ମହାନଗର

ବସ୍ତିବାସିନ୍ଦାଙ୍କ ପାଇଁ କିଛି କରିନି ସ୍ମାର୍ଟ ସିଟି

ଭୁବନେଶ୍ବର: ବସ୍ତିବାସିନ୍ଦାଙ୍କ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଟଙ୍କାଟିଏ ଖର୍ଚ୍ଚ କରିନି। ପିପିପି ମୋଡDରେ ପ୍ରାୟ ୮୨୫କୋଟି ଟଙ୍କା ବ୍ୟୟରେ ବସ୍ତି ବାସିନ୍ଦାଙ୍କ ପାଇଁ ସୁଲଭ ଗୃହ ନିର୍ମାଣ ଯୋଜନା କୁଆଡ଼େ ଗଲା, କାହା ପାଖରେ ଉତ୍ତର ନାହିଁ। ତେବେ କେବଳ ଏହି ଗୋଟିଏ ଯୋଜନା ନୁହେଁ, ଭୁବନେଶ୍ବରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଯେଉଁ ୮୧ଟି ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା, ସେଥିରୁ ମାତ୍ର ୨୭ଟି ସରିଛି। ଆଉ ୬ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ୨୦୨୪ ଜୁନ୍‌ ସୁଦ୍ଧା ଏହି ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଯଦି ଏହି ସମୟ ଭିତରେ ଶେ‌ଷହେଲା, ତେବେ ମୋଟ୍‌ ୩୩ ପ୍ରକଳ୍ପ କାମରେ ଲାଗିବ। ଅର୍ଥାତ୍‌ ବାକି ୪୮ ପ୍ରକଳ୍ପ କେବଳ ନକ୍ସାରେ ରହିଗଲା। ସଂସଦରେ ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ୍‌ଙ୍କ ପ୍ରଶ୍ନର ଉତ୍ତରରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏଭଳି ନିନ୍ଦିତ ହୋଇଛି। ସମ୍ପୂର୍ଣ୍ଣ ହୋଇଥିବା ୨୭ ପ୍ରକଳ୍ପରେ ବିଏସ୍‌ସିଏଲ୍‌ ୧୫୮୭.୦୬ କୋଟି ଟଙ୍କା ଖର୍ଚ୍ଚ କରିଛି। ନିର୍ମାଣାଧୀନ ୬ ପ୍ରକଳ୍ପରେ ୪୯୫.୭୩ କୋଟି ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଛି। ଏଭଳି ମୋଟ୍‌ ୨୦୮୨.୭୯ କୋଟି ଖର୍ଚ୍ଚ ହେବ। ବଡ଼କଥା ହେଉଛି, ଯେଉଁ ୨୭ ପ୍ରକଳ୍ପ ଶେ‌ଷ ହୋଇଥିବା କୁହାଯାଉଛି, ସେଥିରୁ ଏକାଧିକ ଇତିମଧ୍ୟରେ ସମ୍ପୂର୍ଣ୍ଣ ଫେଲ୍‌ ମାରି ସାରିଛି। ସେଥିରୁ ଏକ ଅଭିଶପ୍ତ ପ୍ରକଳ୍ପ ହେଉଛି ସ୍ମାର୍ଟ କିଓସ୍କ। ୨୦୨୦ ମସିହା ସୁଦ୍ଧା ୭୫ଟି କିଓସ୍କ (୫୦ଟି ଇନ୍‌ଡୋର୍‌ ଓ ୨୫ଟି ଆଉଟଡୋର୍‌) କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଏହାର ଦେଢ଼ବର୍ଷ ପରେ, ଅର୍ଥାତ୍‌ ୨୦୨୧ ଶେଷ ଆଡ଼କୁ ୬୨ଟି କାର୍ଯ୍ୟକ୍ଷମ ହେଲା। କିନ୍ତୁ ଏହି କିଓସ୍କରେ ଯେଉଁ ସବୁ ଅତ୍ୟାଧୁନିକ ସେବା ଯୋଗାଇ ଦେବାକୁ ସ୍ବପ୍ନ ଦେଖାଇଥିଲେ, ତାହା ସ୍ବପ୍ନରେ ହିଁ ରହିଗଲା। ଫଳରେ ଗୋଟିଏ ପରେ ଗୋଟିଏ କିଓସ୍କ ବରବାଦ ହୋଇଗଲା।

