ସାହିତ୍ୟ

💥ବ୍ରହ୍ମାଙ୍କ ମାନସପୁତ୍ରୀ ଅହଲ୍ୟା 💥

.


ବିଦେହ ମଣ୍ଡଳରେ ପ୍ରବେଶ କରି ବିଶ୍ଵାମିତ୍ର ଶ୍ରୀରାମ-ଲକ୍ଷ୍ମଣଙ୍କ ସହିତ ମିଥିଳା ନଗରୀ ଅଭିମୁଖେ ଯାତ୍ରା କଲେ। ମିଥିଳା ନଗରୀଠାରୁ କିଛି ପୂର୍ବରୁ ସେମାନେ ଏକ ପରିତ୍ୟକ୍ତ ଆଶ୍ରମରେ ପ୍ରବେଶ କଲେ। ସେଠାରେ ବାତାବରଣ ଗମ୍ଭୀର ଥିଲା। ମନେ ହେଉଥିଲା ଯେପରି ଏକ କରୁଣ ସ୍ବରରେ କେହି ନିରବ ପ୍ରାର୍ଥନା କରୁଛି। ନିରବତାର ଶବ୍ଦ ଭିତରେ ଯେ ଏତେ କାରୁଣ୍ୟ ଥାଇପାରେ ପ୍ରଥମ ଥର ପାଇଁ ହୃଦୟଜ୍ଞମ କଲେ ଶ୍ରୀରାମ। ବିଶ୍ଵାମିତ୍ରଙ୍କୁ ପଚାରିଲେ.. ଗୁରୁଦେବ ! କାହାର ଏ ଆଶ୍ରମ। କାହିଁକି ଏଭଳି ପରିତ୍ୟକ୍ତ ଅବସ୍ଥାରେ ଏହା ରହିଛି ! ଏତେ ଅସହ୍ୟ ନିରବତା ଏଠାରେ କାହିଁକି ବିରାଜମାନ ! ମନେହୁଏ ବୃକ୍ଷଲତାମାନେ ମଧ୍ୟ ନିରବରେ ଲୋତକ ବର୍ଷଣ କରୁଛନ୍ତି।
ବିଶ୍ଵାମିତ୍ର କହିଲେ… ବତ୍ସ ! ଏହା ଋଷି ଗୌତମଙ୍କ ପରିତ୍ୟକ୍ତ ଆଶ୍ରମ। ଏହା ସହିତ ଏକ କରୁଣ କାହାଣୀ ଯୋଡ଼ି ହୋଇଛି। କହୁଛି ଶୁଣ ….

ଥରେ ସ୍ବର୍ଗରେ ଇନ୍ଦ୍ରଙ୍କ ଦରବାରରେ ନୃତ୍ୟଗୀତର ଆସର ଲାଗିଥିଲା। ଉର୍ବଶୀ, ରମ୍ଭା, ମେନକା, ତିଳୋତ୍ତମା, ମନୋରମା, ସୁଲୋଚନା, ସୌଦାମିନୀ, ଦେବସେନା, ସୁନ୍ଦରୀ, ବିଦଗ୍ଧା, ବିଵିଧା, ସରଳା, ସୁମୁଖୀ, ସୁନନ୍ଦା, ସୁମାଳା, ଧୃତି ଆଦି ଅପ୍ସରାଗଣ ନୃତ୍ୟ ପରିବେଷଣ କରି ପରିବେଶକୁ ମଧୁମୟ କରି ତୋଳିଥିଲେ। ଏହି ସମୟରେ ଚତୁରାନନ ବ୍ରହ୍ମଦେବ ସେଠାରେ ପ୍ରବେଶ କଲେ।ବେଦପତିଙ୍କର ଚତୁର୍ମୁଖ ଦେଖି ଉର୍ବଶୀ ହସିଦେଲେ। ରୂପ ଗର୍ବରେ ପ୍ରମତ୍ତା ଉର୍ବଶୀ ଯେ ଏଭଳି ତାତ୍ସଲ୍ୟ କରିଛନ୍ତି ଏହା ବ୍ରହ୍ମା ଠିକ୍ ବୁଝି ପାରିଲେ। ଉର୍ବଶୀଙ୍କ ରୂପଗର୍ବ ଖର୍ବ କରିବାପାଇଁ ବେଦପତି ଏକ ଅପୂର୍ବ ସୁନ୍ଦରୀ ମାନସ କନ୍ୟା ସୃଷ୍ଟି କଲେ। ସମସ୍ତ ସ୍ବର୍ଗ ଗଣିକାଙ୍କଠାରୁ ସହସ୍ର ଗୁଣ ଅଧିକ ଥିଲା ବ୍ରହ୍ମାଙ୍କର ଏହି ମାନସ ପୁତ୍ରୀଙ୍କର ସୌନ୍ଦର୍ଯ୍ୟ। ସଙ୍ଗେ ସଙ୍ଗେ ବ୍ରହ୍ମା କନ୍ୟାର ନାମ ରଖିଲେ ଅହଲ୍ୟା। ଅହଲ୍ୟାଙ୍କ ରୂପ ବନ୍ୟାରେ ଉର୍ବଶୀ ସମେତ ସମସ୍ତ ଅପ୍ସରାମାନଙ୍କର ଗର୍ବ ମହାବେଗା ଚିତ୍ରୋତ୍ପଳାରେ ଶୁଷ୍କ ପତ୍ର ପରି ଭାସିଗଲା ।

କିନ୍ତୁ ଅହଲ୍ୟାଙ୍କ ରୂପ ଦେବସଭାରେ ଉପସ୍ଥିତ ସୂର୍ଯ୍ୟ ଏବଂ ସ୍ଵୟଂ ଇନ୍ଦ୍ରଙ୍କର ଧୈର୍ଯ୍ୟ ଉଡ଼ାଇ ଦେଲା। ଉଭୟେ ଚାହିଁଲେ ଅହଲ୍ୟାଙ୍କୁ ବିବାହ କରିବା ପାଇଁ। ସ୍ବର୍ଗାଧିପତି ହେବାର ଅହଙ୍କାର ଯୋଗୁଁ କନ୍ୟାରତ୍ନଙ୍କୁ ଲାଭ କରିବାର ପିପାସା ସବୁଠାରୁ ଅଧିକ ଥିଲା ଇନ୍ଦ୍ରଙ୍କର। ଇନ୍ଦ୍ର ଏବଂ ସୂର୍ଯ୍ୟ କନ୍ୟାଲାଭ ଆଶାରେ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ସେ ସମୟରେ ବ୍ରହ୍ମାଙ୍କ ପାଖରେ ଦେବର୍ଷି ନାରଦ ଏବଂ ଗୌତମ ମହର୍ଷି ମଧ୍ୟ ଉପସ୍ଥିତ ଥିଲେ। ଏଠାରେ କଳି-ମଞ୍ଜି ପୋତିବାର ଏକ ଉତ୍କୃଷ୍ଟ ପରିବେଶ ନାରଦଙ୍କୁ ପ୍ରାପ୍ତ ହେଲା। ସେ ଗୌତମଙ୍କୁ କହିଲେ.. ମୁନିଶ୍ରେଷ୍ଠ ! ଏଭଳି ରୂପବତୀ ଓ ଗୁଣବତୀ କନ୍ୟା କେବଳ ଆପଣଙ୍କ ଆଶ୍ରମ ବିମଣ୍ଡିତ କରିବାପାଇଁ ଯୋଗ୍ୟା। ଆପଣ ଅହଲ୍ୟାଙ୍କ ପାଣି ଗ୍ରହଣ କରିବା ଉଚିତ୍।”

ଅଗତ୍ୟା କନ୍ୟା ଲାଭ କରିବା ପ୍ରତିଯୋଗିତା ଇନ୍ଦ୍ର, ସୂର୍ଯ୍ୟ ଏବଂ ଗୌତମଙ୍କ ମଧ୍ୟରେ ରହିଲା।ବ୍ରହ୍ମଦେବ କହିଲେ, ଯିଏ ବିଶ୍ବ ବ୍ରହ୍ମାଣ୍ଡ ପରିକ୍ରମଣ କରି ପ୍ରଥମେ ତାଙ୍କପାଖକୁ ଫେରି ଆସିବ, ସେ କନ୍ୟାର ପାଣି ଗ୍ରହଣ କରିବ। କ୍ଷୀପ୍ର ଗତିରେ ଇନ୍ଦ୍ର ଏବଂ ସୂର୍ଯ୍ୟ ବ୍ରହ୍ମାଣ୍ଡ ପରିକ୍ରମଣ କରିବାକୁ ଚାଲିଗଲେ। ନାରଦଙ୍କ ଇଙ୍ଗିତରେ ଗୌତମ ମହର୍ଷି ବ୍ରହ୍ମାଙ୍କ ଚାରିପଟେ ଥରେ ବୁଲିଯାଇ ଯୋଡହସ୍ତରେ ଦଣ୍ଡାୟମାନ ହେଲେ।

ଏକ ସମୟରେ ଇନ୍ଦ୍ର ଓ ସୂର୍ଯ୍ୟ ବ୍ରହ୍ମାଙ୍କ ପାଖକୁ ଫେରିଆସି ଅହଲ୍ୟାଙ୍କ ଉପରେ ନିଜ ନିଜର ଦାବି ସାବ୍ୟସ୍ତ କଲେ। ଉପସ୍ଥିତ ଥିବା ନାରଦ ବ୍ରହ୍ମାଙ୍କୁ କହିଲେ…ହେ ତାତ ! ଏହି ପ୍ରତିଯୋଗିତାରେ ମହର୍ଷି ଗୌତମ ହିଁ ବିଜୟୀ। ଯେଉଁ ବ୍ରହ୍ମା ସମଗ୍ର ବିଶ୍ବବ୍ରହ୍ମାଣ୍ଡର ସ୍ରଷ୍ଟା, ତାଙ୍କ ଚାରିପାଖରେ ଭ୍ରମଣ କରି ସେ ବ୍ରହ୍ମାଣ୍ଡକୁ ନିମିଷ ମାତ୍ରେ ଭ୍ରମଣ କରିଛନ୍ତି ବୋଲି ପ୍ରମାଣିତ କରିଛନ୍ତି। ବୁଦ୍ଧି ଏବଂ ବଳର ପ୍ରତିଯୋଗିତାରେ ଏଠାରେ ବୁଦ୍ଧି ହିଁ ବିଜୟୀ। “ବ୍ରହ୍ମା ନାରଦଙ୍କ ଯୁକ୍ତିକୁ ଗ୍ରହଣ କରି ମହର୍ଷି ଗୌତମଙ୍କ ସହିତ ଅହଲ୍ୟାଙ୍କର ପରିଣୟ କରିଦଲେ।

ମର୍ତ୍ତ୍ୟପୁରରେ ନିଜ ଆଶ୍ରମକୁ ଫେରିଆସି ମହର୍ଷି ଗୌତମ ସୁଖରେ କିଛି କାଳ ଦାମ୍ପତ୍ୟ ଅତିବାହିତ କଲେ। ତାଙ୍କ ଔରସରୁ ଅଞ୍ଜନା ନାମ୍ନୀ ଗୋଟିଏ କନ୍ୟାର ଜନନୀ ହେଲେ ଅହଲ୍ୟା।

କିନ୍ତୁ ଇନ୍ଦ୍ର ଏବଂ ସୂର୍ଯ୍ୟ ଅହଲ୍ୟାଙ୍କୁ ଭୁଲି ପାରିଲେ ନାହିଁ। ତାଙ୍କ ପ୍ରତି ଆକର୍ଷଣ ସେ ଦୁହିଙ୍କୁ ପାପ ପ୍ରଣୟର ପଥିକ କରାଇଲା। ମହର୍ଷି ଗୌତମ ଆଶ୍ରମରେ ନଥିବା ସମୟରେ ତାଙ୍କ ରୂପ ଓ ବେଶ ଧାରଣ କରି ଇନ୍ଦ୍ର ଏବଂ ସୂର୍ଯ୍ୟ ଯେ ଯାହା ସମୟରେ ଆଶ୍ରମରେ ପ୍ରବେଶ କରି ଅହଲ୍ୟାଙ୍କୁ ଉପଭୋଗ କରୁଥିଲେ। ବେଶ ବଦଳାଇ ଆଶ୍ରମରେ ପ୍ରବେଶ କରିବା ସମୟରେ ଅଞ୍ଜନା ସେମାନଙ୍କୁ ଦେଖି ପାରୁଥିଲେ, କିନ୍ତୁ ଏହି ରତିକ୍ରୀଡା ମାତାଙ୍କ ସମ୍ମତିରେ ହେଉଛି ବୋଲି ମନେକରି କାହାକୁ କିଛି କହୁନଥିଲେ। ସମୟକ୍ରମେ ଇନ୍ଦ୍ର ଏବଂ ସୂର୍ଯ୍ୟଙ୍କ ଔରସରୁ ଦୁଇଟି ପୁତ୍ରର ଜନନୀ ହେଲେ ଅହଲ୍ୟା। ଦୁହେଁ ଅତୀବ ସୁନ୍ଦର ଏବଂ ଜମଜ ସନ୍ତାନ ଭଳି ଦେଖାଯାଉଥିଲେ।

ପୁତ୍ର ଦ୍ବୟଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ ମହର୍ଷି ଗୌତମ।ନଦୀକୁ ଯିବା ଏବଂ ଫେରିବା ସମୟରେ ଦୁଇ ପୁତ୍ରଙ୍କୁ କାନ୍ଧରେ ବସାଉ ଥିଲେ, କିନ୍ତୁ କନ୍ୟାର ହାତଧରି ଚଲାଇ ଚଲାଇ ଆଶ୍ରମକୁ ଫେରୁଥିଲେ ମହର୍ଷି। ଏହା କନ୍ୟା ଅଞ୍ଜନାଙ୍କ ମନରେ ଈର୍ଷା ଭାବ ସୃଷ୍ଟି କଲା। ସେ ପିତାଙ୍କୁ କହିଲେ.. ଜାରଜ ସନ୍ତାନଙ୍କୁ କାନ୍ଧରେ ବହନକରି ନେଉଛ, ଅଥଚ ନିଜ କନ୍ୟାକୁ ଚଲାଇ ଚଲାଇ ନେଉଛ !

କନ୍ୟାଠାରୁ ଏହା ଶୁଣି ଧ୍ୟାନ ବଳରେ ଗୌତମ ଇନ୍ଦ୍ର ଏବଂ ସୂର୍ଯ୍ୟଙ୍କ କୁକର୍ମ ଜାଣି ପାରିଲେ। ସଙ୍ଗେ ସଙ୍ଗେ ସେ ଦୁଇ ପୁତ୍ରଙ୍କୁ ନଦୀ ସ୍ରୋତକୁ ଫିଙ୍ଗିଦେଇ କହିଲେ.. ଯେବେ ତୁମେ ଜାରଜ ସନ୍ତାନ ହୋଇଥିବ, ମର୍କଟ ରୂପ ନେଇ ନଦୀ ସ୍ରୋତରେ ଭାସିଯିବ।

ତାହାହିଁ ହେଲା। ବାଳକ ଦ୍ବୟ ମର୍କଟ ରୂପରେ ନଦୀ ସ୍ରୋତରେ ଭାସିଗଲେ। ନଦୀର ନିମ୍ନ ଭାଗରେ ସେ’ଦିନ ସ୍ନାନ କରୁଥିଲେ କିଷ୍କିନ୍ଧ୍ୟାର ମର୍କଟ ରାଜ “ଋକ୍ଷରାଜ”। ସନ୍ତାନ ଦ୍ବୟଙ୍କୁ ନଦୀରୁ ଉଦ୍ଧାର କରି ସେ ପୋଷ୍ୟପୁତ୍ର ଭାବରେ ପାଳନ କଲେ। ଇନ୍ଦ୍ରଙ୍କ ଔରସରୁ ଜାତ ପୁତ୍ର ମହାବଳଶାଳୀ ଥିବାରୁ ତାଙ୍କ ନାମ ହେଲା ବଳି। ସୂର୍ଯ୍ୟଙ୍କ ପୁତ୍ରର ଗ୍ରୀବା ଭାଗ ସୁନ୍ଦର ଥିବାରୁ ତାଙ୍କ ନାମ ହେଲା ସୁଗ୍ରୀବ।

ଏଣେ ଇନ୍ଦ୍ର ଏବଂ ସୂର୍ଯ୍ୟଙ୍କ ଉପରେ ମହା କ୍ରୋଧିତ ହୋଇ, ଗୌତମ “ସେମାନଙ୍କ ଦେହରେ ସହସ୍ର ଯୋନି ହୋଇଯାଉ” ବୋଲି ଅଭିଶାପ ଦେଲେ। ନିଜ ନିଜ ଦେହରେ ସହସ୍ର ଯୋନିର ଆବିର୍ଭାବ ଦେଖି ଇନ୍ଦ୍ର ଏବଂ ସୂର୍ଯ୍ୟ ଗୌତମଙ୍କ ପାଖରେ ପହଞ୍ଚି ଅନୁନୟ ବିନୟ ହୋଇ କ୍ଷମା ପ୍ରାର୍ଥନା କଲେ ଏବଂ କହିଲେ…ହେ ମହାତ୍ମା ! ଦେହରେ ସହସ୍ର ଯୋନି ଧାରଣ କରି ଆମ୍ଭେମାନେ କିପରି କାହାକୁ ମୁହଁ ଦେଖାଇବୁ? ଜଗତରେ ଯେଉଁ କର୍ମପାଇଁ ଆମ୍ଭମାନଙ୍କର ସୃଷ୍ଟି ତାହା ପାଳନ ନକଲେ ଘୋର ବିଶୃଙ୍ଖଳା ହେବ। ସୃଷ୍ଟିର ଭାରସାମ୍ୟ ବିଶୃଙ୍ଖଳିତ ହୋଇଯିବ। ଆମ ଉପରେ ଦୟା କରନ୍ତୁ। କିଛି ଉପାୟ କରନ୍ତୁ।”

ଗୌତମ କହିଲେ.. ମୋର ଅଭିଶାପ ତ ନିଶ୍ଚୟ ଫଳିବ, କିନ୍ତୁ ଇନ୍ଦ୍ରଙ୍କ ଦେହରେ ଥିବା ସହସ୍ର ଯୋନି ସହସ୍ର ଚକ୍ଷୁରେ ପରିଣତ ହେବ ଏବଂ ସେ ସହସ୍ରାକ୍ଷ ନାମ ଧାରଣ କରିବେ ; ସୂର୍ଯ୍ୟଙ୍କ ଦେହରେ ଥିବା ସହସ୍ରଯୋନି ସହସ୍ର ଅଂଶୁରେ ପରିଣତ ହେବେ ; ସେ ସହସ୍ରାଂଶୁ ନାମ ଧାରଣ କରିବେ। ତାହା ହିଁ ହେଲା।

ଆଶ୍ରମକୁ ଫେରିଆସିବା ପରେ ଅହଲ୍ୟା ଯେତେବେଳେ ଜାଣିଲେ, ପୁତ୍ରମାନେ ମର୍କଟ ରୂପରେ ନଦୀ ଜଳରେ ଭାସି ଯାଇଛନ୍ତି, ସେ ମହାକ୍ରୋଧରେ ଅଞ୍ଜନାଙ୍କୁ କହିଲେ.. ତୋ ଯୋଗୁଁ ମୋର ଦୁଇପୁତ୍ର ମର୍କଟ ରୂପ ଧାରଣ କରିଛନ୍ତି। ସେଥିପାଇଁ ମୋର ଅଭିଶାପ ଗ୍ରହଣ କର। ତୁ ମଧ୍ୟ ଏକ ମର୍କଟର ଜନନୀ ହେବୁ। “ପରବର୍ତ୍ତୀ ସମୟରେ ଅଞ୍ଜନାଙ୍କ ଗର୍ଭରୁ ମହାବୀର, ପବନ-ପୁତ୍ର ହନୁମାନ ଜନ୍ମ ଗ୍ରହଣ କରିଥିଲେ।

ମହର୍ଷି ଗୌତମ ହୃଦୟଜ୍ଞମ କଲେ ଯେ ଇନ୍ଦ୍ର ଏବଂ ସୂର୍ଯ୍ୟଙ୍କ ସହିତ ଅହଲ୍ୟ ଜ୍ଞାତସାରରେ ଅବୈଧ ସମ୍ପର୍କ ରଖିଥିଲେ। ସେଥିପାଇଁ ମହା କ୍ରୋଧରେ ସେ ଅହଲ୍ୟାଙ୍କୁ ପାଷାଣୀରେ ପରିଣତ ହେବାପାଇଁ ଅଭିଶାପ ଦେଲେ।

ଅଶ୍ରୁଳ ନେତ୍ରରେ ଅହଲ୍ୟା ଜିଜ୍ଞାସା କଲେ..ହେ ପ୍ରଭୁ ! ଏ ଅଭିଶାପରୁ ମୋତେ କିପରି ମୁକ୍ତି ମିଳିବ ?
ମୁକ୍ତିପଥ ବତାଇବାକୁ ଯାଇ ଗୌତମ କହିଲେ.. କେବଳ ବିଷ୍ଣୁ ତୁମକୁ ଏ ପାପରୁ ମୁକ୍ତି ଦେଇ ପାରିବେ। ତ୍ରେତୟା ଯୁଗରେ ପ୍ରଭୁ ରାମ ଅବତାରରେ ଧରାବତରଣ କରିବେ। ସେ ପର୍ଯ୍ୟନ୍ତ ତୁମେ ରାମନାମ ହିଁ ଜପ କରୁଥାଅ। ସେ ପବିତ୍ର ନାମ ହିଁ ତୁମର ସବୁ କଳ୍ମଷ ଦୂର କରିବ।”

ଅଳ୍ପ ନିରବତା ପରେ ବିଶ୍ଵାମିତ୍ର କହିଲେ… ହେ ରାମ ! ସେହିଦିନ ଠାରୁ ଅହଲ୍ୟା ପାଷାଣୀ ଅହଲ୍ୟାରେ ପରିଣତ ହୋଇଛନ୍ତି। ମହର୍ଷି ଗୌତମ ଆଶ୍ରମ ତ୍ୟାଗ କରି ଚାଲି ଯାଇଛନ୍ତି। ଅବହେଳିତ ଏହି ଆଶ୍ରମର ନିଭୃତ କୋଣରେ ପାଷାଣୀ ଅହଲ୍ୟାଙ୍କ କଣ୍ଠରୁ ଅବିରତ ରାମନାମ ଭାସି ଆସୁଛି। ଆସ ରାମଚନ୍ଦ୍ର ! ଅହଲ୍ୟାଙ୍କୁ ମୁକ୍ତି ଦିଅ।”

ଶ୍ରୀରାମଚନ୍ଦ୍ରଙ୍କ ଆଗମନରେ ଆଶ୍ରମରେ ବସନ୍ତ ଋତୁର ଆଗମନ ହେଲା। ଫୁଲର ସୁରଭିରେ ସମଗ୍ର ପରିବେଶ ପରିପୂର୍ଣ୍ଣ ହୋଇଗଲା। ପଲ୍ଲବିତ ହୋଇ ଉଠିଲେ ଋକ୍ଷ ବୃକ୍ଷଲତା। କୋକିଳ କୂଜନରେ ଭରିଗଲା ବାତାବରଣ। ଅହଲ୍ୟାଙ୍କ ପାଷାଣ ମୂର୍ତ୍ତି ପାଖରେ ପହଞ୍ଚି ଶ୍ରୀରାମ କହିଲେ..ଉଠ ଦେବୀ ଅହଲ୍ୟା ! ଅନୁଶୋଚନାର ଗଙ୍ଗା ଜଳରେ ତୁମେ ପବିତ୍ର ହୋଇଯାଇଛ। ପଞ୍ଚସତୀ ମାନଙ୍କ ମଧ୍ୟରେ ତୁମେ ଆଜିଠାରୁ ପରିଗଣିତା ହେବ

Leave a Reply

Your email address will not be published. Required fields are marked *