ତି ତା’ର ମରାମତି କେବେ ହେବ? ଏନେଇ ନାନା ପ୍ରଶ୍ନ ଉଠିଛି। କିନ୍ତୁ ଦୁର୍ଘଟଣା ଘଟିବା ପରେ ୱାଟ୍‌କୋ ଅଧିକାରୀ ଧରା ଛୁଆଁ ‌ଦେଉନାହାନ୍ତି। ଏ ଦାୟିତ୍ବରେ ଥିବା ୱାଟ୍‌କୋ ଅଧିକାରୀ ପ୍ରଭାତ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରିଥିଲେ।ୱାଟ୍‌‌କୋର ବେପରୁଆ କାମ କେମିତି ରାଜଧାନୀବାସୀଙ୍କୁ ଯନ୍ତ୍ରଣା ଦେଉଛି, ଗତକାଲି ଶିବନଗରରେ ଘଟିଥିବା ଘଟଣା ତା’ର ବଡ଼ ଉଦାହରଣ। କାଲି ଆହତ ହୋଇଥିବା ମହିଳାଙ୍କ ସ୍ବାମୀ ବାହାରେ ରହନ୍ତି। ଘରେ ବୃଦ୍ଧ ବାପା ମା ଓ ଛୋଟ ପୁଅ। ସେ ଖାଲରେ ପଡ଼ି ଆହତ ଖବର ଶୁଣିବା ପରେ ବୃଦ୍ଧ ବାପା ମା ଭୟଭୀତ ହୋଇ ଯାଇଥିଲେ। ଖବର ପାଇଥିଲେ ବି ସ୍ବାମୀ ସଙ୍ଗେ ସଙ୍ଗେ ଆସି ପାରିନଥିଲେ। ୩ମହଲା ଉପରେ ରହୁଥିବାରୁ ବାପା ମା ମଧ୍ୟ ବୋହୂ ନିକଟକୁ ଆସି ପାରିନଥିଲେ। ଅନ୍ୟପଟେ ସ୍କୁଲ୍‌ରେ ଅପେକ୍ଷା କରିଥିଲା ପୁଅ। ବିଳମ୍ବ ହେବାରୁ ଜଣେ ସାଙ୍ଗ ସହ ପୁଅ ଘରକୁ ଫେରିଥିଲା। ଡାକ୍ତରଖାନାରୁ ଆହତ ନନ୍ଦିତା ଘରକୁ ଫେରିବା ବେଳକୁ ଭୟରେ ଥରୁଥିଲେ। ତାଙ୍କୁ ଦେଖି ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘଟଣା ଘଟିବାର ୨୪ ଘଣ୍ଟା ପରେ ବି ପରିବାରର ସମସ୍ତେ ମାନସିକ ଚାପ ଓ ଅଶାନ୍ତି ଭିତରେ ଅଛନ୍ତି।ଶିବନଗରରେ ମହିଳା ଖାଲରେ ପଡ଼ିଯିବା ବେଳେ ନିକଟରେ ରହୁଥିବା ବସ୍ତି ଓ ଅନ୍ୟ ଘର ଗୁଡ଼ିକର ଶହେରୁ ଅଧିକ ଲୋକ ଭିଡ଼ ଜମାଇଥିଲେ। କିଛି ବ୍ୟକ୍ତି ଆଗକୁ ଆସି ମହିଳାଙ୍କୁ ସହାୟତା ବି କରିଥିଲେ। କିନ୍ତୁ ଆଜି ଏନେଇ କେହି ମୁହଁ ଖୋଲୁ ନଥିଲେ। ଗତକାଲି ଘଟଣାସ୍ଥଳର ଭିଡ଼ିଓରେ ଉପସ୍ଥିତ ଥିବା ବସ୍ତି ବାସୀନ୍ଦାଙ୍କ ମଧ୍ୟରୁ ଅନେକ ଦୁର୍ଘଟଣା ସମୟରେ ନଥିଲେ ବୋଲି ପ୍ରଶ୍ନକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ। ଏ ମାମଲାରେ ମୁହଁ ବନ୍ଦ ରଖିବାଲାଗି ସେସମାନଙ୍କୁ ତାଗିଦ୍‌ କରା ଯାଇଥିବା କୁହା ଯାଉଛି।

Leave a Reply

Your email address will not be published. Required fields are marked *