ଏଗୁଡ଼ିକରେ ଏବେ କେଉଁଠି ଇଣ୍ଟରନେଟ୍‌ ସଂଯୋଗ ନାହିଁ, କେଉଁଠି ସ୍କ୍ରିନ୍‌ ଫାଟି ଗଲାଣି, କେଉଁଠି ତାରବାଡ଼‌ରେ ବନ୍ଦୀ ହୋଇ ଅଗମ୍ୟ ହୋଇ ଗଲାଣି। ୫୦୦ କୋଟି ଟଙ୍କାର ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପ ଅଧୀନରେ ଏହା ତିଆରି ହୋଇଥିଲା। ସେହିଭଳି ସହିଦନଗର ଓ ୟୁନିଟ-୨ ମାର୍କେଟ୍ ବିଲଡିଂରେ ଦୁଇଟି ବହୁତଳ ପାର୍କିଂସ୍ଥଳ ନିର୍ମାଣ ହୋଇଛି। ୨ବର୍ଷରେ ସରିବାକୁ ଯୋଜନା ଥିଲା, ତା’ଠୁ ଆହୁରି ବର୍ଷେ ବିଳମ୍ବରେ କାର୍ଯ୍ୟକ୍ଷମ ହେଲା। ହେଲେ ପାର୍କିଂ ସମସ୍ୟା ଦୂର ହୋଇ ପାରିଲା ନାହିଁ। ଯେଉଁ ଠିକାସଂସ୍ଥା ଏଠାରେ ପାର୍କିଂ ଦାୟିତ୍ବ ନେଇଥିଲା, ସେ ବେପାର ହେଉନଥିବା ଦର୍ଶାଇ ଅଧାରୁ ଛାଡ଼ି ଚାଲିଗଲା। ଫଳରେ ଏହା ଏବେ ପୂରା ବିଶୃଙ୍ଖଳିତ ହୋଇପଡ଼ିଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ଉଦ୍ଦେଶ୍ୟ ‌ନେଇ ଏହା ପ୍ରସ୍ତୁତ ହୋଇଥିଲା, ତାହା ସଫଳ ହେଲାନାହିଁ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ସ୍ମାର୍ଟ ସିଟି ଭୁବନେଶ୍ବର ପାଇଁ ୪୫୩୭କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିରୁ ପିପିପି ମୋଡ୍‌ରେ ପୁଞ୍ଜିନିବେଶ ହେବାକୁ ଥିବା ୨୫୬୨.୮୦କୋଟି ଟଙ୍କାରୁ ଟଙ୍କାଟିଏ ଆସିପାରିଲା ନାହିଁ। ‘ଏରିଆ ବେସ୍‌ଡ ଡେଭଲପମେଣ୍ଟ’(ଏବିଡି)ରେ ବିଏସ୍‌ସିଏଲ୍‌ ଫେଲ୍‌ ମାରିଥିଲା। ଏହି ପ୍ରକଳ୍ପ ଅଧୀନରେ ଥିବା ରେଳଷ୍ଟେସନରେ ‘ମଲ୍‌ଟିମୋଡାଲ୍ ହବ୍’ ଓ ଭୁବନେଶ୍ବର ଟାଉନ୍ ସେଣ୍ଟର ପ୍ରକଳ୍ପ ତାଲିକାରୁ ଇତିମଧ୍ୟରେ କୁଆଡ଼େ ହଜି ଯାଇଛି। ସେହିଭଳି ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ବିଏସ୍‌ସିଏଲ୍‌ ‘ସୋଲାର ସିଟି ରୁଫ୍‌ଟପ୍‌’ ଯୋଜନା କରିଥିଲା। ପ୍ରତ୍ୟେକ ଘରୋଇ ଓ ସରକାରୀ ଛାତରେ ସୌରପ୍ୟାନେଲ୍‌ ଲାଗିଥା’ନ୍ତା। ଏହା ବିଦ୍ୟୁତ ଶକ୍ତିର ବିକଳ୍ପ ଭାବରେ ବ୍ୟବହାର ହେବା ସହ ପରିବେଶ ପାଇଁ ଲାଭଦାୟକ ହୋଇଥାନ୍ତା। ଏ ମଧ୍ୟ କେବଳ ଯୋଜନାରେ ରହିଗଲା।

Leave a Reply

Your email address will not be published. Required fields are marked *