ମୁଖ୍ୟ ଖବର

ଥାନାରେ ଏତଲା ଦେଲା ବିଜେପି: ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ଭୁବନେଶ୍ୱର: ଆଜି ରାଜଧାନୀରେ ବିଜେପି ଓ ବିଜେଡି ପକ୍ଷରୁ ଆନ୍ଦୋଳନ ଦେଖିବାକୁ ମିଳିଛି। ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଆକ୍ରମଣ ପ୍ରସଙ୍ଗରେ ବିଭିନ୍ନ ଥାନାରେ ଡିଜିପି, ଭୁବନେଶ୍ୱର ଡିସିପି ଓ ଟ୍ୱିନସିଟି କମିଶନରଙ୍କ ନାଁରେ ବିଜେପି ପକ୍ଷରୁ ତିନିଟି ଥାନାରେ ଏତଲା ଦିଆଯାଇଛି। ଆଜି ବହୁସଂଖ୍ୟକ ବିଜେପି କର୍ମୀ ଶୋଭାଯାତ୍ରାରେ ଆସି ରାଜଧାନୀର ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଏତଲାଦେଇଛନ୍ତି।

ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ ରାଜ୍ୟ ସରକାର ଯେଉଁ ଭଳି ଷଡଯନ୍ତ୍ର କରି ଆକ୍ରୋଶମୂଳକ ଭାବେ ଯୁବକମାନଙ୍କ ସ୍ୱରକୁ ଦମନ କରିବା ପାଇଁ ପ୍ରୟାସ କରିଛନ୍ତି ତାହା ଓଡିଶା ଇତିହାସରେ ପ୍ରଥମ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ଏହାର ପ୍ରତିବାଦରେ ବିଜେପି ତରଫରୁ ରାଜ୍ୟର ସମସ୍ତ ଥାନାରେ ପୁଲିସ ଡିଜି, ଭୁବନେଶ୍ୱର-କଟକ ପୁଲିସ କମିସନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯିବ ବୋଲି ସେ ଗତକାଲି ସୂଚନା ଦେଇଥିଲେ।।

ତେଣେ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜଧାନୀରେ ବିଜୁ ମହିଳା ଜନତା ଦଳର କର୍ମୀମାନେ ରାଜଭବନ ଆଗରେ ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରି ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।

କେନ୍ଦ୍ର ସରକାର ଗ୍ୟାସ୍‌ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରିବା ପ୍ରସଙ୍ଗରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗ୍ୟାସ ବୃଦ୍ଧିକୁ ବିରୋଧ କରି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୪ରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୪୧୦ଟଙ୍କା ଥିଲା। ଏବେ ୧୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଗତ ୯ବର୍ଷରେ ଗ୍ୟାସ୍‌ ଦର ପ୍ରାୟ ୩ଗୁଣା ବଢ଼ିବା ସମସ୍ତଙ୍କୁ ବାଧୁଛି। ୨୦୧୪ ବେଳେ ରାଜ୍ୟରେ ୨୧ଲକ୍ଷ ଗ୍ୟାସ୍ ଉପଭୋକ୍ତା ଥିଲେ, କିନ୍ତୁ ଏବେ ୮୮ଲକ୍ଷରୁ ଅଧିକ ‌ଉପଭୋକ୍ତା। ଓଡ଼ିଶାର ୮୦% ଘରେ ଗ୍ୟାସ୍ ଚୁଲା ଜଳୁଛି। ଏତିକି ପରିବାର ଗ୍ୟାସ ବୃଦ୍ଧିକୁ ଗ୍ରହଣ କରିପାରୁନାହାନ୍ତି

Leave a Reply

Your email address will not be published. Required fields are marked *