👩❤️👩 ସପନ ସନ୍ଧାନ 😭
ଫାଟକର ନାମ ନିଦ୍ରାଦେବୀ କୋଳ
ଭିତର ସ୍ବପ୍ନ-ମହଲ,
ରଙ୍ଗିଲା ପୃଥିବୀ ସେ’ ସ୍ବପ୍ନ ମହଲେ
ଅଦ୍ଭୁତ ସର୍କସ ଖେଳ ।
ପ୍ରତିଯୋଗିତାରେ ହାର-ଜିତା ସାଥେ
ଅନ୍ଧାରେ ପୁନେଇଁ ଜହ୍ନ,
ବାଘ୍ର ଦୃଶ୍ୟମାନ ବିରାଡ଼ି ସଦୃଶ୍ୟ
ମତ୍ସ୍ଯେ ଉଡ଼ନ୍ତି ଗଗନ ।
ମହତ ଜନଙ୍କ ସପନ ମହଲ
ସ୍ବର୍ଗପୁର ବିଚରଣ,
ତସ୍କର-ଚଣ୍ଡାଳ ମହଲେ ହୁତାଶ
ଛନକା ଭୂତ ଦାରୁଣ ।
ରାତ୍ରିରେ ଫାଟକ ଖୋଲୁଥାଏ ସିନା
ସମୟ ନ ଜାଣେ ଜନ,
ଆହାଃ କି ବିଚିତ୍ର ନିଦ ଛଡ଼ା ମାତ୍ର
ସାରା ଅତୀତ ସ୍ମରଣ ।
ଜରୁରୀକାଳୀନ ଖରାବେଳ ନିଦ
ଫାଟକ ହୁଏ ଉନ୍ମୁକ୍ତ,
ଏ କାଳେ ସପନ ଭୂତର ସବାର
ଜୀବନଟା କଟମଟ !
ଫାଟକ କଡ଼ରେ ଛୋଟ ଗଳାବାଟ
ସପନ-ଦେଖା ଗୋପନ,
ଅମାନିଆ ଜନ ଦେଖନ୍ତି ସପନ
ପାଚେରି କରି ଲମ୍ଫନ ।
ତୋରଣ ସୁନ୍ଦର ନିର୍ବାଚନୀ ପୁଷ୍ପ
ଅନିଦ୍ରେ ସ୍ବପ୍ନ ହୁନ୍ଦର,
ନିର୍ବାଚନ ପରେ ସପନ ସନ୍ଧାନେ
ଦିବା-ନିଶି ମରେ ନର !!
*ଶମ୍ଭୁନାଥ ଦାସ* (ମୁଖ୍ଯ ସମ୍ପାଦକ : *ଅଭିଯାନ* )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / *କୋଲକାତା*
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର, ଯାଜପୁର-୭୫୫୦୧୧