ଦେଶ- ବିଦେଶ

ଚୀନ୍‌କୁ ସତର୍କ କଲେ ‘ୟୁରୋପୀୟ ୟୁନିୟନ୍‌

ୱାସିଂଟନ୍‌: ୟୁକ୍ରେନ୍‌ରେ ଯୁଦ୍ଧ ଚଳାଇଥିବା ରୁଷ୍‌କୁ ଯଦି ଅସ୍ତ୍ରଶସ୍ତ୍ର ଯୋଗାଇ ଦିଏ ତେବେ ଚୀନ୍‌ ପ୍ରତି ୨୭-ରାଷ୍ଟ୍ରୀୟ ସଂଘ (ୟୁରୋପୀୟ ୟୁନିୟନ୍‌) କଟକଣା ଜାରି କରିବ ବୋଲି ଶୁକ୍ରବାର ଦିନ ‘ୟୁରୋପୀୟ ୟୁନିୟନ୍‌’ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଥିବା ‘ରଏଟର୍ସ’ ରିପୋର୍ଟ କରିଛି।

ଅସ୍ତ୍ରଶସ୍ତ୍ର ଯୋଗାଣ ଘଟଣାକୁ ସମ୍ପୂର୍ଣ୍ଣ ‘ବରଦାସ୍ତ ସୀମା ବାହାର’ ବୋଲି ଅଭିହିତ କରି ‘ୟୁରୋପୀୟ ୟୁନିୟନ୍‌’ର ଉକ୍ତ କର୍ମକର୍ତ୍ତା ଚୀନ୍‌କୁ ସତର୍କ ବାଣୀ ଶୁଣାଇଛନ୍ତି।

‘ୟୁରୋପୀୟ ୟୁନିୟନ୍‌’ର ଉକ୍ତ କର୍ମକର୍ତ୍ତାଙ୍କ ସତର୍କତା ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ସ୍‌ଙ୍କ ମନ୍ତବ୍ୟ ସହିତ ମେଳ ଖାଉଛି। ୟୁକ୍ରେନ୍‌ରେ ଯୁଦ୍ଧ ଚଳାଇଥିବା ମସ୍କୋକୁ ବେଜିଙ୍ଗ୍‌ର ଅସ୍ତ୍ରଶସ୍ତ୍ର ଯୋଗାଣକୁ ସୋଲ୍‌ସ୍‌ ମଧ୍ୟ ବିରୋଧ କରୁଛନ୍ତି।

ଜର୍ମାନ୍‌ ସଂସଦରେ ଉଦ୍‌ବୋଧନ ଦେବା ବେଳେ ସେ କହିଥିଲେ, ଆକ୍ରମଣକାରୀ ରୁଷ୍‌କୁ କୌଣସି ଅସ୍ତ୍ରଶସ୍ତ୍ର ଯୋଗାଇ ଦିଅ ନାହିଁ।

କିନ୍ତୁ, ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଉ ନାହିଁ ବୋଲି ଚୀନ୍‌ କହୁଥିବା ବେଳେ ଆମେରିକାର ଜାତୀୟ ସୁରକ୍ଷା ପରିଷଦ୍‌ର ମୁଖପାତ୍ର ଜନ୍‌ କିର୍ବି ଶୁକ୍ରବାର ଦିନ କହିଛନ୍ତି ଯେ, ଏବେ ବି ରୁଷ୍‌କୁ ମାରାତ୍ମକ ଅସ୍ତ୍ର ଯୋଗାଇ ଦେବା ଲାଗି ଚୀନ୍‌ ପଦକ୍ଷେପ ନେଇପାରେ। ସେମାନେ ଏଭଳି ଯୋଜନା କରି ନ ଥିବେ ବୋଲି ଆମେରିକା ପ୍ରଶାସନର ହୃଦ୍‌ବୋଧ ହେଉନାହିଁ। ସେମାନେ ଏଭଳି ଯୋଜନା ପ୍ରତ୍ୟାହାର କରିଥିବେ ବୋଲି ଆମର ବିଶ୍ବାସ ହେଉନାହିଁ।

ୟୁରୋପ୍‌ର ଜଣେ ବରିଷ୍ଠ କୂଟନୀତିଜ୍ଞ ମଧ୍ୟ କହିଛନ୍ତି ଯେ, ଚୀନ୍‌ରୁ ରୁଷ୍‌ ପ୍ରତି ସହାୟତା ମିଳିବା ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରମାନେ ସତର୍କ ରହିବା ଉଚିତ। ବେଜିଙ୍ଗ୍‌ ମସ୍କୋକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ପଠାଇପାରେ।

Leave a Reply

Your email address will not be published. Required fields are marked *