ଘରେ ଘରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ
ନିମାପଡ଼ା: ଆଜି ପବିତ୍ର ମାର୍ଗଶୀର ମାସର ଶେଷ ଗୁରୁବାର। ମାସ ର ପ୍ରଥମ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ପୂଜା ଆଜି ଉଦ ଯାପନ ହୋଇଛି। ପୁରୀ ଜିଲ୍ଲାର ଘରେ ଘରେ ମାଣ ବସାଯାଇ ପୂଜା ଭକ୍ତି ଓ ନିଷ୍ଠାର ସହିତ ଧନଧାତ୍ରୀ ମାଲକ୍ଷ୍ମୀ ଙ୍କ ପୂଜା ପାଳନ କରାଯାଇଛି।ମାଣବସା ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ।ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଛନ୍ତି।ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟ ମାନଙ୍କରେ ପ୍ରଚଳନ ନାହିଁ । ଏହା ଓଡ଼ିଆ ପରିବାର ର ସ୍ଵତନ୍ତ୍ର ଉତ୍ସବ ବୋଲି କହିଛନ୍ତି ଗବେଷକ ତ୍ରିଲୋଚନ ମିଶ୍ର। ଏହି ସମୟ ରେ ଚାଷୀ ମାନେ ଧାନ ଫସଲ ଅମଳ କରିଥାନ୍ତି। ଧାନ କୁ ମା ଲକ୍ଷ୍ମୀ ଭାବେ ଓଡ଼ିଆ ମାନେ ମାନ୍ୟ କରିଥାନ୍ତି। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ।ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟା କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ,ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ଲକ୍ଷ୍ମୀ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଛି।ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଇଛି।ଚାଉଳ, ଧାନ ଆଦି ଶସ୍ୟ ମାପିବା ପାଇଁ ମାଣର ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନ ମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ପରିଚିତ।
ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଛି।ଏହି ପୁରାଣ ମା ଲକ୍ଷ୍ମୀ ଙ୍କ ନିକଟରେ ପାଠ କରାଯାଇ ଅନ୍ନ, ଡାଲମା, ଭଜା, ଶାଗ, ଖଟା, ଖିରି, ପିଠା ପ୍ରଭୁତି ଭୋଗ ଲାଗି କରିବାପରେ ଘରେ ସମସ୍ତେ ଭୋଜନ କରିଥିଲେ। ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀ ମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇ ଘର ଦ୍ବାର କୁ ସଜ୍ଜିତ କରିଥିଲେ। ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଶଙ୍ଖ ଫୁଙ୍କି, ହୁଳ ହୁଳି ପକାଇ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥିଲେ।ଗାଁ ମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କି ଥିଲେ।ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥିଲା। ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଇ ହଳଦୀ ରେ ମାଣର ଉପରପାଶ୍ୱର୍ରେ ଲେପ ଦିଆଯାଇ ଥିଲା। ଯାହା ମା ଲକ୍ଷ୍ମୀ ଙ୍କ ମୁହଁ ପରି ଦିଶୁଥିଲା।ସେଥିରେ କଉଡିକୁ ଆଖିଭାବେ ବ୍ୟବହାର କରି ନିଜର ସୃଜନ ଶୈଳିଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଇଥିଲା।ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଇ ଥିଲା।ମା’ ଲକ୍ଷ୍ମୀ ଙ୍କ ର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥିଲା।ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଇ ଥିଲା । କେହି କେହି ଗବପତ୍ର,ଗୟା ତୁଳସୀ, କଳାପାତି, ସିନ୍ଦୁର ଫରୁଆ ମଧ୍ୟ ରଖିଥିଲେ।ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ନୂଆ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ।ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳା ଯାଇଥିଲା।ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଇ ସିନ୍ଦୂର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଧଳାଧାନରେ ପୂର୍ଣ୍ଣକରି ତା’ ଉପରେ ଗୁଆ ରଖାଯାଇ ସେହି ମାଣକୁ ଖଟୁଲି ଉପରେ ବସାଇ ତା’ଉପରେ ଧାନବେଣୀ ରଖି ନୂତନ ପାଟଲୁଗାର ଓଢ଼ଣୀ ଢଙ୍କାଯାଇଥିଲା।ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଇଥିଲା।ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା,ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇ ପୂଜା କରାଯାଇଥିଲା । ମାଣ ବସା ଓଷା ପାଇଁ ପୁରପଲ୍ଲୀ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।