ଅପରାଧ

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର : ବୁଧବାର ସ୍ଥାନୀୟ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ସଦର ଥାନା ଡିମିରିଡିହା ଗ୍ରାମର ସୁନୀଲ କୁମାର ନାଏକ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଫାଇନ୍‌ ଆଦେଶ କରିଛନ୍ତି। ଫାଇନ ଅନାଦେୟ ଆଉ ୬ ମାସ ଜେଲ ଦଣ୍ଡାଦେଶ କରିଛନ୍ତି।

ପ୍ରକାଶ ଯେ, ୧୬ ବର୍ଷ ବୟସ୍କା ନାବାଳିକା ପୀଡ଼ିତାଙ୍କ ବାପା ଓ ମା କୋଇଡ଼ା ଅଞ୍ଚଳରେ ଶ୍ରମିକ ଭାବରେ କାମ କରୁଥିଲେ। ଏଣୁ ପୀଡ଼ିତା ସଦର ଥାନା ଅଞ୍ଚଳରେ ବଡ଼ବାପା ଘରେ ରହୁଥିଲେ। ୨୧ ନଭେମ୍ବର ୨୦୨୧ ସନ୍ଧ୍ୟାରେ ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ସୁନୀଲ ଘରୁ ଅପହରଣ କରିନେଇ  ଏକ ଭଡ଼ା ଘରେ ରଖି ଭୟଭୀତ କରି ବାରମ୍ବାର ବଳାତ୍କାର କରିଥିଲେ। ନାବାଳିକାଙ୍କ ବଡ଼ବାପା ଖୋଜ ଖବର ନ ପାଇବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଡିସେମ୍ବର ୧୫ରେ ଅଭିଯୋଗ ପାଇବା ପରେ କେସ୍‌ ନମ୍ବର ୫୪୫/୨୧ରେ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୭ ଜଣ ସାକ୍ଷୀ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଆଦେଶ କରିବା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସରକାରଙ୍କୁ ସୁପାରିସ କରିଥିବା ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *