ଅପରାଧରାଜ୍ୟ

ଟଙ୍କା ପାଇଁ ସାଙ୍ଗକୁ ହତ୍ୟା ଘଟଣା: ହତ୍ୟାକାରୀକୁ ଆଜୀବନ

ଅନୁଗୁଳ: ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଜଣେ ଯୁବକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଏହି ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍‌ ଚଉରଡିହ ଗାଁର ପ୍ରଶାନ୍ତ ସାହୁ ଓରଫ ବିକି(୩୫)କୁ ଆଜୀବନ କାରାଦଣ୍ଡାଦେଶ କରିବା ସହ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରଂଜିତା ଜ୍ୟୋତିଷୀ ଏହି ମାମଲାର ବିଚାର କରି ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଚଉରଡିହ ଗାଁର ପ୍ରଦ୍ୟୁମ୍ନ ସାହୁଙ୍କ ମୃତଦେହ ଗତ ୨୦୧୦ ମସିହା ସେପ୍ଟେମ୍ବର ୬ ତାରିଖରେ ଗୋତମରା ଗାଁ ବୁଦ୍ଧିଆବନ୍ଧରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ୩ ଦିନ ଆଗରୁ ସେ ନିଖୋଜ ଥିଲାବେଳେ ପୋଖରୀରୁ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ବଅଁରପାଳ ଥାନା ପୁଲିସ ଏଥିନେଇ ୧୫୮/୨୦୧୦ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ପ୍ରଦ୍ୟୁମ୍ନ ‌ଘଟଣାଦିନ ତାଙ୍କ ସଂପର୍କୀୟ ଭାଇ ସରୋଜ ସାହୁ ଓ ସାଙ୍ଗ ପ୍ରଶାନ୍ତ ସାହୁଙ୍କ ସହ ଭୋଜି କରିଥିଲେ। ଭୋଜି ସମୟରେ ପ୍ରଶାନ୍ତ ଓ ସରୋଜ ମଦ୍ୟପାନ କରି ପ୍ରଦ୍ୟୁମ୍ନଙ୍କୁ ଏଟିଏମ୍‌ କାର୍ଡ ମାଗିଥିଲେ। କାର୍ଡ ନ ଦେବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ମାଡ଼ ସହି ନ ପାରି ପ୍ରଦ୍ୟୁମ୍ନ ତାଙ୍କୁ କାର୍ଡ ଦେବା ସହ ପିନ୍‌ ନମ୍ବର ଦେଇ ଦେଇଥିଲେ। ଏହା ପରେ ସେମାନେ ପ୍ରଦ୍ୟୁମ୍ନଙ୍କୁ ମାରି ପଥର ବାନ୍ଧି ପୋଖରୀରେ ଫିଙ୍ଗି ଦେଇଥିଲେ। ଦୁଇ ଅଭିଯୁକ୍ତ ଏହି ଏଟିଏମ୍‌ କାର୍ଡ ବ୍ୟବହାର କରି ଟଙ୍କା ଉଠାଇବା ପରେ ପୁଲିସ ସେମାନଙ୍କୁ ଟ୍ରାକ୍‌ କରି ଧରିଥିଲା। ଏହି ମାମଲାର ବିଚା ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ଚାଲିଥିଲା। ଏହି ମାମଲାରେ ୩୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହି ବିଚାର ପ୍ରକ୍ରିୟା ଚାଲିଥିବା ସମୟରେ ଅଭିଯୁକ୍ତ ସରୋଜ ସାହୁଙ୍କ ମୃତ୍ୟୁ ହୋଇଯାଇଛି। ଏପଟେ ଗତ ୨୦୧୮ରେ ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ଅଭିଯୁକ୍ତ ପ୍ରଶାନ୍ତ ସାହୁ ଫେରାର୍‌ ହୋଇଯାଇଥିଲେ। ଦୁଇଦିନ ତଳେ ତାଙ୍କୁ ପୁଲିସ ଗିରଫ କରିବା ପରେ ମାମଲାର ବିଚାର କରାଯାଇ ଆଜି ରାୟ ପ୍ରକାଶ ପାଇଛି। ଆଇପିସିର ୩୦୨ ଦଫା ଅନୁସାରେ, ଆଜୀବନ କାରାଦଣ୍ଡାଦେଶ ହେବା ସହ ୨୦ ହଜାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାଙ୍କୁ ଅତିରିକ୍ତ ୨ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *